ସରୋଜ କୁମାର ମହାପାତ୍ର

ବାଲେଶ୍ୱର ଏବେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଜିତିବା ପାଇଁ ଚାଲିଛି ଅଙ୍କକଷା।

ସାଧାରଣ ନିର୍ବାଚନର ୧୮ ମାସ ପରେ ଓଡ଼ିଶା ଆଉ ଦୁଇଟି ଉପ-ନିର୍ବାଚନକୁ ସାମ୍ନା କରିଛି। ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଯେଉଁ ବିଗୁଲ ବାଜିଛି ତାକୁ ନେଇ ରାଜନୀତି ପାଣିପାଗ ଏବେ ସରଗରମ ହୋଇ ଉଠିଛି। ଏହି ଦୁଇଟି ଆସନକୁ ହାତେଇବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଅଣ୍ଟା ଭିଡ଼ିଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ତିର୍ତ୍ତୋଲ ଅପେକ୍ଷା ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ବାଲେଶ୍ୱର ଆସନ ଉପରେ ଅଧିକ ଫୋକସ୍‌ କରୁଛନ୍ତି।

ଏହି ଦୁଇ ଦଳର ମାଳମାଳ ନେତା ବାଲେଶ୍ୱରରେ ଡେରା ପକାଇ ପ୍ରଚାର କରୁଛନ୍ତି। ବାଲେଶ୍ୱର ଏବେ ବିଜେଡି ଓ ବିଜେପି ପାଇଁ ଚାଲେଞ୍ଜ ବଢ଼ାଇଛି। ୨୦୧୯ ଭଳି ଏଥର ଏହି ଆସନକୁ ବିଜେପି ନିଜ କବ୍‌ଜାରେ ରଖିବାକୁ ଚାହୁଁଥିବା ବେଳେ ବିଜେଡି ଏହାକୁ ନିଜ ଅକ୍ତିଆରକୁ ଛଡ଼ାଇ ନେବା ପାଇଁ ଜୋରଦାର ଉଦ୍ୟମ କରୁଛି। ବାଲେଶ୍ୱର ପ୍ରଚାର ମଇଦାନରେ ମାଳମାଳ ନେତା

ବାଲେଶ୍ୱର ଦଖଲ କରିବାକୁ ଚାଲିଛି ଜୋରଦାର ଟକ୍କର। ବିଜେପି, ବିଜେଡି ଏବଂ କଂଗ୍ରେସ ସମେତ ସ୍ୱାଧୀନ ଏବଂ ଅନ୍ୟ କିଛି ଦଳର ପ୍ରାର୍ଥୀ ଚଳିତ ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଅସଲ ଲଢ଼େଇ ଚାଲିଛି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଏବଂ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଭିତରେ। ଏହି ଦୁଇ ପ୍ରାର୍ଥୀ ହେଉଛନ୍ତି ସମ୍ପୂର୍ଣ୍ଣ ନୂଆ ଚେହେରା। କଂଗ୍ରେସ ଯଦିଓ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି, ହେଲେ ସେ ଏତେଟା ଭୋଟରଙ୍କ ଉପରେ ପ୍ରଭାବ ପକାଇବାରେ ସମର୍ଥ ହେଉ ନାହାନ୍ତି। ବିଜେପି ଓ ବିଜେଡିର ପ୍ରଚାରରେ ବାଲେଶ୍ୱର ଏବେ କମ୍ପୁଛି।ବିଜେଡିର ବିଧାୟକ, ମନ୍ତ୍ରୀ, ଛାତ୍ର ନେତା, ନିଗମ ଅଧ୍ୟକ୍ଷମାନେ ଭୁବନେଶ୍ୱର ଛାଡ଼ି ବାଲେଶ୍ୱରରେ ଡେରା ପକାଇଛନ୍ତି। ୱାର୍ଡରୁ ୱାର୍ଡ ଏବଂ ଗାଁକୁ ଗାଁ ବୁଲି ନେତାମାନେ ରୋଡ୍‌ ସୋ’, ଡୋର କ୍ୟାମ୍ପେନ ଆଦି କରି ବିଜେଡିକୁ ଜିତାଇବା ଲାଗି ପ୍ରଚାର କରୁଛନ୍ତି।

ଏପଟେ ବିଜେପି ବି ପଛରେ ନାହିଁ। ବିଜେପିର ରାଜ୍ୟ ସ୍ତରୀୟ ନେତୃବୃନ୍ଦ ବାଲେଶ୍ୱରରେ କ୍ୟାମ୍ପ କରିଛନ୍ତି। ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜେ ପ୍ରଚାରର ମଙ୍ଗ ଧରିଛନ୍ତି। ଗାଁ ଗାଁ ବୁଲି ମାନସ ଦତ୍ତଙ୍କ ପାଇଁ ପ୍ରଚାର ଚାଲିଛି। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାଲେଶ୍ୱର ଆସି ପ୍ରଚାର କରିଥିଲେ।ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନେଇ ପ୍ରଚାର କରୁଥିବା ବେଳେ ବିଜେପି ମୋଦୀ ସରକାରଙ୍କ ଲୋକପ୍ରିୟ ଯୋଜନାକୁ ଭୋଟରଙ୍କ ଆଗରେ ଉପସ୍ଥାପନ କରି ଭୋଟ ହାତେଇବାକୁ ଚାହୁଁଛି। ଏହି ଦୁଇ ଦଳର ହାଇଭୋଲଟେଜ ପ୍ରଚାର ଭିତରେ ଭୋଟର କାହା ମୁଣ୍ଡରେ ପାଗ ଭିଡ଼ିବେ ତାହା ନଭେମ୍ବର ୧୦ ତାରିଖରେ ହିଁ ଜଣାପଡ଼ିବ। କାହା ପ୍ରଚାରର ଦମ୍‌ ରହିଲା ତାହା ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ।

କାହିଁକି ବାଲେଶ୍ୱର ଉପରେ ସମସ୍ତଙ୍କ ନଜର?

