ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ସମୁଦ୍ର ବେଳାଭୂମିରେ ଘଟିଛି ଏକ ଅଘଟଣ। ପିକନିକ କରିବାକୁ ଆସି ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ନିଖୋଜ ହୋଇଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର। ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଖୋଜାଖୋଜି କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ ରବିବାର କେନ୍ଦ୍ରାପଡାର ପେଣ୍ଠ ବେଳାଭୂମିକୁ ଡେରାବିଶ ପଲିଟେକନିକ୍ କଲେଜର ୫ଜଣ ଛାତ୍ର ବୁଲିବାକୁ ଆସିଥିଲେ । ଖିଆପିଆ କରିବା ଆଗରୁ ସମୁଦ୍ରରେ ଗାଧୋଇବାର ମଜା ଉଠାଇବାକୁ ସେମାନେ ସମୁଦ୍ର ମଧ୍ୟକୁ ପସିଥିଲେ । ତେବେ ସେତେବେଳେ ସମୁଦ୍ରର ଛାଡ ଜୁଆର ରହିଥିଲା। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଛାଡ ଜୁଆର ସମୟରେ ଏଠାରେ ସମୁଦ୍ରର ଅନ୍ତସ୍ରୋତ ଏତେ ପ୍ରଖର ରହେ ଯେ, ତାହା ପାଦତଳୁ ବାଲି ବି ଟାଣିନେଇଥାଏ । ତେଣୁ ଏହି ସମୟରେ କେହି ସମୁଦ୍ର ଭିତରକୁ ଯାଆନ୍ତି ନାହିଁ । ଯାହା ସେମାନଙ୍କୁ ଜଣା ନଥିଲା । ତେଣୁ ସମୁଦ୍ରର ଏହି ଅନ୍ତସ୍ରୋତ ଛାତ୍ରଜଣକୁ ଟାଣି ନେଇଥିବା ଅନୁମାନ କରାଯାଉଛି ।

ନିଖୋଜ ଛାତ୍ର ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ଜରୀ ଗାଁର ଗୌରବ ରଥ। ଘଟଣା ସମ୍ପର୍କରେ ଖବରପାଇ ରାଜନଗର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ତାଙ୍କୁ ଖୋଜାଖୋଜି କରୁଛନ୍ତି । ତେବେ ସମୁଦ୍ର ଜୁଆରିଆ ରହିଥିବାରୁ ଏଯାଏଁ ତାଙ୍କ ପତ୍ତା ମିଳିପାରିନାହିଁ। ନିଖୋଜ ଗୌରବଙ୍କ ସହିତ ତାଙ୍କର ଆଉଜଣେ ସାଙ୍ଗକୁ ସମୁଦ୍ର ଜୁଆର କିଛିଦୂରରେ ଫିଙ୍ଗି ଦେଇ ଆହତ କରିଥିବା ମଧ୍ୟ ଖବର ମିଳିଛି । ତାଙ୍କୁ ରାଜନଗର ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି ।

Comment