ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୟ ଦ୍ଵାରଦେଶରେ ପହଞ୍ଚିସାରିଛନ୍ତି ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ। ଟ୍ରମ୍ପ କ୍ୟାପିଟାଲିଷ୍ଟ ହୋଇଥିବାରୁ ତାଙ୍କର ବୈଦେଶିକ ନୀତି ଭିନ୍ନ ଥିଲା। ତେଣୁ ବାଇଡେନଙ୍କ ରଣନୀତି ମଧ୍ୟ ଭିନ୍ନ ରହିବ ବୋଲି ଆଶା ରହିଛି। ଚୀନର ବିସ୍ତାରବାଦୀ ନୀତିକୁ ବାଇଡେନ ବିରୋଧ କରୁଥିଲେ ମଧ୍ୟ ପାକିସ୍ତାନ ପ୍ରତି ତାଙ୍କର ମନୋଭାବ ସାମାନ୍ୟ କୋହଳ। ଟ୍ରମ୍ପଙ୍କ ସମୟରେ ପାକିସ୍ତାନର ଆତଙ୍କବାଦ ବିରୋଧରେ ଭାରତ ଆମେରିକାର ତତ୍କ୍ଷଣାତ ସମର୍ଥନ ପାଇବାରେ ସକ୍ଷମ ହେଉଥିଲା ହେଲେ ବାଇଡେନଙ୍କ ସମୟରେ ଅଲଗା ରଣନୀତି ଗ୍ରହଣ କରିବାକୁ ପଡ଼ିବ।
ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ଆସି ନ ଥିଲେ ମଧ୍ୟ ବାଇଡେନଙ୍କ ଜିତିବା ନିଶ୍ଚିତ ହୋଇଯିବା ପରେ ପରିସ୍ଥିତି ଅନୁସାରେ ଭାରତ ତାର ରଣନୀତି ତୁରନ୍ତ ବଦଳାଇବା ପାଇଁ ସ୍ଥିର କରିସାରିଛି। ଆମେରିକାରେ ଅବସ୍ଥାପିତ ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁ ଏକାଧିକବାର ଡେମୋକ୍ରାଟିକ ସିନେଟରମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। କେତେକ ସାଂସଦଙ୍କ ସହ ଖୋଲା ଆଲୋଚନା ହୋଇଥିବା ବେଳେ, ଅନ୍ୟ କେତେଜଣଙ୍କ ସହ ଗୁପ୍ତ ଆଲୋଚନା ହୋଇଥିବା ସୂଚନା ମିଳିଛି।
ବିଶେଷ କରି ଓବାମାଙ୍କ ଟିମରେ ଥିବା ଭାରତୀୟ ବଂଶୋଦ୍ଭବ ବିବେକ ଏଚ୍ ମୂର୍ତ୍ତି ଓ ରାଜ ସାହଙ୍କ ସହ ଆଲୋଚନା କରିଛନ୍ତି। ମୂର୍ତ୍ତି ବାଇଡେନଙ୍କ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ବାଇଡେନଙ୍କ ପ୍ରଶାସନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ମିଳିବାର ବହୁତ ସମ୍ଭାବନା ରହିଛି। ସେହିପରି ରାଜୀବ ବା ରାଜ ସାହ ମଧ୍ୟ ଓବାମା ପ୍ରଶାସନରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ରିସର୍ଚ, ଏଜୁକେସନ ଆଣ୍ଡ ଇକୋନମିକ୍ସର ଅଣ୍ଡର ସେକ୍ରେଟାରୀ ପଦବୀରେ କାମ କରିଛନ୍ତି। ଏହା ସହ ଆମେରିକା କୃଷି ବିଭାଗର ମୁଖ୍ୟ ବୈଜ୍ଞାନିକ ପଦବୀରେ ମଧ୍ୟ କାମ କରିଛନ୍ତି।
ଆମେରିକାରେ ବଦଳୁଥିବା ସ୍ଥିତିକୁ ଅନୁମାନ କରି ଗତ ୬ ମାସ ହେଲା ସାନ୍ଧୁ ବିଭିନ୍ନ ଡେମୋକ୍ରାଟ୍ ସାଂସଦମାନଙ୍କ ସମ୍ପର୍କରେ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେ ଭାରତୀୟ-ଆମେରିକୀୟ ଡେମୋକ୍ରାଟ ସାଂସଦ ଆମି ବେରାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆମି ବେରା ଏସିଆ ସମ୍ପର୍କିତ ସବକମିଟିର ଚେୟାରମ୍ୟାନ ଥିଲେ। ବେରାଙ୍କ ଭିନ୍ନ ଡେମୋକ୍ରାଟ ନୋମିନି ଭାରତୀୟ ବଂଶୋଦ୍ଭବ ପ୍ରମିଳା ଜୟପାଳ ମଧ୍ୟ ଡେମୋକ୍ରାଟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ କିଛି ଡେମୋକ୍ରାଟ ସିନେଟରଙ୍କ ସହ ଭାରତର ସମ୍ପର୍କ ଏତେ ଭଲ ରହିନାହିଁ। ଗତ ଆମେରିକା ଗସ୍ତରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ସିନେଟ ଗୋଷ୍ଠୀଙ୍କ ସହ ଆଲୋଚନା କରିବାକୁ ମନା କରିଦେଇଥିଲେ। ସେହି ସମ୍ପୃକ୍ତ ଗୋଷ୍ଠୀ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ।
ଏହାଛଡ଼ା ହାଓଡି-ମୋଦି କାର୍ଯ୍ୟକ୍ରମରେ ମୋଦିଙ୍କ ସ୍ଲୋଗାନ ‘ଅବକି ବାର ଟ୍ରମ୍ପ କି ସରକାର’ ସେତେବେଳେ ଆମେରିକାର ଡେମୋକ୍ରାଟମାନଙ୍କୁ ଅସନ୍ତୁଷ୍ଟ କରିଥିଲା। ଅବଶ୍ୟ ଜୋ ବାଇଡେନଙ୍କର ଭାରତ ସହ ସମ୍ପର୍କ ଭଲ ରହିବ। ସୀମାପାର ଆତଙ୍କବାଦ ଓ ପରିବେଶ ସୁରକ୍ଷା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଭାରତ ସହ ଆମେରିକା ଠିଆ ହେବ ବୋଲି ବାଇଡେନ ପୂର୍ବରୁ କହିଛନ୍ତି। ନାସଭିଲେରେ ବେଶ କିଛି ଭାରତୀୟ ରହୁଥିବା ବେଳେ ସେଠାରେ ତାଙ୍କର ଶେଷ ରାଷ୍ଟ୍ରପତି ଅଭିଭାଷଣରେ ଟ୍ରମ୍ପ ଭାରତୀୟ ଜଳବାୟୁକୁ ଅପରିସ୍କାର ବୋଲି କହିଥିଲେ। ଏଥିରେ ବାଇଡେନ ମଧ୍ୟ ଆପତ୍ତି କରିବା ସହ ଟ୍ରମ୍ପ ବନ୍ଧୁମାନଙ୍କ ସହ କେମିତି ବ୍ୟବହାର କରିବାକୁ ହୁଏ ଜାଣିନାହାନ୍ତି ବୋଲି କହିଥିଲେ।


















