ଓଡ଼ିଶାଲାଇଭ୍ ବ୍ୟୁରୋ 

ପ୍ରତିବର୍ଷ ଦଶହରାରେ ମା’ଦୁର୍ଗାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଦୀର୍ଘ ବର୍ଷର ଏହି ଦର୍ଶନ ପରମ୍ପରା ବଦଳି ଯାଇଛି। ସୋସିଆଲ ମିଡିଆ ଲାଇଭ୍‌ରେ ଘରେ ବସି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

କରୋନା ଯୋଗୁଁ ଏବର୍ଷ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଥର ପରଦା ଢାଙ୍କି ଦୁର୍ଗା ପୂଜା ଆୟୋଜନ କରାଯାଉଛି। ଅର୍ଥାତ୍ ଦେବୀ ଦୁର୍ଗାଙ୍କ ଦର୍ଶନ ସର୍ବସାଧାରଣଙ୍କ ପାଇଁ ସମ୍ଭବ ହେଉନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ବିଷାଦ ଦେଖାଯାଇଛି। ଅନ୍ୟପକ୍ଷରେ ଏହାର ବିକଳ୍ପ ବ୍ୟବସ୍ଥା ଦିଗରେ ଚିନ୍ତା କରିଛନ୍ତି ଅନେକ ପୂଜା କମିଟି। ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ପୂଜାର ସମସ୍ତ ଦିନକୁ ଲାଇଭ୍ ଦେଖାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯାହାଦ୍ଵାରା ଶ୍ରଦ୍ଧାଳୁମାନେ ଘରେ ବସି ମୋବାଇଲ୍ ସହାୟତାରେ ଫେସବୁକ୍, ୟୁଟ୍ୟୁବ୍‌ରେ ଦେଖିବାକୁ ସୁଯୋଗ ପାଇବେ।

କଟକ ଦଶହରାର ସ୍ୱତନ୍ତ୍ରତା ରହିଛି। ଷଷ୍ଠୀ ଠାରୁ ଆରମ୍ଭ କରି ଦଶମୀ ପୂଜା ପର୍ଯ୍ୟନ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯାଏ। ବ୍ରତଧାରୀମାନେ ମଣ୍ଡପ ଯାଇ ଦେବୀଙ୍କୁ ଦର୍ଶନ କରିବା ସହ ଭୋଗ ଲାଗି କରାନ୍ତି। ବିଶେଷ କରି ଅଷ୍ଟମୀ ଏବଂ ଦଶମୀ ଦିନ ବ୍ରତଧାରୀଙ୍କ ଭିଡ଼ ହୁଏ। ଏହାଛଡ଼ା ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସାଧାରଣ ଲୋକେ ମଣ୍ଡପ ଆସି ମା’ଙ୍କ ଦର୍ଶନ ଲାଭ କରନ୍ତି।

କିନ୍ତୁ ଏଥର କରୋନା ପାଇଁ ସବୁ ବନ୍ଦ। ଅର୍ଥାତ୍ ନା ବ୍ରତଧାରୀ ମଣ୍ଡପ ଯାଇପାରିବେ ନା’ ସର୍ବସାଧାରଣଙ୍କ ଲାଗି ଦର୍ଶନ ସୁଯୋଗ ରହିଛି। ମଣ୍ଡପରେ ଚାରି ପଟରୁ ପରଦା ପଡି ଭିତରେ ଦେବୀ ଦୁର୍ଗାଙ୍କ ଉପାସନା କରାଯିବ। ଏମିତିକି କର୍ତ୍ତାଙ୍କୁ ମିଶାଇ ମଣ୍ଡପ ଭିତରେ ମୋଟ୍ ୭ଜଣଙ୍କୁ ଅନୁମତି ରହିଛି। ତେଣୁ ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ହିଁ ଶେଷ ଉପାୟ।ଏଥିପାଇଁ କଟକ ଚଣ୍ଡୀ ରୋଡ଼ ଶେଖବଜାର ପୂଜାକମିଟି ପକ୍ଷରୁ ଫେସବୁକ ଲାଇଭ୍ ମାଧ୍ୟମରେ ଦର୍ଶନର ବ୍ୟବସ୍ଥା କରାଯାଇଥିବା ବେଳେ ତୁଳସୀପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ମଧ୍ୟ ଅନଲାଇନ୍‌ ଜରିଆରେ ଦର୍ଶନର ବ୍ୟବସ୍ଥା କରିଛି।

“ଷଷ୍ଠୀଠାରୁ ଏହି ଲାଇଭ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ଏହାକୁ ଦଶମୀ ପର୍ଯ୍ୟନ୍ତ ଚାଲୁ ରଖାଯିବ। ଘରେ ବସି ମା’ଙ୍କୁ ଦର୍ଶନ କରିବା ପାଇଁ ଫେସବୁକରେ ‘କଟକ ଚଣ୍ଡୀ ରୋଡ଼ ଶେଖବଜାର ପୂଜା କମିଟି’ ପେଜ୍‌କୁ ଯାଇ ଭକ୍ତମାନେ ମା’ଙ୍କୁ ଦର୍ଶନ କରିପାରିବେ”, କହିଛନ୍ତି କଟକ ଚଣ୍ଡୀ ରୋଡ଼ ଶେଖବଜାର ପୂଜାକମିଟିର ସାଧାରଣ ସମ୍ପାଦକ କିଶୋର ବେହେରା।

“ସିଏମ୍‌ଓବି ଭିଡିଓ ଆପ୍ ମାଧ୍ୟମରେ ଘରେ ବସି ଭକ୍ତମାନେ ପୂଜା ମଣ୍ଡପରୁ ମା’ଙ୍କ ଦର୍ଶନ କରିପାରିବେ। ବିଶେଷ କରି ଅଷ୍ଟମୀ ବ୍ରତ ପୂଜାଠାରୁ ଲାଇଭ୍ କରିବାର ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ଦଶମୀ ପର୍ଯ୍ୟନ୍ତ ଚାଲୁ ରଖାଯିବ”, କହିଛନ୍ତି ତୁଳସୀପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ସମ୍ପାଦକ ମାନସ ରଞ୍ଜନ ସାହୁ।କଟକ ଦଶହରାରେ ମେଢ଼ ଦେଖିବା ପାଇଁ ରାସ୍ତାରେ ଅସମ୍ଭାଳ ଭିଡ଼ ହୁଏ। ଭାସାଣି ଶୋଭାଯାତ୍ରା ପାଇଁ ଦୁଇଦିନ କମ୍ପେ ସହର ରାସ୍ତା। ହେଲେ ଚଳିତ ବର୍ଷ ଏଭଳି ଦୃଶ୍ୟ ଦେଖିବାକୁ ମିଳୁ ନାହିଁ। କରୋନା ପାଇଁ ସବୁ ଉପରେ କଟକଣା ଲାଗିଛି। କେବଳ ବିଧି ପରମ୍ପରା ରକ୍ଷା କରିବାକୁ ମଣ୍ଡପକୁ ତିନିପଟୁ ସିଲ୍‌ କରାଯାଇ ନିରାଡମ୍ଵର ଭାବେ ମା’ଙ୍କୁ ପୂଜା କରାଯାଉଛି।

Comment