ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅକ୍ଟୋବରରେ କଟକରୁ ସାଢେ ପାଞ୍ଚ ହଜାର ଆକ୍ରାନ୍ତ
  • କଣ୍ଟାକ୍ଟ ଟ୍ରେସିଂ, ଆକ୍ଟିଭ୍ ସର୍ଭିଲାନ୍ସ, ବାଧ୍ୟତାମୂଳକ ପରୀକ୍ଷା ନାହିଁ

କଟକ: କଣ୍ଟାକ୍ଟ ଟ୍ରେସିଂ କରାଯାଉନି । କଣ୍ଟେନମେଣ୍ଟ୍ ଜୋନ୍ ବ୍ୟବସ୍ଥା ବି ଆଉ ନାହିଁ । ସର୍ଭିଲାନ୍ସ ଟିମ୍ ଦ୍ଵାରା ଆଉ ଠିକ୍‌ରେ ଯାଞ୍ଚ୍ ବି କରାଯାଉନାହିଁ । ତଥାପି ମାସକରେ କଟକ ଜିଲ୍ଲାରୁ ୫ହଜାର ୬୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅକ୍ଟୋବରରେ ବାହାରିଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ ଆକ୍ରାନ୍ତ କଟକ ସହରର । ଏଭଳି ପରିସ୍ଥିତିରେ ସହରରେ ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ କୋଭିଡ୍ ସ୍ଥିତି କ’ଣ ରୂପ ନେଇଥିବ ତାହା ଅନୁମାନ କରାଯାଇପାରେ । ପୂର୍ବଭଳି ମାସ୍କ ଚେକିଂ ଓ ଭିଡ଼ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉ ନଥିବା ଦେଥିବାକୁ ମିଳୁଛି ।

ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଜିଲ୍ଲାରେ ପ୍ରାୟ ସାଢେ ଛ’ ହଜାର ଆକ୍ରାନ୍ତ କମ୍ ବାହାରିଛନ୍ତି । ସେପ୍ଟେମ୍ବରର ୩୦ଦିନରେ କଟକ ଜିଲ୍ଲାରୁ ମୋଟ୍ ୧୨ହଜାର ୨୩୮ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପ୍ରାୟ ୧୨ ଦିନ ୫ଶହରୁ ଅଧିକ ସଂକ୍ରମିତଙ୍କ ଟ୍ରେସିଂ କରାଯାଇଥିଲା । କୋଭିଡ୍ ଡାସ୍‌ବୋର୍ଡରେ କଟକ ଦ୍ଵିତୀୟ ସ୍ଥାନକୁ ଉଠିଥିଲା । ଏଭଳି ପରିସ୍ଥିତିରେ ହଠାତ୍ କଣ୍ଟାକ୍ଟ ଟ୍ରେସିଂ, କଣ୍ଟେନମେଣ୍ଟ୍ ଜୋନ୍ ଏବଂ ଆକ୍ଟିଭ୍ ସର୍ଭିଲାନ୍ସକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା । ଯାହାଫଳରେ କରୋନା ପାରାମିଟର ତଳକୁ ଖସିବା ଆରମ୍ଭ କଲା ।

ସମସ୍ତଙ୍କ ଧାରଣା ହେଲା କରୋନା ଧିମେଇଗଲା । କିନ୍ତୁ ବାସ୍ତବ ସ୍ଥିତି  ଠିକ୍‌ ଓଲଟା । କରୋନା ପରୀକ୍ଷା କଡ଼ାକଡ଼ି ନହୋଇ ମଧ୍ୟ ଅକ୍ଟୋବର ମାସରେ କଟକ ଜିଲ୍ଲାରୁ ୫ହଜାର ୬୪୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି । ଗ୍ରାମାଞ୍ଚଳରେ ଯଦିଓ ସ୍ଥିତି କିଛିଟା ସୁଧାର ଆସିଛି କିନ୍ତୁ ସହରରେ ଏବେ ବି ବିପଦ ଲାଗି ରହିଛି । ଗତ ମାସେ ଭିତରେ ସହରରୁ ଅଢେଇ ହଜାରରୁ ଅଧିକ ପଜିଟିଭ୍ ବାହାରିଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ ଅକ୍ଟୋବରରେ ସହରରୁ ୧୭ଜଣଙ୍କର ମୃତ୍ୟୁ ହୋଇଛି । ନାଁକୁ ମାତ୍ର କୋଭିଡ୍ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ସହରରେ ଥିବା ୧୩ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା କେନ୍ଦ୍ରରେ ଲୋକେ ଯାଇ ପରୀକ୍ଷା କରାଇବାର ବ୍ୟବସ୍ଥା ରହିଛି । କିନ୍ତୁ କରୋନାର ସମସ୍ତ ଲକ୍ଷଣ ଥାଇ ମଧ୍ୟ ଲୋକେ ପରୀକ୍ଷା କେନ୍ଦ୍ରକୁ ଯାଉନାହାନ୍ତି । ଯାହାଫଳରେ କରୋନା ସ୍ଥିତି ଚାପି ହୋଇ ରହିଛି । ଆଗକୁ ଶୀତ ଦିନ ଆସୁଥିବାରୁ କଟକ ସହରର ଭାଗ୍ୟ ଭଗବାନ ଭରସାରେ ରହିଛି ବୋଲି କୁହାଯାଇପାରେ ।

Comment