ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆଠ ବର୍ଷର ଶିଶୁକୁ ବଳି ଦେବା ମାମଲର ୫ ବର୍ଷ ପରେ ମିଳିଲା ଦଣ୍ଡାଦେଶ। ୨୦୧୫ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଶିଶୁବଳି ମାମଲାର ବିଚାରକରି ଦୁଇ ଅଭିଯୁକ୍ତ ଅବିନାଶ ଏବଂ ବୈରାଗୀକୁ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜର୍ଜ ଆଜୀବନ କାରଦଣ୍ଡ ସହିତ ୫୦ ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ଶୁଣାଇଛନ୍ତି। ପୂରା ଘଟଣାଟି କଣ ରହିଥିଲା ଜାଣନ୍ତୁ।

୨୦୧୫ ମସିହା ଏପ୍ରିଲ ୧୩ ତାରିଖ। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଦଶମୌଜାର ଗୋଖାପଡା ଗାଁର ଚୌଧୁରୀ ଅବିନାଶ ଦାସ ନାମକ ଜଣେ ଅବସରପ୍ରାପ୍ତ ସୈନିକ ହନୁମାନ ଜଜ୍ଞ କରୁଥିଲେ। ଏହି ଯଜ୍ଞ ଦେଖିବାକୁ ଗୋଖାପଡା ଗାଁର ପ୍ରତାପ ରାଉତ ଓ ପୂର୍ଣ୍ଣିମା ରାଉତଙ୍କ ୮ ବର୍ଷର ପୁଅ ରାଜା ଓରଫ ରାଜେନ୍ଦ୍ର ଆସିଥିଲେ। ତେବେ ସେହି ଗାଁର ବୈରାଗୀ ଦାସ ନାମକ ଜଣେ ଯୁବକ ରାଜାକୁ ୧୦ ଟଙ୍କା ଦେଖାଇ ମିଠାଇ ଖାଇବାକୁ ପ୍ରଲୋଭିତ କରିଥିଲା। ରାଜା ମଧ୍ୟ ମିଠାଇ ଖାଇବାକୁ ବୈରାଗୀ ସହିତ ଲୁଣାନଦୀ କୂଳକୁ ଚାଲିଆସିଲା। ଆଗରୁ ଅବିନାଶ ସେଠାରେ ଅପେକ୍ଷା କରିଥିଲା। ଏହାପରେ ଦୁହେଁ ମିଶି ଏକ ଧାରୁଆ ଛୁରୀରେ ରାଜାର ବେକ କାଟି ବଳି ଦେଇଥିଲେ ଆଉ ଶେଷରେ ତାକୁ ନଦୀକୁ ଫିଙ୍ଗିଦେଇଥିଲେ।

ସେଦିନ ରାତିରେ ରାଜା ଘରକୁ ନଫେରିବାରୁ ତା ମା’ ପୂର୍ଣ୍ଣିମା ଚାରିଆଡେ ଖୋଜାଖୋଜି କରିଥିଲେ। ତେବେ ରାଜା ଯଜ୍ଞ ଦେଖି ଯାଇଥିବାର ତା ସାଙ୍ଗମାନଙ୍କଠାରୁ ଖବର ମିଳିଥିଲା ଏବଂ ରାଜାକୁ ବୈରାଗୀ ସହିତ ଦେଖାଯାଇଥିବା ପୋଲିସ ମଧ୍ୟ ସୁରାକ ପାଇଥିଲା। ୧୪ ତାରିଖରେ ରାଜାର ମୃତଦେହ ଲୁଣାନଦୀରୁ ମିଳିଥିଲା। ଏହାପରେ ପୋଲିସ ବୈରାଗୀକୁ ନିଜ ହେପାଜତକୁ ନେଇଥିଲା। ବୈରାଗୀର ସୂଚନା ଆଧାରରେ ଅବିନାଶକୁ ମଧ୍ୟ ପୋଲିସ ଧରିଥିଲା। ପଚରାଉଚରା ପରେ ଉଭୟେ ହତ୍ୟା କରିଥିବା ନେଇ ସ୍ଵୀକାର କରିଥିଲେ।

ଏହାପରେ ପୋଲିସ ଦୁଇ ଜଣଙ୍କ ବିରୋଧରେ ଆଇପିସିର ଦଫା ୩୬୩, ୩୬୪, ୩୬୫, ୩୦୨, ୨୦୧ ଓ ୩୪ରେ ମାମଲା ରୁଜୁକରି ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ସେମାନେ ବିଚାର ବିଭାଗୀୟ ହାଜତରେ ରହିଥିଲା ବେଳେ ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ ଏହି ମାମଲାର ବିଚାର କରିଥିଲେ।

ହତ୍ୟା ଅଭିଯୋଗରେ ସେମାନଙ୍କୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଲେଖାଁଏ ଜରିମାନା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୫ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ଜରିମାନା ଟଙ୍କା ନଦେଇପାରିଲେ ଅଧିକ ୩ ବର୍ଷ କାରାଦଣ୍ଡ ଭୋଗିବାକୁ କୋର୍ଟ ଆଦେଶ ଦେଇଛନ୍ତି।

 

Comment