ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ତେଜସ୍ୱୀ ଯାଦବ ନା ନୀତିଶ କୁମାର…

ବିହାର ବିଧାନସଭା ନିର୍ବାଚନର ୨୪୩ଟି ଆସନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି। ପ୍ରାରମ୍ଭିକ ପର୍ଯ୍ୟାୟରେ ନୀତିଶଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଆଗରେ ଥିବାବେଳେ ମହାମେଣ୍ଟ ପଛରେ ପଡ଼ିଯାଇଛି। ତଥାପି ସମୟ ବଦଳିବା ସହିତ ସଂଖ୍ୟା ଗଣିତର ଏହି ଖେଳ ପୁଣି ବଦଳିପାରେ ବୋଲି କୁହାଯାଉଛି। ଏପରି ସ୍ଥିତିରେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଉତ୍କଣ୍ଠା ଜାରି ରହିଛି।

ଏଥର ନିର୍ବାଚନରେ ଆରଜେଡି(ଲଣ୍ଠନ) ଓ କଂଗ୍ରେସ (ହାତ)ମିଶିକରି ନିର୍ବାଚନ ଲଢ଼ିଛନ୍ତି। ଯାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ ଆରେଜେଡି ନେତା ତେଜସ୍ୱୀ ଯାଦବ। ସେହିପରି ନୀତିଶ କୁମାରଙ୍କ ନେତୃତ୍ୱରେ ବିଜେପି (ପଦ୍ମ) ଓ ଜେଡିୟୁ(ତୀର) ମେଣ୍ଟ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିଲେ। ତେଣୁ ଏହି ଦୁଇ ନେତାଙ୍କ ମଧ୍ୟରୁ କିଏ ନିର୍ବାଚନରେ ଜିତାପଟ ହାସଲ କରୁଛି ତାହା ଦେଖିବାକୁ ବାକି ରହିଛି।

ବେରୋଜଗାରୀ ବନାମ ଆତ୍ମନିର୍ଭର ବିହାର

ଏଥର ବିହାର ନିର୍ବାଚନରେ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ଜେଡିୟୁ ନେତା ନୀତିଶ କୁମାରଙ୍କ ଭିତରେ ମୁହାଁମୁହିଁ ମୁକାବିଲା ହେଉଛି। ଦୁଇ ନେତା ଦୁଇଟି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବାବେଳେ ନିର୍ବାଚନ ଜିତିବାକୁ କଡ଼ା କସରତ କରୁଛନ୍ତି।

ତେଜସ୍ୱୀ ଯାଦବ ଏଥର ବିହାରରେ ବେରୋଜଗାରୀକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିଲେ। ବିହାରର ଯୁବକମାନେ କିପରି ଭଲ ନିଯୁକ୍ତି ପାଇବେ ସେନେଇ ତେଜସ୍ୱୀ ନିଜର ପ୍ରତିଟି ଭାଷଣରେ କହି ଭୋଟରଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏଥିସହ ସରକାରକୁ ଆସିବା ପରେ ପ୍ରଥମେ ସେ ୧୦ ଲକ୍ଷ ସରକାରୀ ଚାକିରି ଦେବେ ବୋଲି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଅନ୍ୟପଟେ ନୀତିଶ କୁମାର ମଧ୍ୟ ବିହାରକୁ ବିକଶିତ ରାଜ୍ୟରେ ପରିଣତ କରିବା ସହିତ ଆତ୍ମନିର୍ଭର ବିହାର ଗଠନର ପ୍ରତିଶ୍ରୁତି ଦେଇଥିଲେ। ତା’ସହିତ ରାଜ୍ୟରେ ୧୯ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ବିଜେପି ମଧ୍ୟ ନିଜର ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା।ବିହାର ବିଧାନସଭାର ସଂଖ୍ୟା ଗଣିତ

ବିହାର ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ହେଉଛି ୨୪୩ । ଯେଉଁଥିରେ ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଣ୍ଟକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ। ଏନଡିଏ କିମ୍ବା ମହାମେଣ୍ଟ ଭିତରୁ ଯେଉଁ ମେଣ୍ଟ ଏତିକି ବିଧାୟକଙ୍କ ସମର୍ଥନ ହାସଲ କରିବ ସେହି ମେଣ୍ଟ ହିଁ ବିହାରରେ ସରକାର ଗଠନ କରିବ।

ଯଦି କୌଣସି ଦଳ କିମ୍ବା ମେଣ୍ଟ ନିର୍ବାଚନରେ ବହୁମତ ହାସଲ କରିନପାରନ୍ତି, ସେପରି ସ୍ଥିତିରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଉପରେ ନଜର ରହିବ। ଏହାସତ୍ତ୍ୱେ ମଧ୍ୟ ଯଦି କୌଣସି ଦଳ ବହୁମତଠାରୁ ପଛରେ ରୁହନ୍ତି ତେବେ ରାଜ୍ୟପାଳଙ୍କ ନିଷ୍ପତ୍ତି ଅନୁସାରେ ସରକାର ଗଠନ ହେବ ନଚେତ୍ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବ।

Comment