ଓଡ଼ିଶା ଲାଇଭ୍ ବ୍ୟୁରୋ

ଗଣେଶପୂଜା, ଦୁର୍ଗାପୂଜା ପରେ ବନ୍ଦ ହେଲା ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । ସ୍ଥିତିକୁ ଦେଖି ଏଥର ବାଲିଯାତ୍ରା ହେବନି ବୋଲି ପୂର୍ବରୁ ଜଣାଥିଲା । କିନ୍ତୁ ଶୁକ୍ରବାର ଆନୁଷ୍ଠାନିକ ଭାବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମେଳା ବନ୍ଦ ନେଇ ସ୍ପଷ୍ଟ କରିଛନ୍ତି ।

୧୯୯୯ ମହାବାତ୍ୟା ସମୟରେ ବାଲିଯାତ୍ରା ବନ୍ଦ ହୋଇଥିଲା । ପ୍ରାୟ ୨୧ବର୍ଷ ପରେ ଏଥର ପୁଣି ଏହି ଐତିହାସିକ ମେଳା ଆୟୋଜନ ଦିଗରେ ବାଟ ଉଗାଳିଛି କରୋନା ମହାମାରୀ । ବାଲିଯାତ୍ରା ନହେବା ଯୋଗୁଁ ହଜାର ହଜାର ବ୍ୟବସାୟୀ ହତାଶ୍ ହୋଇଛନ୍ତି । କେବଳ ବାଲିଯାତ୍ରା ନୁହେଁ, ବରଂ ଧବଳେଶ୍ୱରଙ୍କ ପ୍ରସିଦ୍ଧ ବଡଓଷା ଉତ୍ସବ ଆୟୋଜନ ନେଇ କଟକଣା ଜାରି କରାଯାଇଛି । କୋଭିଡ୍ ଗାଇଡ୍ଲାଇନ୍‌ରେ ବଡ଼ ଓଷାର ସମସ୍ତ ନୀତିକାନ୍ତି ହେବ, କିନ୍ତୁ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ।ବାଲିଯାତ୍ରା କେବଳ ଏକ ସାଧାରଣ ମେଳାରେ ସୀମିତ ନୁହେଁ । ରାଜ୍ୟର ସର୍ବପ୍ରାଚୀନ ତଥା ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟକ  ସାଂସ୍କୃତିକ ମେଳା ଭାବେ ଏହାର ପରିଚିତି ରହିଛି । ପ୍ରାୟ ୫୦ ଏକର ପରିମିତ ଜମିରେ ଆୟୋଜିତ ଏହି ଯାତ୍ରାରେ ଦେଢ ହଜାର ଷ୍ଟଲ୍ ହୋଇଥାଏ । ଏହାଛଡ଼ା ହଜାରରୁ ଅଧିକ ଉଠା ବ୍ୟବସାୟୀ ଆଠ ଦଶଦିନ ଏହି ମେଳାରୁ ବର୍ଷକର ଆହାର ଯୋଗାଡ଼ିବାରେ ସକ୍ଷମ ହୋଇଥାନ୍ତି । ବଡ ବଡ ରାଷ୍ଟ୍ରାୟତ୍ତ କମ୍ପାନିଙ୍କ ଠାରୁ ଆରମ୍ଭ କରି ଭିନ୍ନକ୍ଷମ, କିନ୍ନରଙ୍କ ଭଳି ବିଭିନ୍ନ ବର୍ଗର ବ୍ୟବସାୟୀ ଏକାଠି ହୁଅନ୍ତି । ଦୈନିକ ଲକ୍ଷାଧିକ ଲୋକେ ମେଳା ବୁଲିବାକୁ ଆସନ୍ତି । କିଣାବିକା, ଖିଆପିଆର ଆସର ଜମିଥାଏ ।

ବର୍ଷକୁ ବର୍ଷ ବାଲିଯାତ୍ରାର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ପ୍ରଶାସନ ତରଫରୁ ବାଲିଯାତ୍ରାର କାୟାକୁ ବୃଦ୍ଧି କରାଯାଇଥାଏ । ଏମିତିକି ଗତବର୍ଷ ଅତିରିକ୍ତ ୧୦ଏକର ଜମିକୁ ସମ୍ପ୍ରସାରଣ ହୋଇଥିଲା ମେଳା । ଆଠ ଦିନର ବାଲିଯାତ୍ରା ସରିବା ବେଳକୁ ବାଲିଯାତ୍ରାର ମୋଟ୍ ଆୟ ପ୍ରାୟ ଶହେ କୋଟି ଟପିଯାଏ । କିନ୍ତୁ କରୋନା ପାଇଁ ଏବର୍ଷ ବାଲିଯାତ୍ରା ଆୟୋଜନରୁ ଦୂରେଇଯାଇଛି ଜିଲ୍ଲା ପ୍ରଶାସନ । କେବଳ ବାଲିଯାତ୍ରା ନୁହେଁ ଧବଳେଶ୍ୱରର ପ୍ରସିଦ୍ଧ ବଡ଼ ଓଷା ଆୟୋଜନରେ କଟକଣା ଜାରି କରାଯାଇଛି । କେବଳ ସେବାୟତଙ୍କ ଉପସ୍ଥିତିରେ ବଡ଼ ଓଷାର ସମସ୍ତ ନୀତିକାନ୍ତି ହୋଇପାରିବ । କିନ୍ତୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ଅଙ୍କୁଶ ଲଗାଯାଇଛି ।

ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ, “କରୋନା ମହାମାରୀ ଯୋଗୁଁ ସ୍ଥିତି ସଙ୍କଟାପନ୍ନ ରହିଛି । ତେଣୁ ବାଲିଯାତ୍ରା ଭଳି ସର୍ବବୃହତ ମେଳା ଆୟୋଜନ କରିବା ସମ୍ଭବ ନୁହେଁ । ତେଣୁ ଏଥର ବାଲିଯାତ୍ରା ବନ୍ଦ ହେବା ସହ ଧବଳେଶ୍ୱରଙ୍କ ବଡ଼ ଓଷା ଆୟୋଜନ ନେଇ କଟକଣା ଜାରି କରାଯାଇଛି । କେବଳ ନୀତିକାନ୍ତି ପାଇଁ ଅନୁମତି ପ୍ରଦାନ କରାଯିବ ।”

” ବାଲିଯାତ୍ରା ନହେବା ଫଳରେ ବ୍ୟବସାୟୀ ମାନେ କ୍ଷତି ସହିବେ। ତଥାପି ସଂଙ୍ଘର ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଛନ୍ତି। ଆଗ ଜୀବନ ତାପରେ ଜୀବିକା ନିର୍ବାହ।”, କହିଛନ୍ତି ବାଲିଯାତ୍ରା ବ୍ୟବସାୟୀ ସଂଘର ସମ୍ପାଦକ ସୁକାନ୍ତ ମହାନ୍ତି।

 

Comment