ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଆହତ ଜନିତ ସମସ୍ୟା ପାଇଁ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିସାରିଛନ୍ତି। ଏଥିସହ ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଆଗାମୀ କିଛି ମ୍ୟାଚରେ ମଧ୍ୟ ଖେଳିବେନି। ହେଲେ ସେ ଖୁବଶୀଘ୍ର ଆହତ ଅବସ୍ଥାରୁ ମୁକୁଳି ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି।

ହିଟମ୍ୟାନଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଉପ ଅଧିନାୟକ ପଦ ଦିଆଯାଇଛି। ଦିନିକିଆରେ ସେ ୱିକେଟ୍ କିପର ଦାୟିତ୍ୱ ମଧ୍ୟ ତୁଲାଇବେ। ତେବେ ଆହତ ସମସ୍ୟାରୁ ମୁକୁଳିଲେ ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଦଳ ସହ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳୁଛି।

ଆଇପିଏଲ୍ ଖେଳୁଥିବାବେଳେ ରୋହିତ ଆହତ ହୋଇଛନ୍ତି। ଯେଉଁ କାରଣରୁ ସେ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ବାହାରେ ଅଛନ୍ତି। ତାଙ୍କର ଲଗାତାର ମେଡିକାଲ୍ ଟେଷ୍ଟିଂ ଚାଲିଛି। ତେବେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ବେଳକୁ ସେ ଫିଟ୍ ହୋଇ ଦଳ ସହ ଯୋଗଦେବେ ବୋଲି ଜଣାପଡିଛି।

ଯଦି ରୋହିତ ଆଇପିଏଲରେ ପ୍ଲେ-ଅଫ୍ ମ୍ୟାଚ୍ ଖେଳନ୍ତି, ତେବେ ସେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସାମିଲ ହୋଇପାରନ୍ତି ବୋଲି ବିସିସିଆଇ ସୂତ୍ରରୁ ଖବର ମିଳିଛି। ଯାହାକୁ ନେଇ କ୍ରିକେଟ ଫ୍ୟାନମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।

Comment