କମଳାକାନ୍ତ ପତି

‘ଲଭ୍‌ ଜିହାଦ’- ଏଭଳି ଏକ ଶବ୍ଦର ସୃଷ୍ଟି ହୋଇଛି ଉଗ୍ର ହିନ୍ଦୁତ୍ୱବାଦୀ ସଙ୍ଗଠନଗୁଡ଼ିକ ଦ୍ୱାରା। ଦେଶର ହିନ୍ଦି ବଳୟରେ ଲଭ୍‌ ଜିହାଦ ସ୍ୱର କ୍ରମେ ଶାଣିତ ହେଉଛି। ନିକଟରେ ଆଲ୍ଲାହାବାଦ ହାଇକୋର୍ଟ ବିବାହ ପାଇଁ ଧର୍ମାନ୍ତରୀକଣ ଗ୍ରହଣୀୟ ନୁହେଁ ବୋଲି ରାୟ ଦେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଲଭ୍‌ ଜିହାଦ’ ନେଇ ଅଧିକ ଉଗ୍ର ହୋଇଯାଇଛନ୍ତି। ବିଜେପି ଶାସିତ ତିନୋଟି ରାଜ୍ୟ ଏବେ ଏନେଇ ଆଇନ ଆଣିବାକୁ ଅଣ୍ଟା ଭିଡ଼ିଲେଣି।

ଆଇନରେ ନାହିଁ ଲଭ୍‌ ଜିହାଦ ଅସ୍ତିତ୍ୱ

ସାଧାରଣତଃ ଉତ୍ତରପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଭଳି ହିନ୍ଦି ବଳୟରେ ଥିବା ରାଜ୍ୟରେ ମୁସଲମାନେ ଯୁବକମାନେ ହିନ୍ଦୁ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ କରୁଛନ୍ତି। ବିବାହ ପୂର୍ବରୁ ସମ୍ପୃକ୍ତ ଯୁବତୀଙ୍କୁ ବାଧ୍ୟକରି ଧର୍ମ ପରିବର୍ତ୍ତନ କରାଇ ନେଉଥିବାର ଅଭିଯୋଗ ହୋଇଆସୁଛି। ଅନେକ କ୍ଷେତ୍ରରେ ସମ୍ପୃକ୍ତ ଯୁବକମାନେ ଯୁବତୀଙ୍କୁ ନିର୍ଯାତନା ଦେଉଥିବାର ଶୁଣିବାକୁ ମିଳେ। ଏଭଳି ଧାରାକୁ ଭାଙ୍ଗିବା ସକାଶେ ବିଜେପି ଓ ସଂଘ ପରିବାର ଗତ କିଛି ବର୍ଷ ଧରି ସେମାନଙ୍କର କେତେକ ଉଗ୍ର ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକ ଜରିଆରେ ‘ଲଭ୍‌ ଜିହାଦ’ ନେଇ ପ୍ରଚାର ସ୍ୱର ଉଚ୍ଚା କରିଛନ୍ତି।

ତେବେ ଏନେଇ ଆଇନର କୌଣସି ଅସ୍ତିତ୍ୱ ନାହିଁ। ଚଳିତ ବର୍ଷ ଫେବୃୟାରୀ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ଲାମେଣ୍ଟରେ ଏହା ସ୍ପଷ୍ଟ କରି ଦିଆଯାଇଥିଲା। ସୂଚନା ଦିଆଯାଇଥିଲା ଯେ କୌଣସି କେନ୍ଦ୍ରୀୟ ସଂସ୍ଥା ‘ଲଭ୍‌ ଜିହାଦ’ ବିରୋଧରେ କୌଣସି ମାମଲା ଦାଏର କରିନାହାନ୍ତି। ଏହା ସତ୍ତ୍ୱେ ‘ଲଭ୍‌ ଜିହାଦ’ ଶବ୍ଦଟିକୁ ନେଇ ସକ୍ରିୟ ହୋଇ ଉଠିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ।

