ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲକୁ ଅଲବିଦା କହୁଛନ୍ତି କି ଧୋନୀ?

ମହେନ୍ଦ୍ର ସିଂହ ଧୋନୀ କ’ଣ ନିଜର ଶେଷ ଆଇପିଏଲ୍ ଖେଳୁଛନ୍ତି ? ଏହି ପ୍ରଶ୍ନର ଉତ୍ତର ଆଜି ସମସ୍ତଙ୍କୁ ଅଜଣା। ହେଲେ ଚଳିତ ଆଇପିଏଲରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଧୋନୀଙ୍କ ଆଇପିଏଲ ଅବସର ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।

ଆଇପିଏଲ୍ ୨୦୨୦ରେ ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ଭେଟାଭେଟି ହୋଇଥିଲେ। ଯେଉଁଥିରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ୍ ହାରିଯାଇଥିଲା। ହେଲେ ଏହି ମ୍ୟାଚ୍ ପରେ ଧୋନୀ ନିଜର ଟି-ସାର୍ଟକୁ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦେବା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଧୋନୀ ଏବେ ଆଇପିଏଲ ଅବସରରୁ ଆଉ ମାତ୍ର କିଛି ମ୍ୟାଚ୍ ଦୂରରେ ଅଛନ୍ତି ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ରଖିଛନ୍ତି। ଯାହାକି ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଛି।

ଏହାପୂର୍ବରୁ ମଧ୍ୟ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଧୋନୀ ସେହି ସମାନ କଥା କରିଥିଲେ। ରାଜସ୍ଥାନ ସହ ମ୍ୟାଚ୍ ଶେଷ ହେବା ପରେ ଧୋନୀ ନିଜର ଟି-ସାର୍ଟକୁ ଇଂଲଣ୍ଡର ୱିକେଟ୍ କିପର ଜୋସ୍ ବଟଲରଙ୍କୁ ଦେଇଥିଲେ। ବଟଲର ରାଜସ୍ଥାନ ପାଇଁ ଆଇପିଏଲ ଖେଳୁଥିବାବେଲେ ସେ ଧୋନୀଙ୍କର ଜଣେ ବଡ଼ ପ୍ରଂଶସକ। ତେଣୁ ଧୋନୀ ନିଜର ଟି-ସାର୍ଟ ବଟଲରଙ୍କୁ ଦେବା ତାଙ୍କର ଅବସର ଚର୍ଚ୍ଚାକୁ ବଢ଼ାଇଦେଇଛି।

ଏହାପୂର୍ବରୁ କୌଣସି ଆଇପିଏଲରେ ଧୋନୀ ଏପରି କରୁନଥିଲେ। ହେଲେ ଚଳିତ ଆଇପିଏଲରେ ସିଏସକେର ପ୍ରଦର୍ଶନ ବେଶ ଖରାପ ରହିଛି। ପ୍ରଥମ ଥର ପାଇଁ ଦଳ ପ୍ଲେ ଅଫ୍ ଯିବାରୁ ବଞ୍ଚିତ ହୋଇଛି। ତେଣୁ ଧୋନୀଙ୍କ ଅବସର କଥା ସାମନାକୁ ଆସିଛି।

ଏହାପୂର୍ବରୁ ଧୋନୀ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଆଇପିଏଲରେ ଖେଳ ଜାରି ରଖିବେ ବୋଲି କହିଥିଲେ। ହେଲେ ଚଳିତ ସିଜିନରେ ଧୋନୀଙ୍କ ନେତୃତ୍ୱାଧୀନ ସିଏସକେ ଆଶାନୁରୂପ ପ୍ରଦର୍ଶନ କରିପାରିନାହିଁ।

Comment