ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ସ୍ଵେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍ କାମ ଶେଷ ହେଉନଥିବାରୁ ୬୫ ହଜାର ଘରକୁ ସ୍ଵେରେଜ୍ ସଂଯୋଗ ହୋଇପାରିନାହିଁ।

କଟକ: ସ୍ୱେରେଜ୍ ଲାଇନ୍ ପଡ଼ିଲା। ଭୂତଳ ବ୍ୟବସ୍ଥାରେ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା ବି କରାଗଲା। କିନ୍ତୁ କଟକ ସହରରେ ଏବେ ସୁଦ୍ଧା ପ୍ରାୟ ୬୫ ହଜାରରୁ ଅଧିକ ଘର ସ୍ଵେରେଜ୍ ସଂଯୋଗ ଅପେକ୍ଷାରେ ରହିଛି। ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ କରି ବର୍ଜ୍ୟଜଳକୁ ବିଶୋଧନ କରିବାକୁ ବ୍ୟବସ୍ଥା ହୋଇଥିବା ବେଳେ ସେଥିରୁ ଏବେ ସୁଦ୍ଧା କେବଳ ସିଡିଏ ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି। ମତ୍ତଗଜପୁର ପ୍ଲାଣ୍ଟ୍ କାମ ଶେଷ ହେଉନଥିବାରୁ ଲୋକେ ଏବେ ସୁଦ୍ଧା ଘରୋଇ ସଂଯୋଗ କରିପାରିନାହାନ୍ତି। ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ୨୦୨୧ ଶେଷ ସୁଦ୍ଧା ମଧ୍ୟ ଜାଇକା ଯନ୍ତ୍ରଣାରୁ କଟକ ମୁକୁଳିପାରିବନାହିଁ ବୋଲି କୁହାଯାଉଛି।

କଟକ ସହରରେ କାର୍ଯ୍ୟକାରୀ ହେଉଥିବା ଜାଇକା ପ୍ରକଳ୍ପର ମୁଖ୍ୟ ବିଭାଗ ହେଲା ସ୍ୱେରେଜ୍। ଘରୋଇ ବର୍ଜ୍ୟଜଳ ନିଷ୍କାସନକୁ ଭୂତଳ ପାଇପ୍ ଲାଇନ୍ ସହାୟତାରେ ସଂଗ୍ରହ କରି ବିଶୋଧନ କରାଯାଉଛି। ଏନେଇ ଜାଇକା ତରଫରୁ ତିନୋଟି ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍‌(ଏସ୍‌ଟିପି) ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ସୁଦ୍ଧା କେବଳ ସିଡିଏ ବିଶୋଧନ ପ୍ଲାଣ୍ଟ୍‌ଟି କାର୍ଯ୍ୟକ୍ଷମ ହୋଇଛି। ଏହା ଦ୍ୱାରା ୨୦ ହଜାର ଘରୋଇ ସଂଯୋଗ ପାଇଁ ଯୋଜନା କରାଯାଇଛି।ଏବେ ସୁଦ୍ଧା ମାତ୍ର ସାଢେ ତିନି ହଜାର ଘର ସଂଯୋଗ ହୋଇପାରିଛି। ପ୍ରଥମ ପର୍ଯ୍ୟାୟରେ ବିଡ଼ାନାସୀ, ସିଡିଏ ଅଞ୍ଚଳରେ ଘରୋଇ ସଂଯୋଗ ଦିଆଯାଇଥିବା ବେଳେ ଏବେ ଡଗରପଡ଼ା, ତୁଳସୀପୁର, କାଫଲାବଜାର, ଦେଉଳସାହି ଆଦି କିଛି ଅଞ୍ଚଳକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ଘରୋଇ ସଂଯୋଗ ପାଇଁ ଲୋକେ ସିଡିଏ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ କିମ୍ବା ୱେବ୍‌ସାଇଟ୍‌ରୁ ଫର୍ମ ଆଣି ଆବେଦନ କରିପାରିବେ। ପ୍ଲାନ୍ ଆପ୍ରୁଭ୍ ହେବା ପରେ ଘରୋଇ ସଂଯୋଗ ପାଇଁ ଅନୁମତି ପ୍ରଦାନ କରାଯିବ। ତେବେ ଏଥିପାଇଁ ଉପଭୋକ୍ତାଙ୍କୁ ମାସିକ ୫୦ ଟଙ୍କା ୟୁଜର୍ସ ଫି’ ମଧ୍ୟ ଦେବାକୁ ପଡ଼ିବ।

