ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ମେଣ୍ଟକୁ ବହୁମତ ନ ମିଳିଲେ ବିହାରରେ କେମିତି ଗଠନ ହେବ ସରକାର?

ତିନୋଟି ପର୍ଯ୍ୟାୟରେ ବିଧାନସଭା ଭୋଟ୍ ଶେଷ ହେବା ପରେ ଆଜି ବିହାରରେ ଚାଲିଛି ଭୋଟ୍ ଗଣତି। ଯେଉଁଥିରେ ନୀତିଶଙ୍କ ନେତୃତ୍ୱାଧୀନ ଏନଡିଏ ଓ ତେଜସ୍ୱୀଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏପରି ସ୍ଥିତିରେ ଯଦି କୌଣସି ବି ମେଣ୍ଟ ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ଛୁଇଁପାରିବେନି; ଏଠାରେ କେମିତି ସରକାର ଗଠନ ହେବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ସରକାର ଗଠନ ପାଇଁ ଦରକାର ୧୨୨ ବିଧାୟକଙ୍କ ସମର୍ଥନ

ବିହାର ବିଧାନସଭାର ମୋଟ ସିଟ୍ ସଂଖ୍ୟା ହେଉଛି ୨୪୩ । ସେହି ଅନୁସାରେ ଏଠାରେ ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଣ୍ଟକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ। ଯଦି କୌଣସି ଦଳ ଏହି ସଂଖ୍ୟା ଜୁଟାଇବାକୁ ସକ୍ଷମ ହୋଇପାରନ୍ତି ନାହିଁ, ତେବେ ସ୍ୱାଧୀନ ବିଧାୟକମାନଙ୍କର ଗୁରୁତ୍ୱ ବଢ଼ିଯିବ। ସ୍ୱାଧୀନ ବିଧାୟକଙ୍କ ମିଶାଇ ଯେଉଁ ମେଣ୍ଟ କିମ୍ବା ଦଳ ପାଖରେ ୧୨୨ ବିଧାୟକଙ୍କ ସମର୍ଥନ ରହିବ ସେହି ଦଳ ହିଁ ଏଠାରେ ସରକାର ଗଠନ କରିବ। ନଚେତ୍ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ।ବିହାରରେ ହେବନି ତ ଝୁଲା ସରକାର?

ଯଦି ନିର୍ବାଚନରେ କୌଣସି ବି ଦଳ କିମ୍ବା ମେଣ୍ଟକୁ ବହୁମତ ନମିଳେ, ସେ ସମୟରେ ରାଜ୍ୟରେ ଝୁଲା ସରକାର ଗଠନ ହୁଏ। ସେହି ସମୟରେ କୌଣସି ଦଳ ସ୍ୱାଧୀନ କିମ୍ବା ଅନ୍ୟ ବିଧାୟକଙ୍କ  ସମର୍ଥନରେ ବହୁମତ ହାସଲ କରିବା ସହିତ ରାଜ୍ୟରେ ସରକାର ଗଠନ କରିଥାଏ। ତେବେ ଯଦି କୌଣସି ଦଳ ବିଧାନସଭାର ମ୍ୟାଜିକ ନମ୍ବର ହାସଲ ନକରିପାରନ୍ତି, ସେଠାରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ଚୟନ ହୋଇଥାନ୍ତି। ନଚେତ୍ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ।

ଏକଜିଟ୍ ପୋଲରେ ତେଜସ୍ୱୀଙ୍କୁ ବହୁମତ

ନଭେମ୍ବର ୭ ତାରିଖରେ ବିହାରରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଥିଲା। ଏହାପରେ ବୁଥ୍ ବାହୁଡ଼ା ମତକୁ ନେଇ ପ୍ରକାଶ ପାଇଥିଲା ଏକଜିଟ୍ ପୋଲ୍। ଯେଉଁଥିରେ ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟ ଆଗୁଆ ଥିଲା। ମହାମେଣ୍ଟର ପାଖାପାଖି ୧୩୦ ବିଧାୟକ ଜିତିବେ ବୋଲି ଏକଜିଟ୍ ପୋଲରେ କୁହାଯାଇଥିଲା। ସେହିଭଳି ନୀତିଶଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ୧୦୪ରୁ ୧୧୫ ଆସନ ମିଳିବ ବୋଲି କୁହାଯାଇଥିଲା।

Comment