ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟିର ‘ପଦ୍ମ ଫୁଲ’ ଚିହ୍ନିତ ମାସ୍କ ପିନ୍ଧି ଭୋଟ୍ ଦେବାକୁ ଯିବା ବିହାରର କୃଷିମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିର୍ବାଚନ ଆଚରଣ ବିଧି ଉଂଲ୍ଲଘନ କରିଥିବାରୁ ତାଙ୍କ ବିରୋଧରେ ଏତଲା ଦାୟର କରିବାକୁ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ନିର୍ଦ୍ଦେଶ ଦେଇଛନ୍ତି।

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି। ଯେଉଁଥିରେ ୭୧ଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟରମାନେ ଭୋଟ ଦେଉଛନ୍ତି। ଏହି କ୍ରମରେ ଗୟା ସହର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଭାବେ ଠିଆ ହୋଇଥିବା ବିହାରର କୃଷି ମନ୍ତ୍ରୀ ପ୍ରେମ କୁମାର ମଧ୍ୟ ଭୋଟ ଦେବାକୁ ଯାଇଥିଲେ। ହେଲେ ଏହି ସମୟରେ ସେ ବିଜେପିର ନିର୍ବାଚନୀ ଚିହ୍ନ ପଦ୍ମଫୁଲ ଥିବା ଏକ ମାସ୍କ ପିନ୍ଧିଥିଲେ। ଏହାକୁ ନେଇ ରିଟର୍ଣ୍ଣିଂ ଅଫିସର ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଂଲ୍ଲଘନ କରିଥିବା ଅଭିଯୋଗ କରିଛନ୍ତି।ଅନ୍ୟପଟେ ତାଙ୍କର ସେଭଳି କୌଣସି ଉଦ୍ଦେଶ୍ୟ ନଥିଲା। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସେ ମାସ୍କ ପିନ୍ଧିଥିଲେ ବୋଲି ବିଜେପି ବିଧାୟକ ପ୍ରାର୍ଥୀ ପ୍ରେମ କୁମାର ସଫେଇ ରଖିଛନ୍ତି।

ଗୟା ସହର ବିଧାନସଭାରୁ ପ୍ରେମ କୁମାର ଲଗାତାର ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥର ମଧ୍ୟ ବିଜେପି ତାଙ୍କୁ ସେହି ଆସନରୁ ପ୍ରାର୍ଥୀ କରିଛି। ହେଲେ ନିଜ ଦଳର ନିର୍ବାଚନୀ ଚିହ୍ନ ଥିବା ମାସ୍କ ପିନ୍ଧି ଭୋଟ ଦେବାକୁ ଯିବା ଏବେ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

Comment