ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୀମାରେ ବିବାଦ ଲାଗି ରହିଥିଲା ବେଳେ ଆଜି ଜଣେ ଚୀନ ସୈନିକଙ୍କୁ ଗିରଫ କରିଛି ଭାରତୀୟ ସେନା। ଭାରତୀୟ ସୀମାରେ ପ୍ରବେଶ କରିଥିବାରୁ ଲଦାଖର ଚୁମାର-ଡେମଚୋକ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଅକ୍ସିଜେନ, କିଛି ଖାଦ୍ୟ, ଔଷଧ ଓ ଗରମ ପୋଷାକ ଜବତ ହୋଇଛି।

ଗିରଫ ଯବାନ ଜଣକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ। ତାଙ୍କୁ ପଚରାଉଚରା କରାଯିବା ସମୟରେ ସୈନିକ ଜଣକ ଅଜାଣତରେ ଭାରତୀୟ ସୀମାରେ ପ୍ରବେଶ କରିଯାଇଥିଲେ ବୋଲି କହିଛନ୍ତି। ତେବେ ଚୀନ ସୈନିକଙ୍କୁ ଏବେ ମଧ୍ୟ ଜେରା ଜାରି ରହିଛି। ତାଙ୍କୁ ଜେରା ସରିବା ପରେ ପ୍ରୋଟୋକଲ ଅନୁସାରେ ଚୀନ ସେନାକୁ ହସ୍ତାନ୍ତର କରିବ ଭାରତୀୟ ସେନା।

ଗତ ପ୍ରାୟ ୬/୭ ମାସ ଧରି ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ଦେଖାଦେଇଛି। ଏହି ଉତ୍ତେଜନାକୁ ହ୍ରାସ କରିବା ପାଇଁ ଅନେକ ଥର ବୈଠକ ଅନୁଷ୍ଠିତ ହୋଇଯାଇଛି। ତଥାପି କୌଣସି ନିର୍ଦ୍ଦିଷ୍ଟ ଫଳାଫଳ ମିଳି ନାହିଁ। ବରଂ ବାରମ୍ବାର ଚୀନ ତା’ର କଥା ବଦଳାଉଛି।

LEAVE A REPLY

Please enter your comment!
Please enter your name here