ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣେଶ ପୂଜା, ଦୁର୍ଗାପୂଜା ପରେ ଏବେ କାଳୀପୂଜା ଓ ଦୀପାବଳି ଆସୁଛି। କଟକ ସହର ଲୋକେ କିଭଳି ଏହି ପର୍ବ କରୋନା ଭିତରେ ପାଳିବେ ସେଥିପାଇଁ କଟକ ପୋଲିସ ଗାଇଡଲାଇନ ଜାରି କରିଛନ୍ତି।

ରାଜ୍ୟ ସରକାର ଏଯାବତ ଦୀପାବଳି ପାଇଁ କୌଣସି କଟକଣା ଜାରି କରିନଥିବାରୁ କଟକ ପୋଲିସ ବାଣ ବ୍ୟବସାୟ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି। ଏହା ମଧ୍ୟରେ କିଛି ବାଣ ବ୍ୟବସାୟୀ ଥାନା ସ୍ତରରେ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିଛନ୍ତି।

ସେହିପରି ବାଣ ଦୋକାନଗୁଡ଼ିକ ସମ୍ପୂର୍ଣ୍ଣ ଖୋଲା ସ୍ଥାନରେ ହେବ। ଯେଉଁ ଖୋଲା ସ୍ଥାନରେ ଦୋକାନ କରିବାକୁ ପୋଲିସ ଅନୁମତି ଦେବ ସେସବୁ ସ୍ଥାନରେ  କଟକଣା କଡ଼ାକଡ଼ି କରାଯିବ। ପ୍ରତି ଦୋକାନ ଭିତରେ ବ୍ୟବଧାନ ରହିବ ବୋଲି ପୋଲିସ କହିଛି।

ବାଣ ବିକ୍ରି ସମୟରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଦୋକାନ ସାମ୍ନାରେ କିପରି ଭିଡ଼ ନହୁଏ ସେ ପ୍ରତି ଦୋକାନୀ ଦୃଷ୍ଟି ଦେବେ। ଏଥିରେ ବ୍ୟତିକ୍ରମ କଲେ ପୋଲିସ ଦୋକାନ ସିଲ୍ କରିବାକୁ ମଧ୍ୟ ଲାଇସେନ୍ସରେ ସର୍ତ୍ତାବଳୀ ରହିବ। ଦୀପାବଳିର ୧ ସପ୍ତାହ ପୂର୍ବରୁ ଲାଇସେନ୍ସ ପ୍ରଦାନ କରାଯିବ। ତେବେ ଲାଇସେନ୍ସ ପ୍ରଦାନ କରିବା ଭିତରେ ଯିବ ରାଜ୍ୟ ସରକାର ବାଣ ନଫୁଟାଇବା ପାଇଁ ଗାଇଡ୍‌ଲାଇନ୍ ଜଣାନ୍ତ ତାହାଲେ ପୋଲିସ ଲାଇସେନ୍ସ କରିବନି। ଅନ୍ୟପଟେ ବାଣ ଫୁଟାଇବା ଉପରେ ବି କଣକଣା ରହିବ। ୧୨୫ ଡେସିବିଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟିବନି। ଖୋଲା ପଡ଼ିଆରେ ରାତି ୮ରୁ ୧୦ ମଧ୍ୟରେ ବାଣ ଫୁଟିବ। ବାୟୁ ପ୍ରଦୂଷଣ କରୁଥିବା ଚାଇନା ବାଣ ଫୁଟିବ ନାହିଁ। ଯଦୀ କେହି କରୋନା କଟକଣାକୁ ଅମାନ୍ୟ କରି ବାଣ ଫୁଟାନ୍ତି ତାହାଲେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି କାଳୀପୂଜା ମଧ୍ୟ ଏବର୍ଷ କରୋନା କଟକଣା ଭିତରେ ପାଳନ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି। ଦଶହରା ସମୟରେ ଯେଉଁସବୁ କଟକଣା ପୂଜା ଓ ବିସର୍ଜନରେ ରହିଥିଲା ତାହା ଅକ୍ଷରେ ଅକ୍ଷରେ ପାଳନ ହେବ। ଏନେଇ ସ୍ଥାନୀୟ ଥାନା ଏସ୍‌ଆରସିଙ୍କ ଗାଇଡ୍‌ଲାଇନ୍‌କୁ ପୂଜା କମିଟିମାନଙ୍କୁ ଅବଗତ କରିବ। କାଳୀପୂଜାରେ ଏବର୍ଷ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ସେହିପରି ୫୦ ଜଣ ଅଫିସର ମଧ୍ୟ ଅନ୍ୟ ଜିଲ୍ଲାରୁ ଆ ଡ୍ୟୁଟି କରିବେ। ଏହା ଛଡ଼ା କଟକ ପୋଲିସର ଅଫିସରମାନେ ମଧ୍ୟ ବିସର୍ଜନ ଡ୍ୟୁଟି କରିବେ। ଏହି ନିୟମ ଚଳିତ ବର୍ଷର କାର୍ତ୍ତିକେଶ୍ୱର ପୂଜା ପାଇଁ ମଧ୍ୟ ରଖାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ସ୍ପଷ୍ଟ କରିଛନ୍ତି। ତେବେ କାର୍ତ୍ତିକେଶ୍ୱର ଭସାଣୀ ଏବର୍ଷ କେବଳ କାର୍ତ୍ତିକେଶ୍ୱର ଗଡ଼ାକୁ ଯିବନି।

Comment