ଓଡ଼ିଶାଲାଇଭ୍ ବ୍ୟୁରୋ

ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିବା ଇଞ୍ଜିନିୟରିଂ ଛାତ୍ର ଗୌରବ ରଥଙ୍କ ମୃତଦେହ ସୋମବାର ପେଣ୍ଠ ବେଳାଭୂମିରୁ ମିଳିଛି। ଯେଉଁଠୁ ସେ ନିଖୋଜ ହୋଇଥିଲେ ସେଇଠୁ ମାତ୍ର ୫୦ଫୁଟ ଦୂରରୁ ତାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।

ରବିବାର ଯାଜପୁର ଜିଲ୍ଲା ଜରୀ ଗାଁ ମହେଶ୍ଵର ରଥଙ୍କ ପୁଅ ଗୌରବ ରଥ ସାଙ୍ଗମାନଙ୍କ ସହ ପେଣ୍ଠ ସମୁଦ୍ରକୁ ବୁଲିବାକୁ ଆସିଥିଲେ। ଗାଧୋଇବା ବେଳେ ଅସାବଧାନତାରୁ ସମୁଦ୍ର ସୁଅରେ ଭାସିଯାଇଥିଲେ ଗୌରବ। ଘଟଣା ସମ୍ପର୍କରେ ଖବରପାଇ ରାଜନଗର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ତାଙ୍କୁ ଖୋଜାଖୋଜି କରିଥିଲେ। ତେବେ ସମୁଦ୍ର ଜୁଆରିଆ ରହିଥିବାରୁ ତାଙ୍କ ପତ୍ତା ମିଳିପାରିନଥିଲା। ପ୍ରାୟ ୨୪ ଘଣ୍ଟା ପରେ ସୋମବାର ତାଙ୍କ ମୃତଦେହ ସେ ନିଖୋଜ ହୋଇଥିବା ସମାନ ସ୍ଥାନରୁ ମିଳିଛି। ରାଜନଗର ପୋଲିସ ଗୌରବଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ଘଟଣା ସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ,”ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ, ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ କଟକଣା ଓ ନିୟମକାନୁନ ଅନୁପାଳନ କରିବାକୁ ଜିଲ୍ଲା ପୋଲିସ ଓ ବନ ବିଭାଗ ସହିତ ଆଲୋଚନା କରାଯିବ।”

Comment