ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ନିଲମ୍ବନ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାଶ।

ବିଜେଡିରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାଶ। ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ନ ଦିଆଯିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।

ଦଳ ବିରୋଧୀ କାମ କରିଥିବା ଅଭିଯୋଗରେ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ବାଲେଶ୍ୱର ଉପ ନିର୍ବାଚନ ଭୋଟର ଗୋଟିଏ ଦିନ ପରେ ଜୀବନ ପ୍ରଦୀପଙ୍କ ନିଲମ୍ବନ କରାଯିବାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।ଏନେଇ ଜୀବନ ପ୍ରଦୀପ ଦାଶ ମଧ୍ୟ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ଦଳ ଯେତେବେଳେ ଯାହା କାମ ଦେଇଛି ସେ କରିଛନ୍ତି। ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ କରିଛନ୍ତି। ଦଳକୁ କ୍ଷତି ପହଞ୍ଚାଇଲା ଭଳି କୌଣସି କାମ ସେ କରିନାହାନ୍ତି ବୋଲି ଶୁକ୍ରବାର ଜୀବନ ପ୍ରଦୀପ ଦାଶ ଗଣମାଧ୍ୟମକୁ କହିଥିଲେ। ହେଲେ ଗତକାଲି ଏହି ଘଟଣା ପରେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ।

ବାଲେଶ୍ୱର ଉପ ନିର୍ବାଚନ ଓ ବିବାଦ

ବାଲେଶ୍ୱର ଉପ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଠାରେ କାହାକୁ ବିଜେଡି ଟିକେଟ୍ ମିଳିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଗୋଟିଏ ପଟେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ପୁଣିଥରେ ବିଜେଡି ଟିକେଟ୍ ମିଳିବ ବୋଲି କୁହାଯାଉଥିବାବେଳେ ଅନ୍ୟପଟେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଟିକେଟ୍ ରେସରେ ରହିଥିଲେ।ବାଲେଶ୍ୱରର ଏହି ଦୁଇ ନେତାଙ୍କ ଭିତରୁ କାହାକୁ ବିଜେଡି ଟିକେଟ୍ ମିଳିବ ସେନେଇ ଅଙ୍କ କଷିବା ଆରମ୍ଭ କରିଦେଇଥିଲେ ରାଜନୈତିକ ବିଶେଷଜ୍ଞମାନେ। ଏହି ଘଟଣାକୁ ନେଇ ଦୁଇ ନେତାଙ୍କ ସମର୍ଥକମାନେ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ବିବାଦର ସମାଧାନ କରିବାକୁ ଆଗକୁ ଆସିଥିଲେ ବିଜେଡିର ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା। ଦୁଇ ନେତାଙ୍କ ସହିତ କଥାବାର୍ତ୍ତା କରିବା ସହିତ ପ୍ରତାପ ଜେନା ସମସ୍ତ ବିବାଦର ଅନ୍ତ ଘଟିଥିବା ଗଣମାଧ୍ୟମକୁ କହିଥିଲେ।

ଏହାପରେ ବିଜେଡି ବାଲେଶ୍ୱର ଉପ ନିର୍ବାଚନ ପାଇଁ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଥିଲା। ସ୍ୱରୂପ ଦାସଙ୍କ ସହ ଏକାଧିକ ସଭାରେ ଜୀବନ ପ୍ରଦୀପ ଦାଶ ମଧ୍ୟ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ହେଲେ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ଭୋଟ୍ ସରିବା ପରେ ନଭେମ୍ବର ୫ ତାରିଖରେ ଦଳରୁ ସସପେଣ୍ଡ ହୋଇଥିଲେ ଜୀବନ ପ୍ରଦୀପ।  ତାଙ୍କ କଥା ଓ କାମ ଭିତରେ ଫରକ୍ ଥିଲା – ରବୀନ୍ଦ୍ର

ଜୀବନ ପ୍ରଦୀପ ଦାଶ ବିଜେଡିରୁ ନିଲମ୍ବିତ ହେବା ପରେ ଏହାକୁ ନେଇ ନିଜର ମତ ରଖିଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ସେ କହିଥିଲେ ଜୀବନଙ୍କ କଥା ଆଉ କାମ ଭିତରେ ଫରକ୍ ଥିଲା। ସେ ଦଳ ବିରୋଧୀରେ କାମ କରୁଥିବା ନେଇ ତାଙ୍କୁ ସୂଚନା ମିଳିଥିଲା। ଏନେଇ ସେ ତୁରନ୍ତ ଦଳର ସଭାପତିଙ୍କୁ ଜଣାଇଥିଲେ। ଯାହାର ସଠିକତା ଜାଣିବା ପରେ ଦଳର ସୁପ୍ରିମୋ ଜୀବନ ପ୍ରଦୀପ ଦାଶଙ୍କୁ ନିଲମ୍ବିତ କରିଥିଲେ।

ବାଲେଶ୍ୱର ସଦରର ଥର ବିଧାୟକ ଜୀବନ ପ୍ରଦୀପ

ବାଲେଶ୍ୱର ଅଞ୍ଚଳର ଜଣେ ଟାଣୁଆ ନେତା ଭାବେ ଜୀବନ ପ୍ରଦୀପ ଦାଶ ବେଶ ପରିଚିତ। ସେ ସେଠାକାର ୩ ଥର ବିଧାୟକ ମଧ୍ୟ ରହିସାରିଛନ୍ତି। ୨୦୦୦ ମସିହାରେ ସେ ପ୍ରଥମ କରି ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ବାଲେଶ୍ୱର ସଦରର ବିଧାୟକ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇଥିଲେ ବି ସେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ହାରି ଯାଇଥିଲେ। ଯେଉଁ କାରଣରୁ ଏଥର ଉପ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିନଥିଲା ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରିଥିଲେ।

LEAVE A REPLY

Please enter your comment!
Please enter your name here