ଓଡ଼ିଶାଲାଇଭ୍ ବ୍ୟୁରୋ

ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ (ଏଆଇଟିୟୁସି)ର ଶହେ ବର୍ଷ ପୁର୍ତ୍ତି ଉପଲକ୍ଷେ ଏହାର କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ଶତବାର୍ଷିକୀ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଶ୍ରମିକ ନେତା ପ୍ରମୋଦ  କୁମାର ମହାନ୍ତି ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଯୂଧିଷ୍ଠିର ରାଉଳଙ୍କ ସଭାପତିତ୍ଵରେ ଶ୍ରମିକ କର୍ମଚାରୀ ଭବନରେ ଏହା ସଭା ଅନୁଷ୍ଠିତ ହୋଇଛି।

ସଭାକୁ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟିର ସହ ସମ୍ପାଦକ ରାମକୃଷ୍ଣ ଦାସ ପ୍ରଥମେ ସମ୍ବୋଧିତ କରିଥିଲେ। ଏହାପରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ସବିଶେଷ ତଥ୍ୟ ଭିତ୍ତିକ ଆଲୋଚନା କରି କହିଥିଲେ ଯେ,”ସ୍ୱାଧୀନତା ସଂଗ୍ରାମର ଅଗ୍ନି ଗର୍ଭରୁ ଭାରତର ପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସି ଜନ୍ମ ନେଇଥିଲା । ଶ୍ରମିକମାନଙ୍କୁ ସଂଗଠିତ କରି ସେମାନଙ୍କ ଦାବି ପୂରଣ ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଯୋଗଦାନ ଏହାର ପ୍ରଥମ ଅଧିବେଶନ ବମ୍ବେର ଏମ୍ପାୟାର୍ ଥିଏଟର୍ ହଲରେ ଅନୁଷ୍ଠିତ ହୋଇଥିଲା ଏବଂ ମହାନ୍ ସ୍ୱାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟ ଏହାର ପ୍ରଥମ ସଭାପତି ହୋଇଥିଲେ। ଏହି ସଂଗଠନର ସଭାପତିତ୍ଵ କରିଥିଲେ ନେହେରୁ, ସୁବାଷ ବୋଷ, ଚିତ୍ତରଞ୍ଜନ ଦାସ, ସରୋଜିନୀ ନାଇଡୁ, ଭି ଭି ଗିରୀ ପ୍ରମୁଖ । ପରବର୍ତ୍ତୀ କାଳରେ ମହାନ୍ ଶ୍ରମିକ ନେତା ଏସ୍ ଏ ଡାଙ୍ଗେ, ଇନ୍ଦ୍ରଜିତ ଗୁପ୍ତ, ଏ ବି ବର୍ଦ୍ଧନ୍ , ଗୁରୁଦାସ୍ ଦାସଗୁପ୍ତ ପ୍ରମୁଖ ଏବଂ ବର୍ତ୍ତମାନ ବିଶିଷ୍ଟ ଶ୍ରମିକ ନେତ୍ରୀ ଅମରଜିତ୍ କୈ।ର୍ ଏହାର ସାଧାରଣ ସମ୍ପାଦକ ଭାବେ ନେତୃତ୍ଵ ଦେଇ ଶ୍ରମିକ ଆନ୍ଦୋଳନକୁ ମଜବୁତ କରିପାରିଛନ୍ତି । ସ୍ୱାଧୀନତା ଆନ୍ଦୋଳନରେ ସର୍ବ ପ୍ରଥମେ ଏଆଇଟିୟୁସି ହିଁ ୧୯୨୧ ମସିହାରେ ପୁର୍ଣ୍ଣ ସ୍ୱରାଜର ପ୍ରସ୍ତାବ ପାସ୍ କରୁଥିଲା ଏବଂ ଜାତୀୟ କଂଗ୍ରେସ ତାର ଆଠ ବର୍ଷ ପରେ ୧୯୨୯ରେ ପୁର୍ଣ୍ଣ ସ୍ୱରାଜର ପ୍ରସ୍ତାବ ଗ୍ରହଣ କରିଥିଲା । ସ୍ୱାଧୀନତା ପରେ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବା ଓ ସମ୍ବିଧାନ ର ସୁରକ୍ଷା ସହ ଶ୍ରମିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଏଆଇଟିୟୁସି ନେତୃତ୍ଵରେ ଶତସହସ୍ର ସଂଗ୍ରାମ ହୋଇଛି ଏବଂ ସମ୍ବିଧାନ ସଭା ଆଇନ ମଧ୍ୟ ତିଆରି କରିଛି । ଦେଶରେ ଆଠ ଘଣ୍ଟାର କାମ ସମୟ, ଫ୍ୟାକ୍ଟ୍ରି ଆଇନ୍, ଶ୍ରମବିବାଦ ଆଇନ୍, ବୋନସ୍ ଆଇନ, ଛୁଟିଦିନ ଘୋଷଣା, ଗ୍ରାଚୁଇଟି ଆଇନ୍ ଆଦି ଅନେକ ଶ୍ରମିକ ସପକ୍ଷବାଦୀ ଆଇନ ଲାଗୁ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଳକାରଖାନାଗୁଡ଼ିକୁ ଅତ୍ୟଧିକ ଯାନ୍ତ୍ରିକକରଣ କରାଯିବା ଫଳରେ ଅତି କମ୍ ଲୋକରେ ବିଶାଳ କଳ କାରଖାନା ଚାଲୁଛି କିନ୍ତୁ ଶ୍ରମିକ କାମ ପାଇଁ ହତାଶ ହୋଇ ମରୁଛି । ନୋଟ୍ ବନ୍ଦୀ ପରେ ଜି ଏସ୍ ଟି କଳକାରଖାନା ବ୍ୟବସାୟ ଉପରେ ପ୍ରଭାବ ପକେଇଥିଲା ଏବଂ ୪୫ ବର୍ଷ ରେ ସର୍ବାଧିକ ବେକାରୀ ସମସ୍ୟା ଉତ୍କଟ କରିଥିବା ବେଳେ ବର୍ତ୍ତମାନ କୋରୋନା ମହାମାରୀ ସମସ୍ୟାକୁ ଅତ୍ୟଧିକ ଉତ୍କଟ କରିଛି । ଚାକିରିର ଗ୍ୟାରେଣ୍ଟି ନାହିଁ । ସମାଜ ଥିଲା ବାଲା ଓ ନଥିଲା ବାଲା ପ୍ରଭେଦ ଢେର ଅଧିକ ବୃଦ୍ଧି ପାଇଛି । କୃଷି ଆଇନ୍ ପାସ୍ କରି କୃଷକର ଅଧିକାର ଛଡାଇନେଇଛି । ଦରଦାମ୍ ହୁ ହୁ ହୋଇ ବଢୁଛି । କଳ କାରଖାନା ବନ୍ଦ । କାମ ଧନ୍ଦା ନାହିଁ। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ଏଆଇଟିୟୁସି ଶ୍ରମିକ ଶ୍ରେଣୀକୁ ସଚେତନ କରାଇ ଆନ୍ଦୋଳନର ଆହ୍ୱାନ ଦେଇଛି ।

ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏକଜୁଟ ହୋଇ ଆସନ୍ତା ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଦିନ ସର୍ବଭାରତୀୟ ସ୍ତରରେ ମୋଦୀ ସରକାରର ଶ୍ରମିକ କୃଷକ ନୀତି ବିରୁଦ୍ଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ କରାଯିବ । ଏଥିପାଇଁ କୋରାପୁଟ ଜିଲ୍ଲାରେ ଆନ୍ଦୋଳନକୁ ସଫଳତାର ସହ ପାଳନ କରିବାକୁ ଦାମନଯୋଡିଠାରେ ଆସନ୍ତା ଆଠ ତାରିଖରେ ମିଳିତ କନଭେନସନ୍ ଆହୁତ ହୋଇଛି । ଜିଲ୍ଲାର ସୁନାବେଡ଼ା, କୋରାପୁଟ ଜୟପୁରଠାରେ ମିଳିତ କନଭେନସନ୍ ଆୟୋଜନ କରିବା ନେଇ ସଭାରେ ନିଷ୍ପତ୍ତି ହୋଇଛି।‌

ଏହି ସଭାରେ ସର୍ବଶ୍ରୀ ବଳରାମ ନାୟକ, ସୁଦର୍ଶନ ବିଷୋୟୀ, ରାମଚନ୍ଦ୍ର କମାର , ଧର୍ମେନ୍ଦ୍ର ବାଗ୍ , ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଭାଗନେଇଥିବା ବେଳେ ଅନେକ ମହିଳା ମଧ୍ୟ ଯୋଗଦାନ କରିଥିଲେ।

Comment