ଗୀତା ଦାଶ

କରୋନା ମହାମାରୀ ସହ ଦୀର୍ଘ ୭ ମାସ ହେଲା ଲଢ଼େଇ ଚାଲିଥିବା ବେଳେ ଏହାର ପ୍ରଭାବରେ ଶିଶୁ ଓ ବୟସ୍କଙ୍କୁ ବିଭିନ୍ନ ଦିଗରୁ ମାନସିକ ଦୁଶ୍ଚିନ୍ତା ଘାରିଛି। ତାହାର ମୁକାବିଲା କିପରି କରିବେ, ସେ ସମ୍ପର୍କରେ ବିଶିଷ୍ଟ ମନୋବିଜ୍ଞାନୀଙ୍କ ପରାମର୍ଶ।

ମୋ ପୁଅ କୋଭିଡ୍ ଯୋଗୁ ଅନଲାଇନ୍ ପାଠ ପଢ଼ି ବ୍ୟସ୍ତ ଓ ବିବ୍ରତ ହେଇଗଲାଣି। ସେ ଭଲ ଛାତ୍ର। ତା’ କ୍ଲାସରେ ଟପ୍ପର। ଶିକ୍ଷକମାନେ ବହୁତ ଭଲ ପାଉଥିଲେ। ସାଙ୍ଗପିଲାମାନେ ତା’ଠାରୁ ପାଠ ପଚାରି ବୁଝୁଥିଲେ। ହସ ଖୁସିରେ ଦିନ ବିତୁଥିଲା। ବର୍ତ୍ତମାନ ସେ ମନ ମାରି ବସୁଛି। କାହା ସାଙ୍ଗେ ବେଶି କଥା କହୁନି। ତା’ର କ୍ୟାରିୟରରେ ବାଧା ପଡ଼ିଲା। ବର୍ଷଟାଏ ପଛେଇଗଲା। ମୁଁ ତା’ର ମନଦୁଃଖର କାରଣ ବୁଝୁଛି। କିନ୍ତୁ କ’ଣ କରିବି ଜାଣିପାରୁନାହିଁ?

ଉତ୍ତର: ପୁଅର ମନଦୁଃଖର ପ୍ରଧାନ କାରଣ ହେଲା, ସିଏ ନିଜର ଭବିଷ୍ୟତ ପ୍ଲାନ୍ ଯାହା କରିଥିଲା ସେ ସବୁ ବର୍ତ୍ତମାନ ଗଣ୍ଡଗୋଳ ହୋଇଗଲା। ଅନଲାଇନ୍ କୋର୍ସ ନେଇ ସେ କମ୍ପିଟିସନରେ କେତେ ଭଲ କରିବ ସେକଥା କଳନା କରିପାରୁନାହିଁ। ଯଦି ତା’ର ମନ ମୁତାବକ ଉଚ୍ଚକୋଟୀର କଲେଜରେ ପଶିନପାରିବ ଓ ଯେଉଁ କ୍ୟାରିୟର୍ ଗଢ଼ିବ ବୋଲି ଭାବିଥିଲା ସେଥିରେ ସଫଳ ନ ହେଲେ କ’ଣ କରିବ ଭାବି ଅତି ଦୁଃଖିତ ହେଉଛି।

ଦ୍ୱିତୀୟରେ ଘରେ ବସି ରହିବାରୁ ବୋର୍ ହେଉଛି। ଫୋନ୍‌ରେ କଥାବାର୍ତ୍ତା ହେଲେ ମଧ୍ୟ ଅନ୍ୟମାନଙ୍କର ହତାଶା ବାଣୀ ଶୁଣି ବେଶୀ ମାନସିକ ଚାପରେ କଷ୍ଟ ପାଉଛି।

