ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ର କୃଷି ଆଇନ ୨୦୨୦କୁ ବିରୋଧ କରି ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ତରଫରୁ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାର ଚାଷୀ ଓ ଶ୍ରମିକ ସ୍ୱାର୍ଥ ବିରୋଧୀ ଆଇନ ପ୍ରଣୟନ କରି ଦେଶ ଓ ଜାତିର ମେରୁଦଣ୍ଡକୁ ଭାଙ୍ଗି ଦେଇଛନ୍ତି। କୃଷିରୁ ଉତ୍ପାଦିତ ଦ୍ରବ୍ୟକୁ ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ବାଦ ଦେବାସହିତ କୃଷକର କଷ୍ଟଲବ୍ଧ ଶସ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାର ସୁଯୋଗରୁ ବଞ୍ଚିତ କରିଛନ୍ତି। ଏହି ଦ୍ରବ୍ୟଗୁଡିକୁ ପୁଞ୍ଜିପତି ବେପାରୀମାନଙ୍କୁ ଅଳ୍ପଦରରେ କିଣିବାକୁ ସୁଯୋଗ ଦେଇ କେନ୍ଦ୍ର ସରକାର ଚାଷୀର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଥିବା ପ୍ରତିବାଦରେ ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ମାନପତ୍ର ପଠାଇଛନ୍ତି। l

ଭାରତୀୟ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହିତ ଅନୁବନ୍ଧିତ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କୁହାଯାଇଛି ଯେ, ଶ୍ରମିକମାନଙ୍କର ଦୈନିକ ମଜୁରୀ ବୃଦ୍ଧି କରିବା ପରିବର୍ତ୍ତେ ଦୈନିକ ଶ୍ରମ ସମୟକୁ ଆଠ ଘଣ୍ଟା ବଦଳରେ ବାର ଘଣ୍ଟା କରିଦିଆଯାଇଛି l କର୍ମଚାରୀମାନଙ୍କର ଗ୍ରାଚୁଇଟି ଓ ପେନସନ ପ୍ରଦାନରେ ପ୍ରତିବନ୍ଧକ ସୃଷ୍ଟି କରି ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ମାତ୍ରାଧିକ ବୃଦ୍ଧି କରିଦିଆଯାଇଛି l ସେହିପରି ନିର୍ମାଣ ଶ୍ରମିକ ପଞ୍ଜୀକରଣ, ଟୁଲସ୍, ସାଇକେଲ, ପ୍ରସୂତି, ବିବାହ, ମୃତ୍ୟୁ, ଶିକ୍ଷା ଓ ଦୁର୍ଘଟଣା ସହାୟତା ବର୍ଷ ବର୍ଷ ଧରି ପ୍ରଦାନ କରାଯାଉନାହିଁ l ଅନ୍ୟ ରାଜ୍ୟମାନଙ୍କରେ କରୋନା ସହାୟତା ରାଶି ୫୦୦୦ ଟଙ୍କା ଦିଆଯାଉଥିବା ବେଳେ ଆମରାଜ୍ୟରେ ନିର୍ମାଣ ଶ୍ରମିକମାନଙ୍କୁ ସମୁଦ୍ରକୁ ଶଙ୍ଖେ ଭଳି ୧୫୦୦  ଟଙ୍କା ଦେଉଛନ୍ତି। ଯାହା ମଧ୍ୟ ଆଜିପର୍ଯ୍ୟନ୍ତ ୬୦ ପ୍ରତିଶତ ଲୋକଙ୍କୁ ଦିଆଯାଇନାହିଁ l

ସେହିପରି ବିଦେଶ ଓ ବାହାର ରାଜ୍ୟରୁ ଜୀବିକା ହରାଇ ଘରକୁ ଫେରିଥିବା ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି l ଏହି ସବୁ ଦୁର୍ଦ୍ଦିନରେ ଲୋକମାନେ ଗତି କରୁଥିବା ବେଳେ, ବିଦ୍ୟୁତ ଶୁଳ୍କର ମାତ୍ରାଧିକ ବୃଦ୍ଧି ବେଢ଼ି ଉପରେ କୋରଡ଼ା ମାଡ ସଦୃଶ ହୋଇଛି l ଏହିସବୁ ସମସ୍ୟାର ସମାଧାନ କରିବା ପାଇଁ ସମସ୍ତ ବିରୋଧୀ ଦଳ, ସାମାଜିକ ଓ କୃଷକ, ସଂଗଠନ ଉଭୟ ସରକାରଙ୍କ ନିକଟରେ ଦାବି କରି ସାରିଲେଣି କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି l

ସଂଘର ସଭାପତି ତଥା ଶ୍ରମିକ ନେତା ଫକୀର ଚରଣ ଖଟୁଆଙ୍କ ନେତୃତ୍ଵରେ ଏହି ବିକ୍ଷୋଭ ସମାବେଶରେ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଚିନ୍ମୟ ପ୍ରସାଦ ବେଉରା, ଆଇଏନ୍‌ଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ରାଜ୍ୟ କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘର ଅଧ୍ୟକ୍ଷ ବସନ୍ତ କୁମାର ସେଠୀ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀମୂଲିଆ ସଂଘର ସାଧାରଣ ସମ୍ପାଦକ ବିଧୁ ଭୂଷଣ ମହାପାତ୍ର, ପ୍ରଫୁଲ୍ଲ ଦାସ, ଆଇଏନ୍‌ଟିୟୁସିର ସାଧାରଣ ସମ୍ପାଦକ ମହେନ୍ଦ୍ର କୁମାର ପରିଡା, ଶ୍ରମିକ ନେତ୍ରୀ ମମତା ଦାସ, ମିନତୀ ଦାସ, ବିରଜା ମହାନ୍ତି ଓ ଯୁବ ଆଇଏନ୍‌ଟିୟୁସିର ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଚୌଧୁରୀ, ଛାତ୍ରକଂଗ୍ରେସ ସଭାପତି ଉମେଶ କୁମାର ପାଢ଼ୀ, ଉମେଶ ମହାନ୍ତି, ସୁଖଦାନନ୍ଦ ପ୍ରଧାନ ପ୍ରମୁଖ ଶତାଧିକ କୃଷକ ଓ ଶ୍ରମିକ ଯୋଗ ଦେଇ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ l

ଏହି ସମସ୍ୟାର ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘର ସଭାପତି ଫକୀର ଚରଣ ଖଟୁଆ ସତର୍କ କରାଇଦେଇଛନ୍ତି।

Comment