ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ାର କୁନି ଝିଅ ମଧୁଶ୍ମିତା ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି। ଦାଦାର ଚୋରାମଦ ବେପାର ସମ୍ପର୍କରେ ପୋଲିସକୁ କହିଦେଇଥିବାରୁ ନିଜ ଝିଆରୀକୁ ଦାଦା ହତ୍ୟା କରିଥିବା ମଙ୍ଗଳବାର ପୋଲିସ ଆଗରେ ସ୍ଵୀକାର କରିଛି। ଏହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ ଚୋରା ମଦ କାରବାର କରୁଥିବା ସନ୍ଦେହରେ କିଛିଦିନ ତଳେ ଅବକାରୀ ବିଭାଗ କେନ୍ଦ୍ରାପଡ଼ାର ଅଧିକାରୀ ବେହେରାଙ୍କ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ୪ ବର୍ଷର ଝିଆରୀ ମଧୁଶ୍ମିତା ଦାଦା ଲୁଚାଇ ରଖିଥିବା ମଦକୁ ପୋଲିସକୁ ଦେଖାଇଦେଇଥିଲେ। ଏହାପରେ ଅଧିକାରୀକୁ ପୋଲିସ ଗିରଫ କରି ନେଇଥିଲା। କିନ୍ତୁ କିଛିଦିନ ପରେ ଜାମିନରେ ମୁକୁଳିଥିଲା ଅଧିକାରୀ।

ଝିଆରୀ ପାଇଁ ତାର କାରନାମା ଧରାପଡ଼ିଯାଇଥିବାରୁ ତା ଉପରେ ଖୁବ୍ ରାଗି ଯାଇଥିଲା ଦାଦା। ଗତ ୧୮ ତାରିଖରେ ଯେତେବେଳେ ଅଧିକାରୀ ବସି ଛତୁଆ ଖାଉଥିଲା, ମଧୁଶ୍ମିତାର ଗୋଡ଼ ବାଜି ଛତୁଆ କଂସାଟି ଢାଳି ହୋଇଯାଇଥିଲା। ଏହି ଘଟଣା ପରେ ଅଧିକ ରାଗିଯାଇ ଝିଆରୀର କାନମୁଣ୍ଡାରେ ଶକ୍ତ ଚାପୁଡ଼ାଟିଏ ମାରିଥିଲା ଦାଦା। ଏହି ଚାପୁଡାରେ ସଂଜ୍ଞାହୀନ ହୋଇପଡ଼ିଥିଲା ମଧୁଶ୍ମିତା। ଝିଆରୀ ମରିଯାଇଥିବା ଜାଣିବା ପରେ କେହି ଦେଖିବା ଆଗରୁ ତାକୁ ନେଇ ବାଡିପଟ ଧାନକ୍ଷେତ କାଦୁଅରେ ମାଡିଦେଇଥିଲା ନିଷ୍ଠୁର ଦାଦା।

ତେବେ କେମିତି ହତ୍ୟାକାଣ୍ଡ ଘଟିଥିଲା ତାହାକୁ ଏକ ଡେମୋ ଦ୍ଵାରା ମଙ୍ଗଳବାର ପୋଲିସ ଆଗରେ ପ୍ରଦର୍ଶନ କରିଛି ଅଭିଯୁକ୍ତ ଦାଦା ଅଧିକାରୀ ବେହେରା। ଏହାପରେ ପୋଲିସ ତାକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରିବ।

Comment