ତିର୍ତ୍ତୋଲ ଏବଂ ବାଲେଶ୍ୱର ଆସନ ପାଇଁ ଉପନିର୍ବାଜନ ହେଉଛି। ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଏବଂ ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ଯୋଗୁଁ ଏହି ଦୁଇଟି ଆସନରେ ଉପନିର୍ବାଚନ ହେଉଛି। ନଭେମ୍ବର ୩ ତାରିଖରେ ଭୋଟ ହେବାର ଥିବାରୁ ପ୍ରଚାର ଜମି ଚାଲିଛି। ଏହି ଦୁଇଟି ଆସନରେ ପ୍ରମୁଖ ଦଳର ହେଭିୱେଟ ନେତାମାନେ ପ୍ରଚାର କରୁଛନ୍ତି। ହେଲେ ବାଲେଶ୍ୱର ପାଇଁ ଯେତିକି କସରତ ଚାଲିଛି ତାହା ତିର୍ତ୍ତୋଲରେ ଦେଖିବାକୁ ମିଳୁନି। ବାଲେଶ୍ୱର ଉପରେ ଏବେ ସବୁ ଦଳର ନଜର ରହିଛି।ଗତ ୨୦୧୯ ନିର୍ବାଚନରେ ବାଲେଶ୍ୱର ଆସନ ବିଜେପି ଖାତାକୁ ଚାଲି ଯାଇଥିଲା। ସାରା ରାଜ୍ୟରେ ଶଙ୍ଖ ବାଜିଥିବା ବେଳେ ବାଲେଶ୍ୱର ଆସନରେ ପଦ୍ମ ଫୁଟିଥିଲା। ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪ ହଜାର ୮୧୫ ଭୋଟ ପାଇଁ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ପରାଜିତ କରିଥିଲେ। କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା। ଏଠାରକାର ସାଂସଦ ଆସନ ମଧ୍ୟ ବିଜେପି ପୋଛି ନେଇଥିଲା। ପ୍ରତାପ ଷଡ଼ଙ୍ଗୀ ସାଂସଦ ହେବା ପରେ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି।

ନିର୍ବାଚନର ମାତ୍ର ଦେଢ଼ ବର୍ଷ ପରେ ଏଠାକାର ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ହେବାରୁ ଉପନିର୍ବାଚନ ଚାଲିଛି। ବିଜେପି ଅନୁକମ୍ପା ଭୋଟ ପାଇବା ପାଇଁ ମଦନମୋହନଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି। ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ମାନସ ଭୋଟ ମାଗୁଛନ୍ତି। ଗତ ଥର ବିଜେପି ଏହି ଆସନ ହାତେଇଥିବାରୁ ଏଥର କେମିତି ଏହାକୁ ବରାବର ରଖିବ ସେନେଇ ପ୍ରଚାର କରୁଛି। ତେଣୁ ଏହି ଆସନକୁ ହାତଛଡ଼ା କରିବାକୁ ବିଜେପି ଚାହୁଁନି। ଯଦି ଏହି ଆସନଟି ଖସି ଯାଉଛି ତାହାଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପତିଆରା ଓ ସଙ୍ଗଠନ ଉପରେ ମଧ୍ୟ ପ୍ରଶ୍ନବାଚି ଉଠିପାରେ। ଏଣୁ ବିଜେପି ମାନସ ଦତ୍ତଙ୍କୁ ଜିତାଇ ସମ୍ମାନ ରକ୍ଷା କରିବାକୁ ପ୍ରାଣପଣେ ଚେଷ୍ଟା କରୁଛି।ଏପଟେ ବିଜେଡି ବିଜେପିକୁ ଚେକ୍‌ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ମାନସଙ୍କ ବିପକ୍ଷରେ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ ଦେଇ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଗତ ଥର ବିଜେପି ଏଠାରେ ବିଜେଡିର ଗଡ଼ ଭାଙ୍ଗି ଥିବାରୁ ଏଥର ବିଜେଡି ଫୁଲ୍‌ ଦମରେ ମଇଦାନକୁ ଓହ୍ଲାଇଛି। କାଳେ ମାନସଙ୍କ ସପକ୍ଷରେ ଅନୁକମ୍ପା ଭୋଟ ଯିବ ସେଥିପାଇଁ ବାଲେଶ୍ୱରର ପ୍ରତି ୱାର୍ଡରେ ନେତା କ୍ୟାମ୍ପ କରିଛନ୍ତି।

ଏହାଛଡ଼ା ପ୍ରାର୍ଥୀ ଚୟନକୁ ନେଇ ଏଠାରେ ଦଳୀୟ ଅସନ୍ତୋଷ ରହିଥିଲା। ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ସ୍ୱରୂପଙ୍କୁ ଗ୍ରହଣ କାରିବାକୁ ଚାହୁଁ ନଥିଲେ। ଏହାକୁ ନେଇ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା। ଏହି ଅସନ୍ତୋଷକୁ ଚପାଇବା ପାଇଁ ରାଜ୍ୟ ସ୍ତରର ନେତାମାନେ ବାଲେଶ୍ୱରରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି।

Comment