ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅସରାଏ ବର୍ଷା ହେଲେ ଥାନା ସାମ୍ନାରେ ଆଣ୍ଠୁଏ କାଦୁଅ ଆଉ ପୋଲିସ ବାବୁ ଏଠି ହଟହଟା। ଥାନା ଭିତରୁ ବାହାରକୁ ଆସିବାକୁ ହେଲେ ଆଣ୍ଠୁଏ କାଦୁଅରେ ଦେଢ଼ କିଲୋମିଟରରୁ ଅଧିକ ବାଟ ପ୍ୟାଣ୍ଟ ଟେକି ଆସନ୍ତି ପୋଲିସ କର୍ମଚାରୀ। ରାସ୍ତାରେ କାଦୁଅ ଜମି ରହୁଥିବାରୁ ଥାନାକୁ ଯାଇନପାରି ଫାଣ୍ଡିରେ ବସି କାମ କରନ୍ତି ଥାନାବାବୁ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନାରେ।

ଜନବସତିଠାରୁ ଦୂରରେ ନିରୋଳା ଓ ନିକାଞ୍ଚନ ସ୍ଥାନରେ ଅବସ୍ଥିତ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଥାନା। ଥାନା କହିଲେ ଗୋବରୀ ନଦୀ କୂଳରେ ଠିଆ ହୋଇଥିବା ଏକ କୋଠାଘର। ଥାନା ଅଧୀନରେ ରହିଛି ଜମ୍ବୁ, ଖରିନାସୀ, ରାମନଗର, ବତୀଘର, ବଉଳକଣି ଆଉ ପେଟଛେଲା ପଞ୍ଚାୟତ। ପାଖାପାଖି ୭୦ ହଜାର ଜନସଂଖ୍ୟାର ଅଞ୍ଚଳ ସହିତ ସମୁଦ୍ର ଭିତରେ ଅନୁପ୍ରବେଶକୁ ଜଗିଛି ଏହି ଥାନା।କିନ୍ତୁ ଥାନା ଅଫିସର କି କର୍ମଚାରୀଙ୍କ ପାଇଁ ରହିବାକୁ ଜାଗା ନାହିଁ। ଥାନା ଭାରପ୍ରାପ୍ତ ଇନ୍ସପେକ୍ଟର ଥାନାଠାରୁ ୫ କିଲୋମିଟର ଦୂରରେ ଥିବା ରାମନଗର ଫାଣ୍ଡି ନିକଟରେ ଭଡ଼ାଘରେ ରହୁଛନ୍ତି। କେତେକ କର୍ମଚାରୀଙ୍କୁ ଭଡ଼ାଘର ନମିଳିବାରୁ ସେମାନେ ଥାନାରେ ରହୁଛନ୍ତି।

ଏହି ଥାନାକୁ ସଂଯୋଗ କରିଥିବା ଏକ ରାସ୍ତା, ଗୋବରୀ ନଦୀର ଜମ୍ବୁ ଘାଟଠାରୁ ଆରମ୍ଭ ହୋଇଛି। ଗୋବରୀ ନଦୀ ବନ୍ଧରେ ଏହି କଚ୍ଚା ରାସ୍ତା ଖାଲଖମାରେ ପରିପୂର୍ଣ୍ଣ। ବର୍ଷା ହେଲେ ବେହାଲ ହୋଇପଡ଼େ ରାସ୍ତାର ଅବସ୍ଥା। ଥାନାରୁ ଜିପ୍ ବାହାରି ପାରେନା। ଜିପ୍ ବାହାରିଲେ ଗୋବରୀ ନଦୀ ମଧ୍ୟକୁ ଓଲଟି ପଡ଼ିବାର ଭୟ ଥିବାରୁ ଚାଳକ ଗାଡ଼ିକୁ ଥାନାରେ ରଖିବାକୁ ନିରାପଦ ମନେ କରନ୍ତି। ରାସ୍ତା ଅବସ୍ଥା ଭଲ ନଥିବାରୁ ସାଇକେଲଟିଏ ମଧ୍ୟ ଥାନାକୁ ଆସିପାରେନା।

ଏହି ଥାନାରେ ରହୁଥିବା କର୍ମଚାରୀମାନେ ବାହାର ଦୁନିଆ ଦେଖିବାକୁ ହେଲେ ପ୍ୟାଣ୍ଟ ଟେକି ଏକ କିଲୋମିଟର ବାଟ ଚାଲିଚାଲି ଜମ୍ବୁ ଘାଟକୁ ଆସିବାପରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି। ଥାନାବାବୁ ଥାନାକୁ ଆସି ନପାରି ରାମନଗର ଫାଣ୍ଡିରେ ବସି ଥାନା କାମ କରନ୍ତି।ଏହି ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ଵ ଜଳସମ୍ପଦର ତଟବନ୍ଧ ବିଭାଗ ହାତରେ ନ୍ୟସ୍ତ ରହିଛି। ୨୦୧୨ ମସିହାରେ ଥାନା ଉଦ୍‌ଘାଟନ ହେବାପରେ ରାସ୍ତା ତିଆରି ହୋଇଥିଲା। ପ୍ରାୟ ୩-୪ ବର୍ଷ ତଳେ ଏହି ଗୋଟିଏ କିଲୋମିଟର ରାସ୍ତା ମରାମତି ହୋଇ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ରାସ୍ତା ଅଚଳ ହୋଇପଡ଼ିଛି। ଜିଲ୍ଲାର ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ ପ୍ରତି ବିଭାଗୀୟ ଅଧିକାରୀଙ୍କ ଉଦାସୀନତାକୁ ଏହା ଇଙ୍ଗିତ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବର୍ଷା ହେଲେ ଲୋକେ ଥାନାକୁ ଅଭିଯୋଗ ନେଇ ଆସିପାରନ୍ତିନି କି ଲୋକଙ୍କ ପାଖକୁ ଥାନାରୁ ପୋଲିସ ଯାଇପାରନ୍ତିନି। ଏହି ରାସ୍ତାର ଦୂରାବସ୍ଥା ପାଇଁ ଏକ ପ୍ରକାର ଅଚଳ ହୋଇପଡ଼ିଛି ଜମ୍ବୁ ସାମୁଦ୍ରିକ ଥାନା।

ଏହି ରାସ୍ତା ପୁନଃ ନିର୍ମାଣ କରିବାକୁ ପୁଣି ୨୦ ଲକ୍ଷ ଟଙ୍କାର ଟେଣ୍ଡର ଶେଷ ହୋଇଛି। ବର୍ଷା କମିଲେ ରାସ୍ତା ତିଆରି କାମ ଆରମ୍ଭ କରାଯିବ। ଏବେ ଏହି କାଦୁଅ ଓ ଖାଲଖମା ମରାମତି କାମ ତୁରନ୍ତ କରିବାକୁ ବିଭାଗ ଜଣେ ସ୍ଥାନୀୟ ଠିକାଦାରଙ୍କୁ ଦାୟିତ୍ୱ ଦେଇଛି ବୋଲି ତଟବନ୍ଧ ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here