ଓଡ଼ିଶାଲାଇଭ୍ ବ୍ୟୁରୋ

 ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର।

ବିହାରରେ ନୂଆ ସରକାର ଗଠନ କରିବାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ନିର୍ବାଚନରେ ଏନଡିଏର ସଫଳତା ପରେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଜେଡିୟୁ ନେତା ନୀତିଶ କୁମାର। ତେବେ କ୍ୟାବିନେଟରେ କେଉଁ ଦଳକୁ କେତେ ମନ୍ତ୍ରୀପଦ ମିଳିବ ସେନେଇ ଶପଥ ଗ୍ରହଣ ଉତ୍ସବ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଆଜି ନୀତିଶ ଜେଡିୟୁ ରାଜ୍ୟ କାର୍ଯ୍ୟାଳୟରେ ନବ ନିର୍ବାଚିତ ବିଧାୟକମାନଙ୍କୁ ଭେଟିବେ। ସେଠାରେ ସେ ତାଙ୍କୁ ଶୁଭେଚ୍ଛା ଜଣାଇବେ। ଏହି ବୈଠକରେ ଜେଡିୟୁର ତମାମ ନେତାଙ୍କ ସହ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆଜି ମହାମେଣ୍ଟର ବିଜୟୀ ବିଧାୟକମାନେ ମଧ୍ୟ ବୈଠକ କରିଛନ୍ତି। ଏଥିରେ ତେଜସ୍ୱୀ ଯାଦବ ବିଧାୟକମାନଙ୍କୁ ଶୁଭେଚ୍ଛା ଜଣାଇବେ।

ଏଥର ବିହାର ନିର୍ବାଚନରେ ଏନଡିଏ ବହୁମତ ହାସଲ କରିଛି। ସରକାର ଗଠନ ପାଇଁ ୧୨୨ ବିଧାୟକ ଦରକାର ହେଉଥିବାବେଳେ ମେଣ୍ଟ ପାଖରେ ୧୨୫ ବିଧାୟକ ରହିଛନ୍ତି। ତେବେ ଜେଡିୟୁ ପାଖରେ କମ ବିଧାୟକ ରହିଥିଲେ ମଧ୍ୟ ଏହାର ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ଜଣାପଡ଼ିଛି।ସପ୍ତମ ଥର ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ

ଜେଡିୟୁ ନେତା ନୀତିଶ କୁମାର ଏଥର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ୬ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି।

ନଭେମ୍ବର ୩, ୨୦୨୦ରେ ନୀତିଶ କୁମାର ପ୍ରଥମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହି ଇସ୍ତଫା ଦେଇଥିଲେ। ଏହାପରେ ୨୦୦୫ ମସିହା ନଭେମ୍ବର ୨୪ ତାରିଖରେ ସେ ବିଜେପି ସମର୍ଥନରେ ଦ୍ୱିତୀୟ ଥର ଏବଂ ୨୦୧୦ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜୀତନ ରାମ ମାଞ୍ଝୀ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୯ ମାସ ପରେ ନୀତିଶ ପୁଣି କ୍ଷମତାକୁ ଫେରିଥିଲେ ଏବଂ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଶପଥ ନେଇଥିଲେ।

୨୦୧୫ ସାଧାରଣ ନିର୍ବାଚନରେ ମହାମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ନୀତିଶ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ଏଥିରେ ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ। ୨୦୧୭ରେ ମହାମେଣ୍ଟ ସହ ବିବାଦ ପରେ ନୀତିଶ ସରକାରରୁ ଇସ୍ତଫା ଦେଇ ଦେଇଥିଲେ। ଏହାର ଠିକ୍ ପରଦିନ ନୀତିଶ ବିଜେପି ସହ ମିଶି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଯଦି ନଭେମ୍ବର ୧୬ରେ ନୀତିଶ ଶପଥ ନିଅନ୍ତି, ତେବେ ମୁଖ୍ୟମନ୍ତ୍ରୀ ପଦରେ ଏହା ତାଙ୍କର ସପ୍ତମ ଶପଥ ଗ୍ରହଣ ଉତ୍ସବ ହେବ।

୧୯୭୭ରୁ ବିହାର ରାଜନୀତିରେ ନୀତିଶ କୁମାର

ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ୭୦ ବର୍ଷୀୟ ନୀତିଶ କୁମାରଙ୍କ ଜନ୍ମ ୧୯୫୧ ମସିହା ମାର୍ଚ୍ଚ ୧ରେ ବିହାରର ଏକ ସାଧାରଣ ପରିବାରରେ ହୋଇଥିଲା। ନୀତିଶ କୁମାର ପ୍ରଥମେ ଇଞ୍ଜିନିୟରିଂ ପଢ଼ିଥିଲେ। ଏହାପରେ ୧୯୭୪-୭୭ ମସିହା ପର୍ଯ୍ୟନ୍ତ ସହ ଜେପି ଆନ୍ଦୋଳନ ସହ ଜଡ଼ିତ ରହିଥିଲେ।

୧୯୭୭ ମସିହାରେ ପ୍ରଥମ ଥର ପାଇଁ ନୀତିଶ ବିହାରର ହରନୌତ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ସେ ସମୟରେ ସେ ସେଠାରୁ ନିର୍ବାଚନ ହାରିଯାଇଥିଲେ। ପରେ ସେ ୧୯୮୦ରେ ପୁଣିଥରେ ସେ ଆସନରୁ ବିଧାୟକ ପାଇଁ ନିର୍ବାଚନ ଲଢ଼ିଥିଲେ। ହେଲେ ଲଗାତାର ଦ୍ୱିତୀୟ ଥର ପାଇଁ ସେ ନିର୍ବାଚନ ବୈତରଣୀ ପାର୍ କରିପାରିନଥିଲେ।

ଏହାପରେ ସେ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଚିନ୍ତା କରିଥିଲେ। ନିର୍ବାଚନରୁ ବାହାରି ସେ ଠିକାଦାର କାମ କରିବେ ବୋଲି ମନ କରିଥିଲେ। ହେଲେ ୧୯୮୫ ମସିହାରେ ସେ ସେହି ହରନୌତ ସିଟରୁ ବିଧାୟକ ଭାବେ ପ୍ରଥମ କରି ନିର୍ବାଚିତ ହୋଇଥଲେ। ବାସ୍ ଏହିଠାରୁ ଆରମ୍ଭ ହୋଇଥିଲା ନୀତିଶଙ୍କ ବିଜୟ ଯାତ୍ରା। ନୀତିଶ ବିହାରରେ ନିଜକୁ ଜଣେ ଆଗଧାଡ଼ିର ନେତା ଭାବେ ପରିଚିତ କରିବା ସହିତ ଲୋକସଭାକୁ ଯାଇ ସେଠାରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହାପରେ ସେ ପ୍ରଥମ କରି ୨୦୦୦ ମସିହାରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମଝିରେ ଅଳ୍ପ ବର୍ଷକୁ ଛାଡ଼ିଦେଲେ ନୀତିଶ ଏଯାବତ ବିହାରର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

Comment