ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଜାଲ୍ ଚାଷୀମାନଙ୍କ ନାମକୁ ଫୁଡ୍ ଓଡ଼ିଶା ପୋର୍ଟାଲ ଓ୍ଵେବସାଇଟରେ ପଞ୍ଜୀକରଣ କରି ଧାନ ବ୍ୟବସାୟ କରୁଥିବା କୃଷି ସମବାୟ ସମିତିର ଜଣେ ସମ୍ପାଦକଙ୍କ କଳାକାରନାମା ଧରାପଡିଛି। ଗୋଟିଏ କି ଦୁଇଟି ଚାଷୀ ନୁହେଁ ମୋଟ୍ ୩୮୬ଜଣ ଜାଲ୍ ଚାଷୀଙ୍କ ନାମରେ ଧାନ ବିକ୍ରି କରୁଥିଲେ ଏହି ଅଧିକାରୀ। ପ୍ରାଥମିକ ତଦନ୍ତ ପରେ ସମ୍ପାଦକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଅପରାଧିକ ମାମଲା ରୁଜୁ କରିବାକୁ ତଦନ୍ତ ଅଧିକାରୀ ସୁପାରିଶ କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ତପନ କୁମାର ସ୍ଵାଇଁ ଧାନ ବ୍ୟବସାୟୀଙ୍କଠାରୁ କମ୍ ଦରରେ ଧାନ କିଣି ସେଗୁଡିକୁ ଜାଲ୍ ଚାଷୀମାନଙ୍କ ନାମରେ ଉଚ୍ଚା ଦରରେ ବିକ୍ରୟ କରୁଥିଲେ। ପ୍ରଥମେ ୩ ଜଣ ଚାଷୀଙ୍କ ନାମରେ ଜାଲ୍ କରାଯାଇଥିବା ଅଭିଯୋଗ ପରେ ତଦନ୍ତ କରାଯାଇଥିଲା। ଏହି ତଦନ୍ତରେ ସମବାୟ ସମିତିର ମୋଟ୍ ୩୮୬ ଜଣ ଜାଲ୍ ଧାନଚାଷୀଙ୍କ ନାମରେ ତପନ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଭୁବନେଶ୍ଵର କୋ ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ସହକାରୀ ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟି ଦାୟିତ୍ଵରେ ଥିବା ମନମୋହନ ରାଉତ ଗତ ୧୯ ତାରିଖରେ ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଏହି ତଦନ୍ତ କରିଛନ୍ତି।

୨୦୨୦-୨୦୨୧ ବର୍ଷରେ ଖରିଫ ଧାନ ବିକ୍ରୟ କରିବାକୁ ଆଗୁଆ ଫୁଡ ଓଡ଼ିଶା ପୋର୍ଟାଲ ଓ୍ଵେବସାଇଟ୍‌ରେ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବାକୁ ସରକାର ତାରିଖ ଧାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ତପନ କୁମାର ସ୍ଵାଇଁ ଏହି ସମବାୟ ସମିତିର ବିଭିନ୍ନ ଗ୍ରାମର ଚାଷୀମାନଙ୍କ ଅଜଣାତରେ ଅନ୍ୟ ପ୍ରାଥମିକ କୃଷି ସମବାୟ ସମିତିର ୩୮୬ଟି ଜାଲ୍ ପଟ୍ଟାକୁ ଏହି ଚାଷୀ ମାନଙ୍କ ନାମରେ ପଞ୍ଜୀକରଣ କରିଛନ୍ତି ବୋଲି ତଦନ୍ତକାରୀ ଅଫିସର ତାଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଉଦ୍ଦେଶ୍ୟ ମୂଳକ ଭାବେ ଏପରି ମିଛ ଚାଷୀମାନଙ୍କ ନାମରେ କଳାବଜାରୀ ଚଳାଇ ଆସୁଥିବା ତପନ କୁମାର ସ୍ଵାଇଁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ ହେବା ଆବଶ୍ୟକ ବୋଲି ତଦନ୍ତକାରୀ ଅଧିକାରୀ ମନମୋହନ ରାଉତ କଟକ ଜିଲ୍ଲା ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟିଙ୍କୁ ସୁପାରିଶ କରିଛନ୍ତି।

ଏ ସମ୍ପର୍କରେ ତପନ କୁମାର ସ୍ଵାଇଁ କହିଛନ୍ତି, କୌଣସି ଭୁଲ୍ କ୍ରମେ ଏମିତି କେତେକ ଚାଷୀଙ୍କ ନାମରେ ବାହାର ଅଞ୍ଚଳର ଚାଷୀଙ୍କ ଜମିବାଡି କମ୍ପୁଟରରେ ଫିଡିଂ ହୋଇ ଯାଇଥିଲା। ସେଥିପାଇଁ ସେଗୁଡିକୁ ସେ କମ୍ପୁଟରରୁ କାଟି ଦେଇଛନ୍ତି। ପୂର୍ବ ବର୍ଷ ମାନଙ୍କରେ ଏମିତି କେତେକ ଜାଲ୍ ଚାଷୀଙ୍କ ନାମରେ ଭୁଲରେ ଧାନ ବିକ୍ରୟ କରାଯାଇଛି ବୋଲି ସେ ସ୍ଵୀକାର କରିଛନ୍ତି।

Comment