ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଏସ୍‌ସିବିରୁ କୌଣସି କରୋନା ଆକ୍ରାନ୍ତ ଅନ୍ୟତ୍ର ସ୍ଥାନାନ୍ତର ହେବେ ନାହିଁ। ଏସ୍‌ସିବି ଡାକ୍ତରଖାନାରେ ବହୁ ପ୍ରତିକ୍ଷୀତ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଦୁଇଟି ପୃଥକ ସ୍ଥାନରେ କୋଭିଡ୍ ହସ୍ପିଟାଲ ଖୋଲାଯାଇଛି। ଗୋଟିଏ କୋଭିଡ୍ ହସ୍ପିଟାଲ ନୂଆ ମେଡିସିନ ୱାର୍ଡରେ ଖୋଲାଯାଇଥିବା ବେଳେ ଅନ୍ୟଟି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ୍ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଟି ଯାକ କୋଭିଡ୍ ହସ୍ପିଟାଲକୁ ଉଦ୍‌ଘାଟନ କରିଥିଲେ।

ନିୟୁ ମେଡିସିନ୍ ୱାର୍ଡରେ ଉଦ୍‌ଘାଟିତ ହୋଇଥିବା କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଲାଗି ୨ ଶହ ଶଯ୍ୟା ରହିଛି। ଏଥିରେ ୧୬୦ଟି ଶଯ୍ୟା ୱାର୍ଡରେ ରହିଥିବା ବେଳେ ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଆଇସିୟୁରେ ୪୦ଟି ବେଡ୍ ରହିଛି। ସେହିପରି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଖୋଲିଥିବା କୋଭିଡ୍ ହସ୍ପିଟାଲରେ ୩୦ଟି ଶଯ୍ୟା ରହିଛି। ୩୦ ଶଯ୍ୟା ବିଶିଷ୍ଟ ଗାଇନିକ୍ କୋଭିଡ୍ ହସ୍ପିଟାଲରେ ପ୍ରସୂତିମାନଙ୍କ ସୁରକ୍ଷିତ ପ୍ରସବ ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଉଦ୍‌ଘାଟିତ ହୋଇଥିବା କୋଭିଡ୍ ହସ୍ପିଟାଲ ଉଦ୍‌ଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସ, ଏସ୍‌ସିବି କଲେଜ୍ ଅଧ୍ୟକ୍ଷ ପ୍ରଫେସର ଦତ୍ତେଶ୍ୱର ହୋତା, ଇନଚାର୍ଜ ଅଧୀକ୍ଷକ  ପ୍ରଫେସର ଲୁସି ଦାସ, କୋଭିଡ୍ ନୋଡାଲ୍ ଅଫିସର ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, କୋଭିଡ୍ ବୈଷୟିକ ମୁଖପାତ୍ର ତଥା ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀମାନେ ଚିକିତ୍ସା ପାଇଁ ଆସି ଏସ୍‌ସିବି ଡାକ୍ତରଖାନାରେ ପହଞ୍ଚୁଛନ୍ତି। ପରୀକ୍ଷ ନିରୀକ୍ଷା ପରେ ରୋଗୀଙ୍କ ମଧ୍ୟରୁ ଅନେକଙ୍କର କରୋନା ପଜିଟିଭ୍ ବାହାରୁଛି। ସମ୍ପୃକ୍ତ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଅନେକ ବିଭିନ୍ନ ସମୟରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଉଥିବା ବେଳେ ଆଉ କେତେକ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହେଉଥିଲେ। କରୋନା ରୋଗୀ ଏପଟ ସେପଟ ହେବା ମଧ୍ୟରେ ସମ୍ପୃକ୍ତ ରୋଗୀମାନଙ୍କର ଚିକିତ୍ସା ବାଧାପ୍ରାପ୍ତ ହେବା ସହ ଅନେକ ଆକ୍ରାନ୍ତ ଅକାଳରେ ମଧ୍ୟ ଆଖି ବୁଜୁଥିଲେ।ସେହିପରି ଏସ୍‌ସିବି ଡାକ୍ତରଖାନାରୁ କୋଭିଡ୍ ରୋଗୀଙ୍କୁ ଅନ୍ୟ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଆଦି କ୍ଷେତ୍ରରେ ମଧ୍ୟ ବହୁ ସମୟ ଅପବ୍ୟୟ ହେଉଥିଲା। ପ୍ରସବ ପାଇଁ ଆସୁଥିବା ପ୍ରସୂତିମାନଙ୍କ ମଧ୍ୟରୁ କରୋନା ଆକ୍ରାନ୍ତ ପ୍ରସୂତିଙ୍କୁ ନେଇ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି ହେଉଥିଲା। କରୋନା ଆକ୍ରାନ୍ତଙ୍କ ଲାଗି ଆରମ୍ଭରୁ ପୃଥକ ଲେବର ରୁମ୍ କରାଯାଇଥିଲେ ହେଁ  କରୋନା ପଜିଟିଭ୍ ସଂଖ୍ୟା ବଢୁଥିବାରୁ ପ୍ରସବକୁ ନେଇ ସମସ୍ୟା ସୃଷ୍ଟି ହେଉଥିଲା। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏସ୍‌ସିବି ଡାକ୍ତରଖାନାରେ କରୋନା ଆକ୍ରାନ୍ତଙ୍କ ଲାଗି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପାଇଁ ନିଷ୍ପତ୍ତି ନେଇଥିଲେ। କୋଭିଡ୍ ପାଇଁ ପୂର୍ବରୁ ଆଇସୋଲେସନ୍ ୱାର୍ଡରେ ୨୭୦ ଶଯ୍ୟା ରହିଥିଲେ ଫରବର୍ତ୍ତୀ ସମୟରେ ଆଉ ୨୩୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ବେଡ୍ ମିଶି ଏପରି ୫ଶହ ଶଯ୍ୟା ଉପଲବ୍ଧ ପାଇଁ ଅନୁମୋଦନ ମିଳିଥିଲା।

