ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁରରେ ଗଞ୍ଜେଇ ଚାଲାଣ ବେଳେ ଗୁରୁବାର ଜୟପୁର ସଦର ପୋଲିସ, ଆନ୍ତଃ ରାଜ୍ୟ ଚାଲାଣକାରୀଙ୍କ ଉପରେ ଚଢାଉ କରିଛି। ସେମାନଙ୍କଠାରୁ ପ୍ରାୟ ୨୭୦ କେଜି ଗଞ୍ଜେଇ ସହ ୬ଟି ମୋବାଇଲ,  ଗୋଟିଏ କାର ଏବଂ ୩ଟି ବାଇକ ଜବତ ହୋଇଛି। ଏହି ଘଟଣାରେ ୬ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ଗୁରୁବାର କୋରାପୁଟ ଜିଲ୍ଲା ଜଲାପୁଟରୁ ବିହାର ଗଞ୍ଜେଇ ଚାଲାଣ ହେଉଥିଲା। ପ୍ରଥମେ ଏକ କାର୍‌ରେ ଗଞ୍ଜେଇ ଆଣି ସତୀ ନଦୀ ପାଖରୁ ୩ଟି ବାଇକ୍ ଯୋଗେ ଫାମ୍ପୁଣି ମାନଖମନ ଜଙ୍ଗଲ ଗ୍ରୀଡ ସବ ଷ୍ଟେସନ ନିକଟକୁ ନେଉଥିଲେ। ତେବେ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ଆଗୁଆ ଏହି ଚାଲାଣ ବିଷୟରେ ଖବର ପାଇ ଏକ ପୋଲିସ ଟିମ୍ ସହ ଲୁଚି ରହିଥିଲେ। ଯେତେବେଳେ ମାଫିଆମାନେ ଷ୍ଟେସନକୁ ଗଞ୍ଜେଇ ନେଉଥିଲେ, ସେହି ସମୟରେ ପୋଲିସ ସେମାନଙ୍କ ଉପରେ ଚଢ଼ାଉ କରିଥିଲା।

ପୋଲିସକୁ ଦେଖି ୬ଜଣ ମାଫିଆ ଚମ୍ପଟ ମାରିବାକୁ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିନେଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବିହାରର ସେନୁ କୁମାର (୧୮), ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ରାମ ମୁର୍ତ୍ତି କିର୍ଶାନି (୨୮), ଜୟପୁର ସଦର ଥାନା ବାମୁଣି ଗ୍ରାମର ନର ହରି ପୁଜାରୀ, ପାଞ୍ଜିଆଗୁଡାର ବିଶ୍ୱନାଥ ପରଜା (୩୯ ) ନନ୍ଦପୁରର ନରେନ୍ଦ୍ର ବଡନାୟକ (୩୨) ଏବଂ ଜୟପୁର ସହର ସାମନ୍ତରା ସାହିର ଲକ୍ଷ୍ମୀ କାନ୍ତ ମିଶ୍ର (୨୪)। ଏମାନଙ୍କ ପାଖରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ସେମାନଙ୍କ ବିରୋଧରେ ୨୨୨/୨୦ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Comment