ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍‌ ଜଗତର ଏମାନେ ବଡ଼ ଚେହେରା। ଆଇପିଏଲ୍‌ ନିଲାମିରେ କୋଟି କୋଟି ଟଙ୍କାରେ ଆସିଥିବା ଏହି ନାମୀ କ୍ରିକେଟର କିନ୍ତୁ ଏଥର ଆଇପିଏଲ୍‌ ୨୦୨୦ ସଂସ୍କରଣରେ ଭଲ ପ୍ରଦର୍ଶନ ଦେବାରେ ଏଯାବତ୍ ଫେଲ୍ ମାରିଛନ୍ତି।

ଆରୋନ ଫିଞ୍ଚ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ସବୁବେଳେ ନିଜ ଟପ୍‌ ଅର୍ଡର ବ୍ୟାଟିଂ ପାଇଁ ସଂଘର୍ଷ କରୁଛି। ସେଥିଲାଗି ୨୦୨୦ ଆଇପିଏଲ୍‌ରେ ଅଷ୍ଟ୍ରେଲୀୟ କ୍ରିକେଟର ଆରୋନ ଫିଞ୍ଚକୁ ନିଲାମି ନେଇଥିଲା ବେଙ୍ଗାଲୁରୁ ଦଳ। କିନ୍ତୁ ଆଇପିଏଲ୍‌ର ଗତ ୯ଟି ମ୍ୟାଚ୍‌ରେ ସେଭଳି ଦମ୍‌ଦାର ପ୍ରଦର୍ଶନ କରିପାରି ନାହାନ୍ତି ଫିଞ୍ଚ। ଏହି ୩୩ ବର୍ଷୀୟ ଖେଳାଳି ଗତ ୯ଟି ମ୍ୟାଚ୍‌ରେ ମାତ୍ର ୨୦୫ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଏକମାତ୍ର ଅର୍ଦ୍ଧଶତକ ତଥା ସର୍ବାଧିକ ସ୍କୋର ଭାବେ ୫୨ ରନ୍ର ଇନିଂସ ରହିଛି। ତାଙ୍କର ବ୍ୟାଟିଂ ବିଫଳତା ପାଇଁ ପାଡିକ୍କଲ, କୋହଲି ଓ ଡିଭିଲିୟର୍ସଙ୍କ ଉପରେ ଚାପ ବଢ଼ିଛି।

ମହେନ୍ଦ୍ର ସିଂ ଧୋନୀ

ଦିନିକିଆ ଓ ଟି-୨୦ କ୍ରିକେଟ ଫର୍ମାଟ୍‌ରେ ବେଷ୍ଟ ଫିନିସର କୁହାଯାଉଥିବା ମହେନ୍ଦ୍ର ସିଂ ଧୋନୀ କିନ୍ତୁ ଚଳିତ ଆଇପିଏଲ୍‌ରେ ଭଲ ବ୍ୟାଟିଂ ପ୍ରଦର୍ଶନ ଦେଇପାରି ନାହାନ୍ତି। ୧୪ ମାସର ବ୍ୟବଧାନ ପରେ ପୁଣି ପ୍ରଫେସନାଲ ଗେମ୍ ଫର୍ମାଟକୁ ଓହ୍ଲାଇଥିବା ଧୋନୀଙ୍କ ବ୍ୟାଟ୍‌ରୁ ଆଇପିଏଲ୍‌ର ସେଭଳି ବଡ଼ ସଟ୍‌ ଦେଖିବାକୁ ପାଉନାହାନ୍ତି କ୍ରିକେଟ୍ ପ୍ରେମୀ। ସ୍ପିନରଙ୍କୁ ଖେଳିବାରେ ହେଉ କି ପେସରଙ୍କୁ ସାମ୍ନା କରିବାରେ ଧୋନୀଙ୍କୁ ସଂଘର୍ଷ କରିବାକୁ ପଡୁଛି। ସେ ନିଜ ପୁରୁଣା ଫର୍ମ ହରାଇଛନ୍ତି। ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ହିସାବରେ ତାଙ୍କର ନିଷ୍ପତ୍ତି ମଧ୍ୟ ତାଙ୍କ ପାଇଁ କିମ୍ବା ଦଳ ପାଇଁ ଆଗ ଭଳି ଆଉ ଭଲ ଯାଉନାହିଁ।