ତାର ମନଦୁଃଖର ପ୍ରଧାନ କାରଣ ହେଲା ସେ ସବୁବେଳେ ଆଗକୁ ଅନାଇ ଚାଲୁଥିଲା। ହଠାତ୍ ଆକ୍ସିଡେଣ୍ଟ ହେଇ ଗୋଡ଼ ଭାଙ୍ଗିଯାଇ ଶଯ୍ୟାଶାୟୀ ହେଲେ ଯେମିତି ଲାଗେ ତାକୁ ସେମିତି ଲାଗୁଛି। ଦିନ ପରେ ଦିନ ବିତିଯାଉଛି ସେ କିଛି କରିପାରିନାହିଁ ସ୍ଥାଣୁ ପରି ରହିଛି। ପୂର୍ବେ ଶିକ୍ଷକମାନଙ୍କର ଉତ୍ସାହ ପାଇଁ ତା’ର ଆତ୍ମବିଶ୍ୱାସ ଦୃଢ଼ ହେଉଥିଲା ଯେ ଆଗକୁ ବଢ଼ିବ ଉପରକୁ ଉଠିବ। ନାଁ କରିବ। ବର୍ତ୍ତମାନ ସେ ସେମାନଙ୍କର ସଙ୍ଗରୁ ବଞ୍ଚିତ। ସାଙ୍ଗପିଲା ପାଠ ପଚାରିଲାରୁ ସେ ନିଜକୁ ବୁଦ୍ଧିମାନ ଓ ଅଗ୍ରଣୀ ବୋଲି ଭାବୁଥିଲା। ବର୍ତ୍ତମାନ ସେମାନଙ୍କର ଗହଣରେ ନ ଥିଲାରୁ ସେମାନଙ୍କର ପ୍ରୀତି ଓ ସାଙ୍ଗସୁଖ ହରାଇଛି। କାରଣ ପ୍ରୀତି ଓ ଉତ୍ସାହବାଣୀ ମନକୁ ବଳିଷ୍ଠ କରେ। ଯୁବକ ବୟସରେ ଜୀବନର ଗତି ଖରସ୍ରୋତା ନଦୀ ପରି। ବୃଦ୍ଧ ବୟସରେ ଅଙ୍ଗ ଅବଶ ହେଇ ଆସିଲାରୁ ଜୀବନର ଗତି ମନ୍ଥର ହୁଏ। ଜୀବନର ଗତି ରୁଦ୍ଧ ହେଲେ ଅକାଳ ବାର୍ଦ୍ଧକ୍ୟର ଦୁଃଖ ମନକୁ ଘାରେ।

’ଣ କରିହେବ?

ନିଜର ଦୈନନ୍ଦିନ ଜୀବନକୁ ନିଜ ଆୟତ୍ତରେ ରଖିବା ପ୍ରତିଦିନର କର୍ମସୂଚୀ ତିଆରି କରି ଚଳିଲେ କମ୍ ବୋର୍ ଲାଗିବ। ଅର୍ଥାତ୍ ଆଗ ପରି ଯେତେବେଳେ କାମ ଥିଲା ସେମିତି ନିଦରୁ ଉଠି ନିଜ କାମ ସାରିବା, ଭଲ ପିନ୍ଧିବା, ପ୍ରଥମେ ନିଜର ପାଠ ସାରି ତା’ ପରେ ଅନ୍ୟମାନଙ୍କ କଥା ବୁଝିବା, ଘର କାମରେ ସାହାଯ୍ୟ କରିବା ସହ ସାଙ୍ଗମାନଙ୍କ ସହ ସୋସିଆଲ୍ ମିଡିଆରେ କଥାବାର୍ତ୍ତା ଓ ଆଲୋଚନା କରି ଯେଉଁମାନେ ଚଳୁଛନ୍ତି, ସେମାନେ ଅପେକ୍ଷାକୃତ ଖୁସିରେ ଅଛନ୍ତି। ବହୁତ ଛାତ୍ର ଅନଲାଇନ୍‌ କୋର୍ସ ନେଇ ନିଜର ଦକ୍ଷତା ବଢ଼ାଉଛନ୍ତି ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଯିଏ ସ୍ପୋର୍ଟସରେ ମିଶିଛି ସେ ସବୁଦିନ ପ୍ରାକ୍ଟିସ୍ କରୁଛି ବିଭିନ୍ନ ଖେଳ କୌଶଳ। ଯିଏ ଗୀତ ବୋଲେ, ଗୀଟାର୍ ବଜାଏ, ସେମାନେ ସମସ୍ତେ ନିଜର ସାଧନାରେ ଅବହେଳା ନ କରି ଯାହା କରିବା ସମ୍ଭବ କରୁଛନ୍ତି। ଏମାନେ ବୋର୍ ହେଉନାହାନ୍ତି।