ବିବାହ ପାଇଁ ଧର୍ମାନ୍ତରୀକରଣ ବେଆଇନ

କାହାକୁ ଯୋର୍ କରି ବାଧ୍ୟବାଧକତାରେ ଧର୍ମ ପରିବର୍ତ୍ତନ କରାଇବା ବେଆଇନ। ଅତୀତରେ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ କାରଣରୁ ଧର୍ମ ପରିବର୍ତ୍ତନ କରିଛନ୍ତି। ଧର୍ମାନ୍ତରୀକରଣକୁ ନେଇ ହିଂସାକାଣ୍ଡ ମଧ୍ୟ ଘଟିଛି। ଅକ୍ଟୋବର ୩୧ରେ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ, କେବଳ ବିବାହ ପାଇଁ କାହାର ଧର୍ମ ପରିବର୍ତ୍ତନ କରାଯିବା ବେଆଇନ। ଉତ୍ତରପ୍ରଦେଶରେ ‘ଲଭ୍‌ ଜିହାଦ’ ସ୍ୱର ଶାଣିତ ହେଉଥିବା ବେଳେ ଆଲ୍ଲାହାବାଦ ହାଇକୋର୍ଟଙ୍କର ଏହି ରାୟ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁହାଇଛି। ଏହି ରାୟକୁ ଅସ୍ତ୍ରକରି ସେ ‘ଲଭ୍‌ ଜିହାଦ’ ରୋକିବାକୁ କଠୋର ଆଇନ ଆଣିବେ ବୋଲି ଘୋଷଣା କରିଦେଇଛନ୍ତି।

ଯୋଗୀ ଆଦିତ୍ୟନାଥ ଏକଥା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଆମର ମା’ ଭଉଣୀଙ୍କ ସମ୍ମାନକୁ ନେଇ ଯେଉଁମାନେ ଖେଳ ଖେଳିବେ, ସେମାନଙ୍କର ‘ରାମ ନାମ ସତ୍ୟ’ ହୋଇଯିବ। ସେହି ଅନୁଯାୟୀ କଠୋର ଆଇନ ଆଣିବେ ତାଙ୍କ ସରକାର। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ହରିୟାଣା ମୁଖ୍ୟମନ୍ତ୍ରୀ ଖର୍ଚ୍ଚର ମଧ୍ୟ ଲଭ୍‌ ଜିହାଦ ରୋକିବାକୁ କଠୋର ଆଇନ ଆଣିବେ ବୋଲି ଘୋଷଣା କରିଦେଇଥିଲେ। ତା’ ପଛକୁ ଅନ୍ୟତମ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସମାନ ଆଭିମୁଖ୍ୟ ପୋଷଣ କରିଛନ୍ତି।

ଯୋଗୀଙ୍କ ସମ୍ମାନ ବଞ୍ଚାଇଲା ରାୟ

ଉତ୍ତରପ୍ରଦେଶରେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଘଟଣା ଯୋଗୀ ସରକାର ଅମଳରେ ବୃଦ୍ଧି ପାଇଛି। ଏପରିକି ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରେ ଉତ୍ତରପ୍ରଦେଶ ଏ କ୍ଷେତ୍ରରେ ଶୀର୍ଷରେ ରହିଛି। ଉତ୍ତରପ୍ରଦେଶର ହାଥରସରେ ଜଣେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ଏବଂ ଏହାର ୧୫ ଦିନ ପରେ ସମ୍ପୃକ୍ତ ଯୁବତୀଙ୍କର ମୃତ୍ୟୁ ଘଟିବା ଘଟଣାରେ ଯୋଗୀ ସରକାର ନିନ୍ଦିତ। ଏହି ଘଟଣା ପରଠାରୁ ଅଦ୍ୟାବଧି ୨ ମାସ ମଧ୍ୟରେ ପ୍ରାୟ ସମାନ ପ୍ରକାର ଅପରାଧ ୨୦ରୁ ଊର୍ଦ୍ଧ୍ୱ ଘଟିଲାଣି।

