ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଉପ ନିର୍ବାଚନ ଭୋଟର ମାତ୍ର ଦିନକ ପରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ଦଳ ବିରୋଧୀ କାମ କରୁଥିବା ହେତୁ ତାଙ୍କୁ ଦଳରୁ ବିଦା କରିଛନ୍ତି ସଭାପତି ନବୀନ ପଟ୍ଟନାୟକ।

ବାଲେଶ୍ୱର ସଦର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର କିଏ ପ୍ରାର୍ଥୀ ହେବ ସେନେଇ ଅନେକ ବାଦ ବିବାଦ ଦେଖାଦେଇଥିଲା। ଗୋଟିଏ ପଟେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିବାକୁ କେତେକ କର୍ମୀ ଦାବି କରୁଥିବାବେଳେ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ମଧ୍ୟ ଟିକେଟ୍ ଦେବାକୁ କୁହାଯାଉଥିଲା। ଏହି ଘଟଣାକୁ ନେଇ ଦୁଇ ନେତାଙ୍କ ସମର୍ଥକମାନେ ମଧ୍ୟ ମୁହାଁମୁହିଁ ହୋଇଥିଲେ।

ଏହାପରେ ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଦୁଇ ନେତାଙ୍କୁ ନେଇ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଜୀବନ ପ୍ରଦୀପ ଓ ରବୀନ୍ଦ୍ରଙ୍କ ଭିତରେ ସବୁ ସମସ୍ୟାର ସମାଧାନ ହୋଇଯାଇଛି ବୋଲି ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହାପରେ ସ୍ୱରୂପ ଦାସଙ୍କୁ ଦଳ ବାଲେଶ୍ୱର ଉପ ନିର୍ବାଚନରେ ପ୍ରାର୍ଥୀ କରିଥିଲା। ସ୍ୱରୂପଙ୍କ ପାଇଁ ଉଭୟ ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାଶ ପ୍ରଚାର ମଧ୍ୟ କରିଥିଲେ। ହେଲେ ଶେଷରେ ଆଜି ତାଙ୍କୁ ଦଳ ବିରୋଧୀ କାମ କରିଥିବାରୁ ହେତୁ ବିଜେଡିରୁ ବିଦା କରାଯାଇଛି।

ଜୀବନ ପ୍ରଦୀପ ଦାଶ ବାଲେଶ୍ୱର ସଦରରୁ ପ୍ରଥମ ଥର ପାଇଁ ୨୦୦୦ ମସିହାରେ ବିଧାୟକ ହୋଇଥିଲେ। ସେତେବେଳେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ। ଏହାପରେ ସେ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ଲଢ଼ି ନିର୍ବାଚନ ଜିତିଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଜୀବନ ପ୍ରଦୀପ ଦାଶ ତାଙ୍କୁ ୧୩ ହଜାରରୁ ଅଧିକ ଭୋଟରେ ହରେଇ ଦେଇଥିଲେ।

Comment