କେଉଁଠି ରହିଛି ଦୁଶ୍ଚିନ୍ତାର କାରଣ?

ଅନ୍ୟପକ୍ଷରେ, ଯେଉଁମାନେ ସୋସିଆଲ୍ ମିଡିଆରେ ଦିନଯାକ କ’ଣ ବାହାରିଛି ମିନିଟ୍‌କୁ ମିନିଟ୍ ଦେଖୁଛନ୍ତି, ବିଭିନ୍ନ ପ୍ରକାରର ଗୁଜବ ଶୁଣୁଛନ୍ତି ଓ ଫେସବୁକ୍‌ରେ ଅନ୍ୟମାନଙ୍କର ସଫଳ ଜୀବନର ଛବି ଦେଖି ନିଜକୁ ହତଭାଗ୍ୟ ଓ ଦୁଃଖୀ ବୋଲି ଭାବୁଛନ୍ତି, ସେମାନେ ମନଦୁଃଖରେ ଘାରି ହେଉଛନ୍ତି। ପ୍ରତିଯୋଗିତାମୂଳକ ସମାଜରେ ନିଜର ଅଜାଣତରେ ମନରେ ପରଶ୍ରୀକାତରତା ଭାବ ବଢ଼େ। ନିଜକୁ ନ୍ୟୁନ ଲାଗେ। ଏଥିପାଇଁ କେବଳ ନିଜର ଦକ୍ଷତା ବଢ଼େଇଲେ ଓ ଅନ୍ୟମାନଙ୍କୁ ପଛରେ ରଖି ନିଜେ ଆଗକୁ ବଢ଼ିଲେ ମନର ଦକ କମିବ ନାହିଁ। କାରଣ ସବୁବେଳେ ଆଉଜଣେ ମୋ ଆଗକୁ ଚାଲି ଆସିବ ଭାବି ମନ ଦକ ଦକ ହେବ। ତେଣୁ ନିଜର ଆତ୍ମସତ୍ତାକୁ ବଳିଷ୍ଠ କରିବା ପାଇଁ ସଚେଷ୍ଟ ହେବାକୁ ପଡ଼ିବ। ନିଜକୁ ଅନ୍ୟଠାରୁ କମ୍ ବୋଲି ଭାବିଲେ ମନର ହୀନଭାବ ବଢ଼େ।

ଅଥଚ ନିଜ ଜୀବନରେ ଯେଉଁ ସୁଖ ଓ ପ୍ରୀତି ପାଇଛ, ଯିଏ ତୁମର ଶୁଭ ମନାସିଛନ୍ତି ଯିଏ ସାହାଯ୍ୟ କରିଛନ୍ତି, ସେମାନଙ୍କ କଥା ଭାବିଲେ ମନରେ ଆନନ୍ଦ ଉଜ୍ଜ୍ୱଳ ଭାବ ବଢ଼େ। ସେହିପରି ସୂର୍ଯ୍ୟୋଦୟର ବହୁ ରଙ୍ଗରେ ରଞ୍ଜିତ ଆକାଶ, ନୀଳ ପର୍ବତ, ଶ୍ୟାମଳ ଶସ୍ୟ କ୍ଷେତ୍ର ପରି ପ୍ରାକୃତିକ, ସୌନ୍ଦର୍ଯ୍ୟ ଆମକୁ ଘେରିଥିଲେ ମଧ୍ୟ ଆମେ ମନଦେଇ ଅନେଇ ଦେଖୁନା। ପ୍ରକୃତିର ସୌନ୍ଦର୍ଯ୍ୟ ମଣିଷର ବ୍ୟସ୍ତ ମନକୁ ବିଶ୍ରାମ ଦିଏ। ସନ୍ତାପିତ ମନକୁ ଶୀତଳ କରେ। ତେଣୁ କୋଭିଡ୍ ଯୋଗୁ ଆଶଙ୍କିତ, ଭୟଭୀତ ମନକୁ ବଳିଷ୍ଠ କରିବା ପାଇଁ ଦେହର ତଥା ମନର ଯତ୍ନ ଓ ଆତ୍ମାର ଶାନ୍ତି ପାଇଁ ନିଜକୁ ନିଜେ ସଚେଷ୍ଟ ନ କଲେ ନିଜର ସୁରକ୍ଷା କେମିତି ସମ୍ଭବ ହେବ?

