ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦୀର୍ଘ ୭ ମାସ ପ୍ରତିକ୍ଷା ପରେ ସୋମବାର ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ୨୪ ଘଣ୍ଟିଆ ଖୋଲିଛନ୍ତି ବନ କର୍ତ୍ତୃପକ୍ଷ। ପ୍ରଥମ ଦିନରେ କରୋନା ଗାଇଡଲାଇନ୍ ସହ ୨୬ ଜଣ ପର୍ଯ୍ୟଟକ ଉଦ୍ୟାନ ବୁଲିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମଣ ହାର ହ୍ରାସ ପାଇବା ପରେ ଭିତରକନିକା ଜାତୀୟ ଉଦ୍ୟାନକୁ ସୋମବାର ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ଆଜି ପ୍ରଥମ ଦିନରେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ୨୬ ଜଣ ପର୍ଯ୍ୟଟକ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ ପୁରୁଷ ଓ ୧୦ ଜଣ ମହିଳା। ଟିକେଟ୍ ବୁକିଂ କାଉଣ୍ଟର ପାଖରୁ ଉଦ୍ୟାନ ମଧ୍ୟକୁ ପ୍ରବେଶ, ପରିଭ୍ରମଣ ଓ ପ୍ରସ୍ଥାନ ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କରୋନା ପାଇଁ ଜାରି କରାଯାଇଥିବା ସ୍ଵତନ୍ତ୍ର ଏସ୍‌ଓପିକୁ କଡାକଡି ପାଳନ କରାଯାଇଛି। ବିନା ମାକ୍ସରେ ଆସିଥିବା କେତେକ ପର୍ଯ୍ୟଟକଙ୍କୁ ଭିତରକନିକା ସଂଲଗ୍ନ ବାଙ୍କୁଆଳ ଗ୍ରାମରେ ଥିବା ଇକୋ ଡେଭଲପମେଣ୍ଟ କମିଟି ଫେସ୍ ମାକ୍ସ ଓ ସାନିଟାଇଜର ଯୋଗାଇ ଦେଇଥିଲେ। ଏହାପରେ ପର୍ଯ୍ୟଟକମାନଙ୍କୁ ଉଦ୍ୟାନ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲା ବନ ବିଭାଗ। ଟିକେଟ୍ ବୁକିଂ ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ବିଭାଗ ନିର୍ଦ୍ଧାରିତ ଦୂରତାରେ ଧଳା ରଙ୍ଗର ଗୋଲାକାର ତିଆରି କରିଥିଲା।ଉଦ୍ୟାନ ଭିତରେ ମଧ୍ୟ ପର୍ଯ୍ୟଟକମାନେ ସମାନ ଏସ୍‌ଓପି ପାଳନ କରି ଭ୍ରମଣ କରିଥିଲେ। ସାମାଜିକ ଦୂରତା, ପାନ, ଗୁଟ୍‌ଖା, ଧୁମ୍ରପାନ ଆଦିକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା। ଉଦ୍ୟାନ ମଧ୍ୟରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସାନିଟାଇଜର ଯୋଗାଇ ଦିଆଯାଇ ଥିଲା। ସେହିପରି କ୍ୟାଣ୍ଟିନରେ ପର୍ଯ୍ୟଟକମାନଙ୍କୁ ୟୁଜ୍ ଆଣ୍ଡ ଥ୍ରୋ ପତ୍ରରେ ଖାଦ୍ୟ ପରିବେଷଣ କରାଯାଇଥିଲା।

କରୋନା ପାଇଁ ଦୀର୍ଘ ୭ ମାସ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନକୁ ସାଧାରଣ ଭ୍ରମଣ ନିମନ୍ତେ ବନ୍ଦ ରଖାଯାଇଥିଲା ବେଳେ ଚଳିତ ଅକ୍ଟୋବର ପହିଲାରୁ କେବଳ ରାତି ସମୟରେ ଉଦ୍ୟାନ କଟେଜ୍‌ରେ ରହଣି ଏବଂ ଭ୍ରମଣ ପାଇଁ ଖୋଲାଯାଇଥିଲା। ଆଜି ଏହାକୁ ପର୍ଯ୍ୟଟକଙ୍କ ପାଇଁ ୨୪ ଘଣ୍ଟିଆ ଖୋଲିଦିଆ ଯାଇଛି।

Comment