ଗ୍ଲେନ୍ ମାକ୍ସୱେଲ

୨୦୧୪ ଆଇପିଏଲ୍‌ ସଂସ୍କରଣରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମାକ୍ସୱେଲଙ୍କ ପ୍ରଦର୍ଶନ ବଦଳରେ ଫାଇନାଲରେ ପହଞ୍ଚି ପାରିଥିଲା କିଙ୍ଗ୍‌ସ ଇଲେଭେନ ପଞ୍ଜାବ। ସେଥର ମାକ୍ସୱେଲ ବ୍ୟକ୍ତିଗତ ଭାବେ ମୋଟ ୫୫୨ ରନ୍ ସଂଗ୍ରହ କରି ନିଜ ବ୍ୟାଟିଂ ଦକ୍ଷତା ପ୍ରମାଣିତ କରିଥିଲେ। କିନ୍ତୁ ୨୦୨୦ ସଂସ୍କରଣରେ ତାଙ୍କ ବ୍ୟାଟ୍ ଯେପରି ପ୍ରଦର୍ଶନହୀନ ହୋଇପଡ଼ିଛି। ଆଇପିଏଲ୍‌ ୨୦୨୦ର ବିଭିନ୍ନ ମ୍ୟାଚ୍‌ରୁ ସେ ୧, ୫, ୧୩*, ୧୧, ୧୧*, ୭, ୧୦* ଓ ୦ ଏଭଳି ୮ଟି ମ୍ୟାଚ୍‌ରୁ ମୋଟ ୫୮ ରନ୍ ସଂଗ୍ରହ କରିପାରିଛନ୍ତି। ଦଳର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ବସାଇ ତାଙ୍କ ସ୍ଥାନରେ ଏଥର ମାକ୍ସୱେଲଙ୍କୁ ସୁଯୋଗ ଦେଇଥିଲା କିଙ୍ଗ୍‌ସ ଇଲେଭେନ ପଞ୍ଜାବ। କିନ୍ତୁ ତାଙ୍କର ଖରାପ ପ୍ରଦର୍ଶନ ଯୋଗୁ ଦଳର କ୍ୟାପ୍‌ଟେନ କେଏଲ୍‌ ରାହୁଲଙ୍କ ଉପରେ ଚାପ ପଡ଼ିଛି।

ଜୟଦେବ ଉନାଦକଟ

ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଏହି ଦ୍ରୁତ ବୋଲର ପଡ଼ିଆରେ ନିଜ ପ୍ରଦର୍ଶନ ଅପେକ୍ଷା କେବଳ ନିଲାମିରେ ନିଜର ଦାମ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୨୦୧୮ ଆଇପିଏଲ୍‌ରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୧.୫ କୋଟ ଟଙ୍କାରେ କିଣିଥିଲେ ମଧ୍ୟ ସେଥର ତାଙ୍କର ଫର୍ମ ଭଲ ନ ଥିଲା। ୧୫ଟି ମ୍ୟାଚ୍‌ ଖେଳି ସେ ମାତ୍ର ୧୧ଟି ୱିକେଟ୍ ନେଇପାରିଥିଲେ। ସେହିପରି ୨୦୧୯ରେ ୮.୪ କୋଟିର ତାଙ୍କର ନିଲାମି ଯାଇଥିବା ବେଳେ ସେଥର ସେ ମାତ୍ର ୧୦ଟି ୱିକେଟ୍ ନେଇଥିଲେ। ୨୦୨୦ ସଂସ୍କରଣରେ ସେ ମାତ୍ର ୩କୋଟି ନିଲାମରେ ଆସିଥିଲେ ମଧ୍ୟ ଏଯାବତ୍ ତାଙ୍କର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ। ୭ଟି ମ୍ୟାଚ୍‌ରୁ ସେ ମାତ୍ର ୪ଟି ୱିକେଟ୍ ଦଖଲ କରିଛନ୍ତି।

ଆଜିଙ୍କ୍ୟ ରାହାଣେ

ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିସାରିଥିବା ଆଜିଙ୍କ୍ୟ ରାହାଣେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୦ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଖେଳାଇବା ପାଇଁ କିଣିଥିଲା। ୱିକେଟ୍ କିପର ରିଷଭ ପନ୍ତ ଆହତଜନିତ ସମସ୍ୟା ପାଇଁ ଦଳରୁ ବାଦ୍ ପଡ଼ିବା ପରେ ଆଜିଙ୍କ୍ୟଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିଥିଲା। ୩ ନମ୍ବରରେ ଖେଳିବାକୁ ଆସୁଥିବା ରାହାଣେଙ୍କଠାରୁ ଭଲ ସ୍କୋର ଆଶା କରିଥିଲା ଦଳ ଯାହା ତାଙ୍କ ପରବର୍ତ୍ତୀ ବ୍ୟାଟିଂ କ୍ରମରେ ଥିବା ଶ୍ରେୟସ ଆୟର ଓ ମାର୍କସ ଷ୍ଟୋଇନିସଙ୍କୁ ବଡ଼ ଲକ୍ଷ୍ୟ ସ୍ଥାପନ କରିବା ପାଇଁ ସହାୟକ ହୋଇପାରିଥାନ୍ତା। କିନ୍ତୁ ରାହାଣେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷରେ ନିଜ ବ୍ୟକ୍ତିଗତ ସ୍କୋର ଖାତା ଖୋଲିପାରି ନାହାନ୍ତି। ୩ଟି ମ୍ୟାଚ୍‌ରୁ ସେ ମାତ୍ର ୨୫ ରନ୍ ସଂଗ୍ରହ କରିଛନ୍ତି। ଏକଦା ରାଜସ୍ଥାନ ରୟାଲ୍ସ ପାଇଁ ଓପନିଂ କରିବାକୁ ଆସୁଥିବା ରାହାଣେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୩ ନମ୍ବର ବ୍ୟାଟିଂ କ୍ରମରେ ଆସି ବିଫଳ ହୋଇଛନ୍ତି। ଫଳରେ ତାଙ୍କର ସାଥୀ ଖେଳାଳି ଶିଖର ଧୱନଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି।