ଗତ ଦୁଇମାସ ହେଲା ଆତ୍ମୀୟ ଓ ସାଙ୍ଗମାନଙ୍କର କ୍ରମାନ୍ୱୟରେ ମୃତ୍ୟୁ ସମ୍ବାଦ ଶୁଣି ଶୁଣି ମୋର ମନ ପେଶି ହେଇଗଲା ପରି ଲାଗୁଛି। ଭଜନ ପ୍ରାର୍ଥନା ଶୁଣିଲେ ଓ ଶାସ୍ତ୍ର ପୁରାଣ ପଢ଼ିଲେ ସୁଦ୍ଧା ମନ ଅଥୟ ହେଉଛି। ମୋର ଜଣେ ସାଙ୍ଗ କୋଭିଡ୍ ପରୀକ୍ଷାର ରେଜଲ୍ଟ ଭୁଲ ହେଇଥିବାରୁ ମ୍ୟାଲେରିଆ ଜ୍ୱର ଭାବି ତା’ର କୋଭିଡ୍ ପାଇଁ ଚିକିତ୍ସା ହେଉ ନଥିଲା। ତା’ର ଅକାଳ ମୃତ୍ୟୁ ଯୋଗୁ ମୋ ମନରେ ଯେତିକି ଦୁଃଖ ସେତିକି ରାଗ ବଢୁଛି। ମୁଁ ଧୈର୍ଯ୍ୟ ହରାଉଛି। ସବୁବେଳେ ତା’ର ମୃତ୍ୟୁ କଥା ସମସ୍ତଙ୍କୁ କହୁଛି। ନିଜକୁ ବନ୍ଦ କରିପାରୁନାହିଁ?

ଉତ୍ତର: ଅଳ୍ପ ସମୟ ଭିତରେ ଗୋଟାଏ ପରେ ଗୋଟାଏ ମର୍ମାନ୍ତକ ଘଟଣା ଘଟିଲେ, ମନରେ ଦାରୁଣ ଆଘାତ ଲାଗେ। ଚିକିତ୍ସା ଶାସ୍ତ୍ରରେ ଏଭଳି ଅବସ୍ଥାକୁ ‘ଟ୍ରମା’ କୁହନ୍ତି। ମନର ଟ୍ରମା ଆମ ବ୍ରେନ୍‌କୁ ପ୍ରଭାବିତ କରେ। ଫଳରେ ବ୍ରେନ୍‌ର କ୍ରିୟା ପ୍ରକ୍ରିୟା ସୁରୁଖୁରରେ ହୋଇପାରେ ନାହିଁ। ଏଇ ଅବସ୍ଥାରେ ଡାକ୍ତରୀ ବା ଆୟୁର୍ବେଦିକ ଚିକିତ୍ସାରେ ଉପକାର ମିଳେ। ପ୍ରାଚୀନ ଚରକ ସଂହିତାରେ ବିଷାଦଗ୍ରସ୍ତ ମନକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଚିକିତ୍ସାର ବିଧାନ ଅଛି। ଦୁଃଖ ଶୋକ ମଣିଷ ଜୀବନର ନିର୍ଦ୍ଧାରିତ ଅନୁଭୂତି। ତେଣୁ ଦେହ ଓ ମନର ଆରୋଗ୍ୟର ବ୍ୟବସ୍ଥା ଆମ ଦେଶରେ ପ୍ରାଚୀନ କାଳରୁ ଆଲୋଚିତ ହୋଇଛି। ନିଜର ଭାବିବା ଓ ଚିନ୍ତା କରିବାର କ୍ଷମତା ସ୍ୱାଭାବିକ ହେଲେ ଆପଣ ଭଜନ ସପକ୍ଷରେ ମର୍ମାର୍ଥ ହୃଦୟଙ୍ଗମ କରିପାରିବେ ଓ ଶାସ୍ତ୍ର ପୁରାଣର ଉପଦେଶରୁ ସାନ୍ତ୍ୱନା ପାଇବେ। ବର୍ତ୍ତମାନ ମନର ଯନ୍ତ୍ରଣା ପ୍ରଖର ଓ ତୀବ୍ର ହେଇଥିଲାରୁ କୌଣସି ପ୍ରକାରର ସାନ୍ତ୍ୱନା ଓ ତତ୍ତ୍ୱକଥା ମନରେ ରେଖା ପକାଉନାହିଁ।

