ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ବିଷାକ୍ତ ଭୋଗ ଖାଇବା ଫଳରେ ୪୦ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ବ୍ୟକ୍ତିଙ୍କୁ ଡାଙ୍ଗମାଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ ବାକି ଅସୁସ୍ଥମାନଙ୍କୁ ଗାଁର ପ୍ରାଥମିକ ବିଦ୍ୟାଳୟରେ ରଖାଯାଇ ଚିକିତ୍ସା କରାଯାଉଛଥିବା ସୂଚନା ମିଳିଛି।ଦୁର୍ଗାପୂଜା ସମୟରେ କରୋନା ପାଇଁ ସରକାର କଟକଣା କରିଥିଲେ ମଧ୍ୟ କେତେକ ସ୍ଥାନରେ ଏହା ଠିକ୍‌ଭାବେ ଲୋକେ ମାନୁନଥିବା ଦେଖାଯାଉଛି। ଏହି କ୍ରମରେ ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୃଷ୍ଣନଗର ପଞ୍ଚାୟତରେ ଘଟିଛି ଏହି ଘଟଣା। ଗାଁର ଶିତଳା ଦେବୀଙ୍କ ମନ୍ଦିରରେ ଗାଁର ଲୋକେ ମିଶି ରବିବାର ସନ୍ଧ୍ୟାରେ ମା’ଦୁର୍ଗାଙ୍କ ପାଖରେ ନବମୀ ଭୋଗରାଗ କରିଥିଲେ। ଚୁଡା, କଦଳୀ ଓ ଅନ୍ୟ ଫଳମୂଳକୁ ମିଶାଇ ଏକ ଚକଟା ପଣାଭୋଗ ମା’ଙ୍କ ପାଖରେ ଲଗାଯାଇଥିଲା।ଗାଁର  ଲୋକମାନେ ଠାକୁରାଣୀଙ୍କର ଏହି ପଣା ଭୋଗ ସେବନ କରିଥିଲେ। ଏହାପରେ ସେମାନଙ୍କଠାରେ ଝାଡା, ବାନ୍ତି ଓ ମୁଣ୍ଡ ବୁଲାଇବାର ଲକ୍ଷଣ ଦେଖଯାଇଥିଲା। ସୋମବାର ସକାଳୁ ଖବର ଚାରିଆଡେ ପ୍ରଚାର ହୋଇଯିବା ପରେ ଅସୁସ୍ଥମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ୧୪ ଜଣ ଗୁରୁତରଙ୍କୁ ନିକଟସ୍ଥ ଡାଙ୍ଗମାଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କୁ ସାଲାଇନ୍ ଦିଆଯାଇଛି। ଏହାଛଡା ୧୫ ଜଣଙ୍କୁ ପିଞ୍ଛାପାଟିଆ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇ ଚିକିତ୍ସା କରାଯାଉଛି। କମ୍ ଲକ୍ଷଣ ଥିବା କିଛି ଲୋକଙ୍କୁ ଔଷଧ ଦିଆଯାଇ ଘରକୁ ଛାଡିଦିଆ ଯାଇଛି।

ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଅଧିକାରୀ ଡାକ୍ତର ରଶ୍ମୀରଞ୍ଜନ ମହାନ୍ତିଙ୍କ ନେତୃତ୍ଵରେ ଦୁଇଜଣ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଏହି ଚିକିତ୍ସାରେ ନିୟୋଜିତ ହୋଇଛନ୍ତି। ଡାକ୍ତର ମହାନ୍ତିଙ୍କ କହିବା ଅନୁସାରେ ଏହି ଭୋଗ କୌଣସି କାରଣରୁ ବିଷାକ୍ତ ହୋଇ ଏମାନଙ୍କ ଶରୀରରେ ଫୁଡ୍ ପଏଜନ୍ ହୋଇଛି। ତେବେ ସମସ୍ତ ଆକ୍ରାନ୍ତ ଏବେ ବିପଦମୁକ୍ତ ଥିବା ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି।

Comment