ଏହାକୁ ନେଇ ରାଜ୍ୟର ଦଳିତ ସମାଜ ସ୍ୱର ଉତ୍ତୋଳନ କରୁଥିବା ବେଳେ ଆଲ୍ଲାହାବାଦ ହାଇକୋର୍ଟ ରାୟ ଯୋଗୀ ସରକାରଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ଏହି ରାୟକୁ ଅସ୍ତ୍ରକରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମାଆ ଭଉଣୀଙ୍କ ସମ୍ମାନ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ହାଇକୋର୍ଟ ରାୟକୁ ସାମ୍ନାରେ ରଖି ଲଭ୍‌ ଜିହାଦ ରୋକିବାକୁ କଠୋର ଆଇନ ଆଣିବାକୁ ସେ ଘୋଷଣା କରିଛନ୍ତି। ମହିଳାମାନଙ୍କୁ ଖୁସି କରାଇବା ଯୋଗୀଙ୍କର ଏହି ଘୋଷଣାର ଉଦ୍ଦେଶ୍ୟ ବୋଲି ରାଜନୈତିକ ମହଲ ବିବେଚନା କରୁଛି।

ହଠାତ୍ ବିଜେପି ସକ୍ରିୟ କାହିଁକି?

କିଛିଦିନ ପୂର୍ବରୁ ହରିୟାଣାରେ ଘଟିଥିବା ଏକ ଘଟଣାରୁ ପୁଣି ସାମ୍ନାକୁ ଆସିଛି ‘ଲଭ୍‌ ଜିହାଦ’। ହରିୟାଣାର ଫରିଦାବାଦ ନିକଟ ବଲ୍ଲଭପୁରରେ ଘଟିଥିଲା ଏହି ଘଟଣା ଏକ ପ୍ରେମ ବ୍ୟାପାରରେ ନିକିତା ତୋମାର ନାମ୍ନୀ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ କଲେଜ ସାମ୍ନାରେ ଗୁଳିକରି ହତ୍ୟା କରାଗଲା। ଯେଉଁ ଦୁଇଜଣ ଯୁବକ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲେ ସେମାନେ ଭିନ୍ନ ଧର୍ମର। ସେହି ଘଟଣା ପରଠାରୁ ‘ଲଭ୍‌ ଜିହାଦ’ ନେଇ ବିଜେପି ସକ୍ରିୟ। ରାଜ୍ୟ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ନିକିତା ହତ୍ୟା ଘଟଣାରୁ ‘ଲଭ୍‌ ଜିହାଦ’ର ସୂତ୍ର ମିଳିଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏନେଇ ସତର୍କ ରହିବା ଉଚିତ। ଏଭଳି ଏକ ଆଇନ ପ୍ରଣୟନ କରାଯିବା ଜରୁରୀ ଯେପରିକି ଲଭ୍‌ ଜିହାଦ ଘଟାଉଥିବା ବ୍ୟକ୍ତି ଖସିଯାଇ ନ ପାରେ। ତେବେ ଆଇନର ଅପବ୍ୟବହାର ଯେପରି ନହୁଏ, ନିର୍ଦ୍ଦୋଷ ଯେପରି ଶାସ୍ତି ନ ପାଏ, ତାହା ମଧ୍ୟ ଦେଖାଯିବା ଜରୁରୀ।

ତିନ୍ ତଲାକ ଦଶା ନ ହେଉ

‘ଲଭ୍‌ ଜିହାଦ’ ରୋକିବାକୁ କଠୋର ଆଇନ ପ୍ରଣୟନ ପାଇଁ ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ ସରକାର ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଏକ କଠୋର ଆଇନ ପ୍ରଣୟନ ହେବା ଉଚିତ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ପରୋକ୍ଷ ଦାବି କରିଛନ୍ତି। ଏହାକୁ ନେଇ ପ୍ରଶ୍ନ- ଯଦି ଏହି ଆଇନ ପ୍ରଣୟନ ପ୍ରସ୍ତାବ ଉଠେ, ତେବେ ତାହା ତିନ୍ ତଲାକ ନିରୋଧୀ ଆଇନର ଦଶା ଭୋଗିବ ନାହିଁ ତି? ତିନ୍ ତଲାକ ଆଇନ ପ୍ରଣୟନ କରି ମୋଦୀ ସରକାର ସମାଲୋଚନାର ଶରବ୍ୟ ହୋଇଥିଲେ। ପାର୍ଲାମେଣ୍ଟରେ ମଧ୍ୟ ଏହି ଆଇନରେ ଥିବା ଦଣ୍ଡ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା।

