ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁରୋପୀୟ ଦେଶ ଅଷ୍ଟ୍ରିୟାର ରାଜଧାନୀ ଭିଏନାରେ ସୋମବାର ଆତଙ୍କବାଦୀମାନେ ରାଜରାସ୍ତାରେ ଗୁଳିଚାଳନା କରିଛନ୍ତି। ଯେଉଁଥିରେ ୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇବା ସହିତ ଜଣେ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ଆହତ ହୋଇ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

ଗତକାଲି ରାତି ୮ଟା ସମୟରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ଆଖିବନ୍ଦ କରି ଗୁଳିଚାଳନା କରିଥିଲେ। ସେହି ସମୟରେ ସେଠାରେ ୫୦ରୁ ଅଧିକ ଗୁଳି ଫୁଟିଥିବା ନେଇ ଭିଏନା ପୋଲିସ କହିଛି। ଏଥିସହ ଏହାକୁ ଆତଙ୍କବାଦୀମାନଙ୍କର ଏକ ଘୃଣ୍ୟ କାମ ବୋଲି ଅଷ୍ଟ୍ରିୟାର ଚାନସେଲର କହିଛନ୍ତି।

ଅଷ୍ଟ୍ରିୟାର ଗୃହମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ଖୋଜିବାକୁ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଛି। ଏହି ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସେଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।

ଏହି ଘଟଣାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛି। ଆତଙ୍କବାଦୀଙ୍କ ଏହି ନୃଶଂସ ନରସଂହାର ସମସ୍ତଙ୍କୁ ଦୁଃଖ ଦେଇଛି। ଏହି ସମୟରେ ଭାରତ ଅଷ୍ଟ୍ରିୟା ସହିତ ଛିଡ଼ା ହୋଇଛି ବୋଲି ମୋଦୀ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।

Comment