ଡେଲ ଷ୍ଟେନ୍

ଆଘାନଜନିତ ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ୩୭ ବର୍ଷୀୟ ଡେଲ୍‌ ଷ୍ଟେନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଏଥର ଖେଳୁଛନ୍ତି। ଏକଦା ନିଜ ଇନ୍‌ ସ୍ୱିଙ୍ଗ୍‌ ଓ ବାଉନ୍ସରରେ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଉଥିବା ଏହି ଦ୍ରୁତ ବୋଲର କିନ୍ତୁ ଚଳିତ ଆଇପିଏଲ୍‌ ସଂସ୍କରଣର ୨ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। କିଙ୍ଗ୍‌ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ସେ ୪ ଓଭରରେ ୫୭ ରନ୍ ଦେଇ ଗୋଟିଏ ବି ୱିକେଟ୍ ପାଇନାହାନ୍ତି। ତାଙ୍କର ଏହି ଖରାପ ପ୍ରଦର୍ଶନରୁ ସେ ଆଉ ଗୋଟିଏ ଆଇପିଏଲ୍‌ ସିଜିନ ଖେଳିପାରିବେ କି ନାହିଁ, ସେନେଇ ଆଶଙ୍କା ପ୍ରକାଶ କଲେଣି କ୍ରିକେଟ୍ ପ୍ରେମୀ।

ପ୍ୟାଟ୍‌ କମିନ୍ସ

କୋଲକାତା ନାଇଟ୍ ରାଇଡର୍ସ ପାଇଁ ୧୫.୫ କୋଟି ଟଙ୍କାରେ କିଣା ହେବା ପରେ ଚର୍ଚ୍ଚାରେ ରହିଥିଲେ ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍‌ କମିନ୍ସ। ଚଳିତ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ବୋଲର କୁହାଯାଉଥିବା କମିନ୍ସ ଚଳିତ ଆଇପିଏଲ୍‌ର ୯ଟି ମ୍ୟାଚ୍‌ରୁ ମାତ୍ର ୩ଟି ୱିକେଟ୍ ନେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ସେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ୪୯ ରନ୍ ଦେଇ ସେ ଗୋଟିଏ ବି ୱିକେଟ୍ ପାଇ ନ ଥିଲେ।

ଆନ୍ଦ୍ରେ ରସେଲ ଓ ସୁନୀଲ ନାରିନ

ଆଇପିଏଲ୍‌ ଫ୍ରାଞ୍ଚାଇଜଗୁଡ଼ିକ ପାଇଁ ଏଥର ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି ଆନ୍ଦ୍ରେ ରସେଲ ଓ ସୁନୀଲ ନାରିନଙ୍କ ଭଳି ଷ୍ଟାର କ୍ରିକେଟର। ରସେଲଙ୍କ ବ୍ୟାଟିଂ ବିଫଳତା ଯୋଗୁ ଇଆନ ମୋର୍ଗାନ ଓ ଦିନେଶ କାର୍ତ୍ତିକଙ୍କ ଉପରେ ଚାପ ବଢ଼ିଛି। ୨୦୧୪ରୁ ଫ୍ରାଞ୍ଚାଇଜଙ୍କ ପାଇଁ ପସନ୍ଦର ଖେଳାଳି ଥିବା ସୁନୀଲ ନାରିନ ଚଳିତ ସଂସ୍କରଣରେ ଉଭୟ ବଲ୍‌ ଓ ବ୍ୟାଟ୍‌ରେ ବିଫଳ ହୋଇଛନ୍ତି।

୨୦୧୭ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଇନିଂସ ଓପନ କରିବାକୁ ଆସୁଥିବା ସୁନୀଲଙ୍କ ଗତ ତିନୋଟି ସିଜନରେ ଚମତ୍କାର ପ୍ରଦର୍ଶନ ରହିଥିଲା। ତାଙ୍କ ବ୍ୟାଟିଂ ଷ୍ଟ୍ରାଇକ ରେଟ୍ ୧୭୨.୩୦, ୨୦୧୮ରେ ୧୮୯.୮୯ ଓ ୨୦୧୯ରେ ୧୬୬.୨୭ ପ୍ରତିଶତ ରହିଥିଲା। ତେବେ ଏଥର ଦ୍ରୁତ ବୋଲରମାନେ ତାଙ୍କର ଦୁର୍ବଳତାଟିକୁ ଖୋଜି ପାଇବା ପରେ ସେହିଭଳି ବୋଲିଂ କରି ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଛନ୍ତି। ୬ଟି ମ୍ୟାଚ୍‌ରୁ ସେ ମାତ୍ର ୪୪ ରନ୍ ସଂଗ୍ରହ କରିଛନ୍ତି।

Comment