ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

  • ଲକଡାଉନ୍ ସରିଛି, ହେଲେ ଭାଇରସ୍ ଯାଇନି 
  • ଟିକା ନ ଆସିବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ
  • ଏବେ ବି ଦେଶରେ କିଛି ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁନାହାଁନ୍ତି
  • ପାର୍ବଣ ଋତୁରେ ସତର୍କ ରହିବା ନିହାତି ଜରୁରୀ

“ଲକଡାଉନ୍ ଯାଇଛି ହେଲେ ଭାଇରସ୍ ଏପର୍ଯ୍ୟନ୍ତ ଯାଇନି। ଆମକୁ ଏବେ ବି ସତର୍କ ରହିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଟିକା ନଆସିଛି ଆମକୁ କରୋନା ସହ ଲଢ଼ିବାକୁ ପଡ଼ିବ। ଆଗକୁ ଦେଶରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଦେଶବାସୀ ଅଧିକ ସଚେତନ ରହିବା ଜରୁରୀ। ନଚେତ୍ ସଂକ୍ରମଣ ଆହୁରି ବଢ଼ିଯିବ”, ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଦେଶରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବାବେଳେ ଏହି ସମୟରେ ଦଶହରା, ଇଦ୍, ଛଟପୂଜା, ଦିପାବଳୀ ଆଦି ପାଳନ ହେବାକୁ ଅଛି। ଏହି ସମୟରେ ଯଦି ଦେଶବାସୀ କରୋନା ନିୟମ ନମାନିବେ ତେବେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପାର୍ବଣ ସମୟରେ ସୁରକ୍ଷିତ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ମୋଦୀ କହିଛନ୍ତି ଯେ, କରୋନା ବିରୋଧରେ ଜନତା କର୍ଫ୍ୟୁରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଲୋକମାନେ ଯୁଦ୍ଧ ଲଢ଼ୁଛନ୍ତି। ସମୟ ସହିତ କିଛି କିଛି କଟକଣା କୋହଳ ହୋଇଛି। ହେଲେ ଆମକୁ ଏବେ ବି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ପଡ଼ିବ। କିଛି ଲୋକ ଜାଣିଶୁଣି ନିୟମ ମାନୁନାହାନ୍ତି। ଏହାଦ୍ୱାରା ସେମାନେ ତାଙ୍କ ପରିବାରକୁ କୁ ହିଁ ବିପଦରେ ପକାଉଛନ୍ତି ବୋଲି ମୋଦୀ କହିଛନ୍ତି।

ଏଥିସହ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀକୁ ମୁକାବିଲା କରିବା ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟ ଆଗେଇ ଚାଲିଛି। ତେଣୁ ଟିକା ନଆସିବା ସହିତ ଆମକୁ ଏହି ଭୂତାଣୁ ସହ ଲଢ଼ିବାକୁ ପଡ଼ିବ। ଟିକା ଆସିବା ପରେ ଏହା କିପରି ଦେଶର ସମସ୍ତ ନାଗରିକଙ୍କ ପାଖରେ ପହଞ୍ଚିବ ସେନେଇ ମଧ୍ୟ ସରକାର କାମ ଆରମ୍ଭ କରିସାରିଲେଣି। ହେଲେ ବର୍ତ୍ତମାନ ସତର୍କତା ଅବଲମ୍ବନ କରିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ମୋଦୀ କହିଛନ୍ତି।

ୟୁରୋପୀୟ ଦେଶମାନଙ୍କରେ ସାମାନ୍ୟ ଅସାବଧାନତା ହିଁ କରୋନା ସଂକ୍ରମଣର କାରଣ ପାଲଟିଛି। ହେଲେ ଭାରତରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଅଛି। ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ ପାଖାପାଖି ସାଢ଼େ ୫ ହଜାର ଲୋକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆମେରିକା, ବ୍ରାଜିଲ୍ ଭଳି ଦେଶରେ ଏହି ସଂଖ୍ୟା ୨୫ ହଜାର ଉପରେ ରହିଛି।

ସେହପିର କରୋନା ମୃତ୍ୟୁକୁ ମଧ୍ୟ ନିୟନ୍ତ୍ରଣ କରିବାରେ ଭାରତ ସଫଳ ହୋଇଛି ବୋଲି ମୋଦୀ କହିଛନ୍ତି। ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ ମାତ୍ର ୮୩ ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ହେଲେ ଆମେରିକା, ବ୍ରାଜିଲ, ସ୍ପେନ୍ ଭଳି ଦେଶରେ ଏହି ସଂଖ୍ୟା ପ୍ରତି ୧୦ ଲକ୍ଷରେ ୬ ଶହରୁ ଅଧିକ ରହିଛି। ତେଣୁ ଭାରତରେ ଏହି ସଂକ୍ରମଣର ହାର୍ କମ ରହିବାକୁ ହେଲେ ସମସ୍ତଙ୍କୁ ସଚେତନ ରହିବା ସହିତ ସତର୍କ ରହିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

ମୋଦୀ ଆଜି ଦେଶବାସୀଙ୍କୁ ନିଜର ସମ୍ବୋଧନ ଦେବାପରେ, ଶେଷରେ ନବରାତ୍ରି, ଦଶହରା, ଇଦ୍, ଦିପାବଳୀ, ଛଟପୂଜା ଓ ଗୁରୁନାନକ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି।

Comment