ଟ୍ରମାର ପ୍ରଭାବ ଦୀର୍ଘଦିନ ଧରି ଲାଗି ରୁହେ। ଶାରୀରିକ ଗୋଳମାଳ ଯଥା ଖାଇବାରେ ନିସ୍ପୃହତା, ଅନିଦ୍ରା ସବୁବେଳେ କାନ୍ଦ ଲାଗିବା, ଥୟ ହେଇ କୌଣସି ବିଷୟରେ ମନ ଦେଇ ନ ପାରିବା, ସବୁବେଳେ ବିଛଣାରେ ପଡ଼ିରହିବା କିମ୍ବା ଅଥୟ ଲାଗିଲାରୁ ଅଧିକାଂଶ ସମୟରେ ଚାଲିବା ଇତ୍ୟାଦି ପ୍ରାୟ ଛଅ ସପ୍ତାହ ପରେ ବହୁତ କମିଯାଏ।

ଏପରି ଥାଏ ମନର ଦୁଶ୍ଚିନ୍ତା

ଦୁର୍ଘଟଣାର ଭୟ, ରୋଗ ହେଲେ ଭଲ ନ ହେବା ଭୟ, ନିଜ ସନ୍ତାନ ବା ଘରର ଅନ୍ୟ ପିଲାମାନଙ୍କର ଅକାଳ ମୃତ୍ୟୁର ଭୟ ପରି ବହୁ ପ୍ରକାରର ଭୟ ଓ ଭବିଷ୍ୟତର ଅନିଶ୍ଚିତତା ଯୋଗୁ ମନରେ ଆର୍ଥିକ ଦୁଶ୍ଚିନ୍ତା, ପାରିବାରିକ ଜୀବନରେ ଅନର୍ଥ ଘଟିବାର ଦୁଶ୍ଚିନ୍ତା, କର୍ମସ୍ଥଳରେ କୌଣସି ଅଜଣା ଦୁଃସମ୍ବାଦ ଆସିପାରେ ବୋଲି ଆଶଙ୍କା ମନରେ ଲାଗି ରୁହେ। ଫଳରେ ମନର ସ୍ଥିତି ଦୋହଲିଯାଏ। ମନର ଚିନ୍ତାଧାରା ବଦଳିଯାଏ। ସାଙ୍ଗମାନଙ୍କର ସୁଖସ୍ମୃତି ବର୍ତ୍ତମାନ ସେମାନଙ୍କର ଅଭାବ ଅନୁଭବ କରି ଦୁଃଖସ୍ମୃତି ହେଇଯାଏ। ଯିଏ ବାରବ୍ରତ କରି ମନ୍ଦିର ଯାଇ ସମସ୍ତଙ୍କର ମଙ୍ଗଳ ମନାସି ମନରେ ଆଶ୍ୱାସନା ପାଉଥିଲା ତା’ର ବର୍ତ୍ତମାନ ଧର୍ମକର୍ମରେ ଅବିଶ୍ୱାସ ଆସିଲାରୁ ତା’ର ମନକୁ ଆଶ୍ୱସ୍ତ କରିବା ଓ ଶାନ୍ତ କରିବାର ଉପାୟ ଦୁର୍ବଳ ହୋଇଗଲା।

