ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ଲଭ ଜିହାଦ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛନ୍ତି ଉତ୍ତରପ୍ରଦେଶ ସରକାର। ଏନେଇ ଶନିବାର ଦେବାରିୟାରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ଲଭ ଜିହାଦ କରୁଥିବା ଲୋକଙ୍କୁ ଖୋଲାମଞ୍ଚରୁ ଚେତାବନୀ ଦେଇଛନ୍ତି ଯୋଗୀ।

ଯୋଗୀ କହିଛନ୍ତି, “ଗତକାଲି ଆଲ୍ଲାହାବାଦ ହାଇକୋର୍ଟର ଅର୍ଡର ଆସିସାରିଛି। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଆଇନ୍ ଅନୁଯାୟୀ ଠିକ୍ ନୁହେଁ। ସରକାର ଖୁବଶୀଘ୍ର ଏହା ଉପରେ ଅଙ୍କୁଶ ଲଗାଇବାକୁ କାମ କରିବ। ଏଥିସହ ଯେଉଁମାନେ ଏହି କାମ କରୁଛନ୍ତି ସେମାନେ ସୁଧୁରିଯାଆନ୍ତୁ, ନଚେତ୍ ସେମାନଙ୍କର ରାମ ନାମ ସତ୍ୟ ହେ ଯାତ୍ରା ବାହାରିବ।”

ଧର୍ମ ପରିବର୍ତ୍ତନକୁ ନେଇ ଗତକାଲି ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଥିଲେ। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଆଇନ୍ ଅନୁଯାୟୀ ବୈଧ ନୁହେଁ ବୋଲି କୋର୍ଟ କହିଛନ୍ତି। ଏଥିସହ ଏହି ମାମଲାରେ ଥିବା ବିରୋଧୀ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଉତ୍ତର ପ୍ରଦେଶରେ ହେଉଥିବା ଉପ ନିର୍ବାଚନ ରାଲିରେ ଆଜି ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଯୋଗୀ ଦେବାରିୟା ଯାଇଥିଲେ। ସେଠାରେ ସେ ଏହି ଘୋଷଣା କରିଛନ୍ତି। ଏଥିସହ ଅପରାଧୀଙ୍କୁ ସରକାର କେବେ ବି କ୍ଷମା କରିବ ନାହିଁ ବୋଲି ସେ କହିଛନ୍ତି।

Comment