ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। କରୋନା କଟକଣା ମଧ୍ୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ବିଭିନ୍ନ ବିଭାଗରେ ଟପ୍ପର ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଚଳିତବର୍ଷ +୩ ଶେଷ ବର୍ଷ ପରୀକ୍ଷାରେ କଲେଜ ଟପ୍ପର ହୋଇଛନ୍ତି ବିନୋଦ କୁମାର ଜେନା। ବିନୋଦ ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ଥିଲେ। ସେ ୯୧.୬ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହେବା ସହ ପଦାର୍ଥ ବିଜ୍ଞାନ ବିଭାଗରେ ମଧ୍ୟ ଟପ୍ପର ହୋଇଛନ୍ତି।ସେହିପରି କଳାରେ ଶିକ୍ଷା ସମ୍ମାନର ଛାତ୍ରୀ ଅସୀମା ପାତ୍ର ଟପ୍ପର ହୋଇଛନ୍ତି। ସେ ୮୩.୬ ପ୍ରତିଶତ ନମ୍ବର ରଖିବା ସହ ଶିକ୍ଷା ସମ୍ମାନ ବିଭାଗରେ ମଧ୍ୟ ଟପ୍ପର ହୋଇଛନ୍ତି। ବାଣିଜ୍ୟ ବିଭାଗରେ ଟପ୍ପର ହୋଇଛନ୍ତି ସୁଧାଂଶୁ ଶେଖର ବରାଳ। ସୁଧାଂଶୁଙ୍କୁ ମୋଟ ନମ୍ବରରୁ ୮୦.୮ ପ୍ରତିଶତ ନମ୍ବର ମିଳିଛି। ସେ ମଧ୍ୟ ତାଙ୍କ ସମ୍ମାନ ବିଭାଗରେ ଟପ୍ପର ହୋଇଛନ୍ତି। ଟପ୍ପର ହୋଇଥିବା ୩ ଛାତ୍ରଛାତ୍ରୀଙ୍କୁ ଏକ ନିରାଡ଼ମ୍ବର ଉତ୍ସବରେ କଲେଜ ଅଧ୍ୟକ୍ଷ ଡକ୍ଟର ତ୍ରିପାଠୀ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି।କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଚଳିତବର୍ଷ କଳାରେ ୯୮ ପ୍ରତିଶତ, ବାଣିଜ୍ୟରେ ୯୭ ପ୍ରତିଶତ ଓ ବିଜ୍ଞାନରେ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୭୯୧ ଜଣ ଛାତ୍ରଛାତ୍ରୀ ଯୁକ୍ତ ତିନି ଶେଷ ବର୍ଷରେ ପାଠପଢୁଥିବା ବେଳେ ୭୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୬୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ୩୬୫ ଜଣ ଛାତ୍ର ଥିବା ବେଳେ ୩୧୭ ଜଣ ଛାତ୍ରୀ ଅଛନ୍ତି। କଲେଜର ମୋଟ ପାସ୍ ହାର ୯୬.୪ ପ୍ରତିଶତ ହୋଇଥିବାରୁ ଅଧ୍ୟକ୍ଷ ଡକ୍ଟର ତ୍ରିପାଠୀ କଲେଜର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Comment