କାଉନସେଲିଂର ସାହାଯ୍ୟ ନେଲେ ଉପକାର ମିଳେ

ତେଣୁ ଯିଏ ଦାରୁଣ ମାନସିକ ଆଘାତ ପାଇଛି, ତା’ର ମଝିରେ ମଝିରେ କାଉନସେିଲଂର ସାହାଯ୍ୟ ନେଲେ ଉପକାର ହୁଏ। କାରଣ ସମସ୍ତଙ୍କୁ ନିଜର ମନକଥା କହିହୁଏ ନାହିଁ। ପୁଣି ଅନେକ ସମୟରେ ନିଜର କେଉଁଭଳି ସାହାଯ୍ୟ ଦରକାର ସେକଥା ନିଜକୁ ଜଣା ନ ଥାଏ। ତେଣୁ କାଉନସେଲର ସହିତ କଥାବାର୍ତ୍ତା ହେଲାବେଳେ କାହିଁକି ମନ ବିଚଳିତ ହେଉଛି ସେକଥା ହଠାତ୍ ଜଣାପଡ଼େ।

ବିଶେଷରେ ଅତୀତ ଜୀବନର ଦୁଃଖସ୍ମୃତି ସବୁବେଳେ ବର୍ତ୍ତମାନ ସମୟର ମାନସିକ ଆଘାତର ଯନ୍ତ୍ରଣାକୁ ବଢ଼ାଏ। ଉଦାହରଣ, ଯାହାର ପଢୁଥିବା ସମୟରେ ମା’ ଚାଲିଯିବାରୁ ମାଆକୁ ଶେଷଥର ପାଇଁ ଦେଖିପାରି ନଥିଲା, ବର୍ତ୍ତମାନ ସେମିତି ଦୂରରେ ଥାଇ ଘନିଷ୍ଠ ବନ୍ଧୁର ମୃତ୍ୟୁସମ୍ବାଦ ଶୁଣିଲାରୁ ତା’ର ପୁରୁଣା କଥା ମନକୁ ବେଶୀ ବ୍ୟଥିତ କରୁଛି। ଭଙ୍ଗାହାତ ଯୋଡ଼ି ହେଇ ଯାଇଛି, ତଥାପି ଜଖମ ଜାଗାରେ ବାଜିଲେ ଯେମିତି ବେଶୀ କାଟେ, ମନ ମଧ୍ୟ ସେମିତି ଅଧିକା ବ୍ୟଥିତ ହୋଇଥାଏ।

ଘରଲୋକଙ୍କୁ ଚାକିରି ହରାଇବାର ସମ୍ଭାବନା, ଆର୍ଥିକ ଦୁଶ୍ଚିନ୍ତା କିମ୍ବା ନିଜର ଗୋପନୀୟ ରୋଗ ହେଲେ କହି ହୁଏ ନାହିଁ, କାରଣ ସେମାନେ ଅଧିକ ଚିନ୍ତିତ ହେବେ। ମାତ୍ର କାଉନସେଲର ଏସବୁ ଶୁଣି ନିର୍ଲିପ୍ତ ଭାବରେ ବିଚାର ବିବେଚନା କରିବାକୁ ସାହାଯ୍ୟ କରିବ। ତେଣୁ ନିଜର ମନ କ୍ଲିଷ୍ଟ ହେଲେ, ବ୍ୟଥିତ ବା ବିଚଳିତ ହେଲେ ଆମେ ସମସ୍ତେ ବିଶ୍ୱାସୀ ଲୋକ ସହିତ ପରାମର୍ଶ କରିଥାଉ। ବର୍ତ୍ତମାନ ଯୁଗରେ ଅନେକ ଲୋକ ନିଜ ଜାଗାରେ ବେଶି ଦିନ ନ ରହି ଅନ୍ୟ ଜାଗାକୁ ଯାଉଥିବାରୁ ପରାମର୍ଶକାରୀ ଲୋକଙ୍କର ମାଗଣା ସାହାଯ୍ୟ ପାଇପାରୁନାହାନ୍ତି। ତେଣୁ ତାଲିମ୍‌ପ୍ରାପ୍ତ କାଉନସେଲରଙ୍କ ସାହାଯ୍ୟ ଦରକାର ହେଉଛି।