ଆଇନରୁ ଆପରାଧିକ କ୍ଲଜ୍ ବାଦ୍ ଦେଉଥିବା ବ୍ୟକ୍ତିଙ୍କୁ ଯଦି ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଏ ତେବେ ତାଙ୍କର ଛାଡ଼ପତ୍ର ପାଇଥିବା ପତ୍ନୀ ଯେଉଁ ଦୁର୍ଦ୍ଦଶା ଭୋଗିବେ, ତାହାର ସମାଧାନ ହେବ କିପରି? ସମାଲୋଚନା ସତ୍ତ୍ୱେ କେନ୍ଦ୍ର ସରକାର ତିନ୍‌ ତଲାକକୁ ଅପରାଧର ପଦବାଚ୍ୟ କରି ଆଇନ ପ୍ରଣୟନ କରିପାରିଛନ୍ତି। ସମାନ ଢଙ୍ଗରେ ‘ଲଭ୍‌ ଜିହାଦ’ ଆଇନ ଯଦି ପ୍ରଣୟନ ହୁଏ, ତାହାର ଅପବ୍ୟବହାର ହେବନାହିଁ ବୋଲି କୁହାଯାଇପାରିବ ନାହିଁ। ଏବେ ଯୌତୁକ ଆଇନକୁ ଯେଉଁଭଳି ଅନେକ କ୍ଷେତ୍ରରେ ମହିଳାମାନେ ଅପବ୍ୟବହାର କରୁଛନ୍ତି, ତାହା ‘ଲଭ୍‌ ଜିହାଦ’ ନିରୋଧୀ ଆଇନ କ୍ଷେତ୍ରରେ ଘଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରୁନାହିଁ।

ପ୍ରେମ କ’ଣ ଧର୍ମ ଦେଖିବ

କୁହାଯାଏ ପ୍ରେମ ଅନ୍ଧ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରେମ ହୋଇପାରେ। ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ଉଚ୍ଚ ବର୍ଣ୍ଣ, ନିମ୍ନ ଜାତି ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମରୁ ଅନର କିଲିଂ ଭଳି ଘଟଣା ଘଟୁଛି। ଉତ୍ତରଭାରତ କାହିଁକି, ଦେଶର ବିଭିନ୍ନ ଅଞ୍ଚଳରେ ଖାପ୍ ପଞ୍ଚାୟତ ଭଳି ବେଆଇନ ମୁରବି ଜାତି ବର୍ଣ୍ଣ ନିର୍ବିଶେଷରେ ବିବାହକୁ ସ୍ୱୀକୃତି ଦେଉନାହିଁ। ଏପରି ସ୍ଥଳେ ଭିନ୍ନ ଧର୍ମରେ ପ୍ରେମ ବିବାହକୁ ଲଭ୍‌ ଜିହାଦ ନାମରେ ବିରୋଧ କେତେ ଯଥାର୍ଥ, ତାହା ମଧ୍ୟ ବିତର୍କର ଅପେକ୍ଷା ରଖୁଛି। ଇତିହାସରେ ପ୍ରମାଣ ରହିଛି ଯେ, ମୋଗଲ ସମ୍ରାଟ ଆକବର ମଧ୍ୟ ଜଣେ ହିନ୍ଦୁ ରମଣୀଙ୍କୁ ତାଙ୍କର ରାଣୀ (ବେଗମ) ଭାବେ ଗ୍ରହଣ କରିଥିଲେ। ମୁସଲମାନ ଯୁବକ ଓ ହିନ୍ଦୁ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହେବାର ଅନେକ ନଜିର ରହିଛି। ଉଗ୍ର ହିନ୍ଦୁବାଦୀମାନେ ଏବେ ଏହାକୁ ‘ଲଭ୍‌ ଜିହାଦ’ର ଆଖ୍ୟା ଦେଉଛନ୍ତି। ତେବେ ବଳପୂର୍ବକ ବିବାହ- ତାହା ଯେଉଁ ଧର୍ମରେ ହେଉ ନା କାହିଁକି ଆଦୌ ଗ୍ରହଣୀୟ ନୁହେଁ ବୋଲି କୁହାଯାଇପାରିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment