ଓଡ଼ିଶାଲାଇଭ ବ୍ୟୁରୋ

ସଦ୍ୟ ଶେଷ ହୋଇଥିବା ବାଲେଶ୍ୱର ଉପନିର୍ବାଚନରେ ଗୋଟିଏ କଥା ସାମ୍ନାକୁ ଆସିଛି। ତାହା ହେଲା ଶାସକ ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଥିଲେ ବି ଏହି ଆସନକୁ ଦଳ ବିଜେପିଠାରୁ ଛଡ଼ାଇ ଆଣି ପାରିଛି। ନଭେମ୍ବର ୩ ତାରିଖରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀ ୧୩୩୫୧ ଅଧିକ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି।

ଯେତେବେଳେ ଦଳ ପକ୍ଷରୁ ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରାଗଲା ବାଲେଶ୍ୱର ବିଜେଡି ଭିତରେ ଘୋର  ଅସନ୍ତୋଷ ପ୍ରକାଶ ପାଇଲା।ସ୍ୱରୂପ ରାଜନୀତିରେ ନୂଆ ହୋଇଥିବାରୁ ବିଜେପିକୁ ଏହି ଆସନଟି ଚାଲିଯିବ ବୋଲି ସ୍ଥାନୀୟ ବିଜେଡି ନେତାମାନେ ଆଶଙ୍କା କରୁଥିଲେ। ଦଳର ଅଧିକାଂଶ କର୍ମକର୍ତ୍ତା କହୁଥିଲେ ଯେ ଦଳର ପ୍ରାର୍ଥୀ ଜିତିବା କଷ୍ଟ ଓ ମଇଦାନରେ ଏଥିପାଇଁ ବହୁତ କଷ୍ଟ କରିବାକୁ ହେବ। ତେବେ ଯେଉଁ ତୁଙ୍ଗ ନେତାମାନେ ବାଲେଶ୍ୱର ଦାୟିତ୍ୱରେ ଥିଲେ ଏହି ସବୁ ଆଶଙ୍କାକୁ ଆଦୌ ଭୃକ୍ଷେପ କରିନଥିଲେ।

ଫଳ ବାହାରିବା ପରେ ଦଳର ଜଣେ  ବରିଷ୍ଠ ନେତା କହିଛନ୍ତି ଯେ ଉତ୍ତମ ଶାସନ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ଦଳରକୁ ଜିତାଇବାରେ ସାହାଯ୍ୟ କଲା। ବିଗତ ୨୦ ବର୍ଷ ଧରି ଏହାହିଁ ହୋଇ ଆସୁଛି।

ବାଲେଶ୍ୱର ଦାୟିତ୍ୱରେ ଥିବା ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ୨୦୧୯ ନିର୍ବାଚନରେ ବିଜେଡି ଯେତିକି ଭୋଟ ବ୍ୟବଧାନରେ ହାରିଥିଲା ଏଥର ସେତିକି ଭୋଟ ବ୍ୟବଧାନରେ ଜିତିବ ବୋଲି ମୁଁ ଢେର ଆଗରୁ କହିଥିଲି। ଯଦିଓ କର୍ମୀଙ୍କ ଭିତରେ ପ୍ରାର୍ଥୀ ଚୟନ ନେଇ ପ୍ରଥମ ଅବସ୍ଥାରେ  କିଛି ଅସନ୍ତୋଷ ପ୍ରକାଶ ପାଇଥିଲା କିନ୍ତୁ ନିର୍ବାଚନ ପୂର୍ବରୁ ସେ ସବୁ ଅସନ୍ତୋଷ ଦୂର ହୋଇ ଯାଇଥିଲା।

ଦେବୀ ମିଶ୍ରଙ୍କ କହିବା ଅନୁଯାୟୀ ବାଲେଶ୍ୱରର ଯାବତୀୟ ଉନ୍ନୟନ ଦାୟିତ୍ୱ ସେ ନିଜେ ନେବି ବୋଲି ଭର୍ଚୁଆଲ ରାଲି ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଏହା ଭୋଟରମାନଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା।ଆହୁରି ମଧ୍ୟ ସେ କହିଛନ୍ତି ଯେ ବିଜେଡ଼ି ସରକାରଙ୍କ ପକ୍ଷରୁ ବାଲେଶ୍ୱର ପାଇଁ ମେଡ଼ିକାଲ କଲେଜ ବ୍ୟତୀତ ଢେର କିଛି କାର୍ଯ୍ୟ ସମ୍ପାଦନ କରାଯାଇଛି ଓ ଆଗକୁ ମଧ୍ୟ ସହରର ଉନ୍ନତି ଉପରେ ଧ୍ୟାନ ଦିଆଯିବ।

ଦେଖିବାକୁ ଗଲେ ଉପନିର୍ବାଚନ ପୂର୍ବରୁ ଏମିତି ବି ବିଜେଡି ବାଲେଶ୍ୱରରେ ବ୍ୟାପକ ପ୍ରଚାର ଚଳାଇଥିଲା। ପ୍ରାୟ ଡଜନେ ମନ୍ତ୍ରୀ ଓ ୩୦ ପାଖାପାଖି ବିଧାୟକ ତିନି ସପ୍ତାହ ଧରି ସେଠାରେ ଡେରା ପକାଇଥିଲେ ଓ ନିର୍ବାଚନ କାର୍ଯ୍ୟର ଟିକିନିଖି ତଦାରଖ କରୁଥିଲେ।

ବିଜେଡିର ଆଉ ଜଣେ ବରିଷ୍ଠ ନେତା କହିଛନ୍ତି ଯେ ବାଲେଶ୍ୱରରେ ଜିତିବା ଆମ ପାଇଁ ନିହାତି ଦରକାର ଥିଲା, ଯଦିଓ ବିଧାନସଭା ଆସନ ସଂଖ୍ୟାରେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ। ତା ଛଡ଼ା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଏହା ପେଣ୍ଠ ହୋଇଥିବାରୁ ବାଲେଶ୍ୱର ଆସନ ଯେ କୌଣସି ପ୍ରକାର ହାସଲ କରିବା ପାଇଁ ଦଳର ନେତା ମାନେ ଲାଗି ପଡ଼ିଥିଲେ।

ବାଲେଶ୍ୱର ଆସନକୁ ଜିତିବା ପାଇଁ ବିଜେଡି ଏତେ ବିକଳ ହୋଇ ଯାଇଥିଲା ଯେ ଭୋଟ ଶେଷ ହେବା କ୍ଷଣି ପୂର୍ବତନ ବିଧାୟକ ଓ ଅସନ୍ତୁଷ୍ଟ ନେତା ଜୀବନ ପ୍ରଦୀପ ଦାସଙ୍କୁ ଦଳ ସସପେଣ୍ଡ କରିଥିଲା। ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜୀବନ ପ୍ରଦୀପ ଦାସ ଓ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ହୋଇଥିବା ଅଡିଓ କ୍ଲିପ ବଜାରକୁ  ଆସିବା ପରେ ତାଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ ଦଳର ସୁପ୍ରିମୋ ନବୀନ।

Comment