ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାରାଥନ ପ୍ରଚାର ଅଭିଯାନ ଚଳାଇଛନ୍ତି। ପ୍ରଥମେ ଦରଭଙ୍ଗାରେ ମୋଦୀ ନିର୍ବାଚନୀ ରାଲି କରିବା ସହିତ ଏହାପରେ ମୁଜାଫରପୁର ଓ ପାଟଣାରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ ମହାମେଣ୍ଟର ନେତା ତେଜସ୍ୱୀ ଯାଦବଙ୍କୁ ଜୋରଦାର ଟାର୍ଗେଟ କରିବା ସହିତ ତାଙ୍କୁ ‘ଜଙ୍ଗଲରାଜର ଯୁବରାଜ’ ବୋଲି କହିଛନ୍ତି।

ମୋଦୀ ନିର୍ବାଚନୀ ରାଲିରେ ଯୋଗଦେଇ କହିଛନ୍ତି ଯେ, ଏଥର ଏକ ଅସାଧାରଣ ସମୟରେ ବିହାରରେ ନିର୍ବାଚନ ହେଉଛି। କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଅଛନ୍ତି। ତେଣୁ ଏପରି ସମୟରେ ବିହାରରେ ଏକ ସ୍ଥିର ସରକାର ଗଠନ ହେବା ଦରକାର। ସ୍ଥିର ସରକାର ହିଁ ବିହାରର ବିକାଶକୁ ଆଗକୁ ନେଇପାରିବ ବୋଲି ମୋଦୀ କହିଛନ୍ତି।ଏଥିସହ ତେଜସ୍ୱୀ ଯାଦବଙ୍କୁ ଜଙ୍ଗଲରାଜର ଯୁବରାଜ ବୋଲି ଆକ୍ଷେପ କରି ମୋଦୀ କହିଛନ୍ତି ଯେ, ତାଙ୍କର ଟ୍ରାକ୍ ରେକର୍ଡ ଦେଖି ଲୋକମାନେ ତାଙ୍କଠାରୁ କ’ଣ ଆଶା ରଖିବେ? ସେ କେବଳ ପବନରେ ଉଡୁଥିବା କଥାବାର୍ତ୍ତା କରିଜାଣନ୍ତି ବୋଲି ମୋଦୀ କହିଛନ୍ତି।

ଅନ୍ୟପଟେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବିହାରରେ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ରାଲିରେ ସେ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦୀ ସର୍ବଦା ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ବୋଲି ରାହୁଲ କହିଛନ୍ତି। ଏଥିସହ ରୋଜଗାର, କୃଷକ, ପ୍ରବାସୀ ଶ୍ରମିକ ଆଦି ମୁଦ୍ଦାକୁ ନେଇ ରାହୁଲ ମୋଦୀଙ୍କୁ ଟାର୍ଗେଟ କରିବା ସହିତ ମହାମେଣ୍ଟକୁ ଜିତାଇବାକୁ ଅନୁରୋଧ କରିଛନ୍ତି।

କରୋନା ସଙ୍କଟ ଭିତରେ ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି। ଏହାପରେ ନଭେମ୍ବର ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଓ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ହେବ। ଏଥିପାଇଁ ମୋଦୀ ଆଜି ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

Comment