ଅଧିକ ବନ୍ଦୋବସ୍ତ ହୋଇଥିବା ୨୩୦ ଶଯ୍ୟା ମଧ୍ୟରୁ ନିୟୁ ମେଡିସିନ୍ ୱାର୍ଡରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଓ ୩୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଅଧୀନରେ ଥିବା ପ୍ରସବତ୍ତୋର କେନ୍ଦ୍ରରେ ନୂତନ ଭାବେ ଖୋଲାଯାଇଛି। କୋଭିଡ୍ ହସ୍ପିଟାଲକୁ ୩ଟି ୟୁନିଟ୍‌ରେ ବିଭକ୍ତ କରାଯାଇଛି। ପ୍ରଥମ କୋଭିଡ୍ ୟୁନିଟ୍‌ର ମୁଖ୍ୟ ଭାବେ ଆଇସୋଲେସନ୍ ୱାର୍ଡ ଇନ୍‌ଚାର୍ଜ ଦାୟିତ୍ୱରେ ଥିବା ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ ରହିଛନ୍ତି। ସେହିପରି ନିୟୁ ମେଡିସିନ୍ ୱାର୍ଡରେ ଥିବା କୋଭିଡ୍ ହସ୍ପିଟାଲ ତଥା ୨ୟ କୋଭିଡ୍ ୟୁନିଟ୍‌ର ମୁଖ୍ୟ ଭାବେ ପ୍ରଫେସର ଜୟନ୍ତ ପଣ୍ଡା ଏବଂ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ କୋଭିଡ୍ ହସ୍ପିଟାଲର ୩ୟ କୋଭିଡ୍ ୟୁନିଟ୍ର ମୁଖ୍ୟ ଭାବେ ପ୍ରଫେସର ତୁଷାର କର ଦାୟିତ୍ୱରେ ଅଛନ୍ତି।

Comment