ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୂଆ ରାଜନଗର ରାସ୍ତା ନିକଟରେ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ କରି ୪ ଜଣ ଗିରଫ ହୋଇଛନ୍ତି।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୂଆ ସାମୁଦ୍ରିକ ଥାନା ଅନ୍ତର୍ଗତ ତାଳଚୂଆ ରାଜନଗର ରାସ୍ତାରେ ଧରା ପଡ଼ିଛନ୍ତି ୪ ଜଣ ଅପହରଣକାରୀ। ଏମାନେ ଏକ ହୋଣ୍ଡା କାର୍‌ରେ ପଟାପାରିଆ ଗାଁର ରଜନୀ ଗିରି ନାମକ ଜଣେ ଯୁବକଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ସ୍ଥାନୀୟ ବିଜୁ ଯୁବ ବାହିନୀ ଓ ରାହା ଫାଉଣ୍ଡେସନର ଯୁବକମାନେ କାର୍ ମଧ୍ୟରୁ ଅପହୃତ ଯୁବକକୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଥିଲେ। ତାଳଚୂଆ ସାମୁଦ୍ରିକ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଏହି ଅପହରଣକାରୀମାନେ ହେଲେ ଆଳି ଥାନା ପଦ୍ମପୁର ଗାଁର ପ୍ରବେର ଖାଁଙ୍କ ପୁଅ ସମସେଦ୍ ଖାଁ (୨୨), ସେକ୍ ନୁରେଲଙ୍କ ପୁଅ ସେକ୍ ନାଜିର ଅଲ୍ଲୀ (୪୭), ରସୁଲପୁର ଗାଁର ଆଜାଦ ଖାଁଙ୍କ ପୁଅ ବୁଟୁ ଖାଁ (୩୪) ଓ ପଟ୍ଟାମୁଣ୍ଡାଇ ଥାନା ପୋଖରୀଆପଡ଼ା ଗାଁର ଇସଲାମ ଖାଁଙ୍କ ପୁଅ ଫଏଜୁଲ ଖାଁ (୪୧)।ଅଭିଯୁକ୍ତଙ୍କ କାର୍‌ରୁ ପୋଲିସ ଏକ ଗୁଳି ନଥିବା ଦେଶି ବନ୍ଧୁକ, ୪ଟି ଖଣ୍ଡା , ଗୋଟିଏ ଛୁରୀ, ଦୁଇଟି କୋଦାଳ ବେଣ୍ଟ, ସେଲୋଟେପ୍, ଲଙ୍କା ଗୁଣ୍ଡ ଆଦି ଜବତ କରିଥିବା ସୂଚନା ମିଳିଛି। ଏହି ଅପହରଣ ଘଟଣାରେ ବ୍ୟବହୃତ ଏକ ହୋଣ୍ଡା କାର୍ ଜବତ ହୋଇଛି।

ତାଳଚୂଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ ବାରିକଙ୍କ କହିବା ଅନୁସାରେ, ଅପହୃତ ଯୁବକଙ୍କ ବିରୋଧରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ରହିଛି। ଏକ ଲକ୍ଷ ଟଙ୍କା ବଦଳରେ ସେ ଦୁଇଳକ୍ଷ ଟଙ୍କା ଦେବାକୁ କହି ଅନେକ ଲୋକଙ୍କୁ ଠକି ଆସୁଥିଲେ। ଏହି ଅପହରଣକାରୀମାନେ ଏହିପରି ଏକ ଠକାମିର ଶିକାର ହେବା ପରେ ଏପରି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏହା ପଛରେ ଆହୁରି ଅନେକ ରହସ୍ୟ ଥିବା ସନ୍ଦେହ କରି ପୋଲିସ ତଦନ୍ତ ଚଳାଇଛି।

ଏପରି ଏକ ଅପହରଣକୁ ପଣ୍ଡ କରିଥିବା ବିଜୁ ଯୁବ ବାହିନୀ ଓ ରାହା ଫାଉଣ୍ଡେସନର ସଦସ୍ୟ ରବିନ୍ଦ୍ର ସିଂହ, ଯଶୋବନ୍ତ ସିଂହ, ପବିତ୍ର କରଣ ଓ ଶୁଭ୍ରାଂଶୁ ଶେଖର ସ୍ଵାଇଁଙ୍କୁ ସ୍ଥାନୀୟ ଲୋକେ ସାବାସୀ ଜଣାଇଛନ୍ତି।

Comment