ନିଜେ କ’ଣ କରିହେବ?

ନିଜେ ନିଜର ମାନସିକ ଚାପ କମାଇବା ଲାଗି ପ୍ରଥମେ ଦେହ ଓ ମନ ହାଲୁକା କରିବାର ବ୍ୟବସ୍ଥା କରିବେ। ପ୍ରଥମେ ଦେହ କଥା, ଖଟରେ ପଡ଼ି ନ ରହି ଯେ କୌଣସି ଶାରୀରିକ ପରିଶ୍ରମ ହେଲା ପରି କାମ କରିବେ। ଘରକାମ, ବାହାର କାମ, ବଗିଚା କାମ, ଅନ୍ତତଃ ଦୁଇ କିଲୋମିଟର ଚାଲିବା, ବିଶେଷତଃ ନଈକୂଳ, ଗଛପତ୍ର ଧାନକ୍ଷେତ, ପାହାଡ଼ ଇତ୍ୟାଦି ଥିବା ଜାଗାରେ ଚାଲିଲେ ଓ ବୁଲିଲେ ମନ ଶାନ୍ତ ହୁଏ।

ମନର ସ୍ଥିତି ଫେରାଇ ଆଣିବାର ଗୋଟାଏ ବଡ଼ ଉପାୟ ହେଲା ମନର ଭାର କମାଇବା। ରାତିରେ ଯେଉଁ ଦୁଃସ୍ୱପ୍ନ ବାରମ୍ବାର ଦେଖୁଛନ୍ତି, ଯେଉଁ ଚିନ୍ତା ମନକୁ ଗୁଡ଼େଇ ତୁଡ଼େଇ ହେଇ ଆସୁଛି ଓ ନିଜେ ସେ ଚିନ୍ତାକୁ ରୋକିପାରୁ ନାହାନ୍ତି, ସେଥିରୁ ମୁକ୍ତି ପାଇବା ପାଇଁ ବିପଶ୍ଚନା ପ୍ରଣାଳୀରେ ଧ୍ୟାନ କରି ନିଜର ଅଣାୟତ୍ତ ମନକୁ ଆୟତ୍ତ କରିବା ସମ୍ଭବ। ସେହିପରି ପ୍ରାଣାୟମର ଅଭ୍ୟାସ କର। ନିଜର ଶ୍ୱାସକ୍ରିୟାକୁ ଗଭୀର ଓ ବିଳମ୍ବିତ କରିବାର ପ୍ରଣାଳୀ ଶିଖି ମନକୁ ଶାନ୍ତ କରିବା ସମ୍ଭବ ହୋଇପାରିବ। ଏହାଛଡ଼ା ଘରର କୁକୁର ବିଲେଇ ପରି ପୋଷାପ୍ରାଣୀକୁ ଆଉଁଷି, ପିଲାଙ୍କ ସାଙ୍ଗରେ କଥା କହି ଅନେକ ନିଜ ମନକୁ ଅନ୍ୟ ବିଷୟରେ ଲିପ୍ତ ରଖି ମନକୁ ଶାନ୍ତ କରିପାରିଛନ୍ତି।

(ଶ୍ରୀମତୀ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ। ଦୀର୍ଘବର୍ଷରୁ ସେ କାନାଡ଼ାରେ ରହୁଛନ୍ତି।)

Comment