କିନ୍ତୁ ଲୋକେ ଏ ଦିଗରେ ବିଶେଷ ସଚେତନ ନାହାନ୍ତି। ଏମିତିକି ସ୍ୱେରେଜ୍ ସଂଯୋଗ କେମିତି ହେବ, ଏହାର ଫାଇଦା କ’ଣ ଏବଂ ଏଥିଲାଗି କ’ଣ କରିବାକୁ ପଡ଼ିବ ସେ ସମ୍ପର୍କରେ ଲୋକଙ୍କ ପାଖରେ ଧାରଣା ନାହିଁ। ଯାହାଫଳରେ ଘରୋଇ ସଂଯୋଗ ପୂର୍ଣ୍ଣ ମାତ୍ରାରେ ସଫଳ ହୋଇପାରିନାହିଁ। ସିଡିଏ ପ୍ଲାଣ୍ଟ୍‌ ୨୦ ହଜାର ଘରୋଇ ସଂଯୋଗ କ୍ଷମତା ରଖୁଥିଲେ ବି ଏବେ ସୁଦ୍ଧା ମାତ୍ର ସାଢ଼େ ତିନି ହଜାର ସଂଯୋଗ ସଫଳ ହୋଇପାରିଛି।ଅନ୍ୟପକ୍ଷରେ ମତ୍ତଗଜପୁର ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ କାମ ଶେଷ ହେଉନାହିଁ। ଏନେଇ ୨୦୨୦ ଜୁନ୍ ଯାଏଁ ଟାର୍ଗେଟ୍ ଦିଆଯାଇଥିବା ବେଳେ ନିର୍ଦ୍ଧାରିତ ସମୟରୁ ପ୍ରାୟ ୮ ମାସ ବିଳମ୍ବ ହେବାର ସମ୍ଭାବନା ରହିଛି। ସେଠାକାର କାମ ସରିଲେ ସେଥିରେ ପ୍ରାୟ ୩୦ ହଜାର ସଂଯୋଗ ଦିଆଯିବ।

ତେଣୁ ଏ ପ୍ରକ୍ରିୟା ସବୁ ଦେଖିଲେ ୨୦୨୧ ଶେଷ ସୁଦ୍ଧା ଜାଇକା ଶେଷ ହୋଇନଥିବ ବୋଲି ଆକଳନ କରାଯାଇପାରେ। ଏନେଇ ଜାଇକା ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ପରିଡ଼ା କହିଛନ୍ତି, ଘରୋଇ ସଂଯୋଗ କରିବାକୁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ଏକ ସ୍ୱତନ୍ତ୍ର ଟିମ୍ କରାଯାଇ ସର୍ଭେ କରାଯାଇଛି। ଲୋକଙ୍କୁ ସଂଯୋଗ ନେବାକୁ କୁହାଯାଉଛି। ମତ୍ତଗଜପୁର ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ ଶେଷ ହେବାକୁ ଜାନୁୟାରୀ ଶେଷ ସୁଦ୍ଧା ସମୟ ଲାଗିବ। ଏହାପରେ ସହରର ସବୁ ଦିଗକୁ ଆମେ ସ୍ୱେରେଜ୍ ସଂଯୋଗ ଦେବାରେ ସଫଳ ହୋଇପାରିବୁ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ପ୍ରାୟ ୮୧୦ କୋଟି ଟଙ୍କାରେ କାର୍ଯ୍ୟକ୍ଷମ ହେଉଥିବା ଜାଇକା ପ୍ରକଳ୍ପରେ ସ୍ୱେରେଜ୍ ବ୍ୟବସ୍ଥା ହିଁ ମୁଖ୍ୟ। ଏଥିରେ ମୋଟ ୩୮୪ଟି ଭୂତଳ ଗ୍ରାଭିଟି ସ୍ୱେରେଜ୍ ଲାଇନ୍ କରାଯାଉଛି। ସହରରେ ପ୍ରାୟ ୩ ଶହ କିଲୋମିଟର ପର୍ଯ୍ୟନ୍ତ ସ୍ୱେରେଜ୍ କାମ ଶେଷ ହୋଇଛି।

Comment