ଓଡ଼ିଶାଲାଇଭ୍ ବ୍ୟୁରୋ

ସିଲଭର ସିଟି କଟକ ଏବେ ପାଲଟିଛି ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ। ଟଙ୍କା ଦେଇ ତେଲ, ମସଲା ନାଁରେ ଲୋକେ କିଣୁଛନ୍ତି ଜହର। ଗୋଟିଏ ମାସ ଭିତରେ ସହରର ବିଭିନ୍ନ ସ୍ଥାନରୁ ଜବତ ହୋଇସାରିଲାଣି ଅନେକ ନକଲି କାରଖାନା। ଗିରଫ ହେଲେଣି କାରଖାନାର ମାଲିକମାନେ। ତଥାପି ସହରରେ ଅପମିଶ୍ରଣର ଏହି ୟୁନିଟ୍ ବନ୍ଦ ହେବା ବଦଳରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଜଗତପୁର ଶିଳ୍ପାଞ୍ଚଳ ଏବଂ ମାଲଗୋଦାମ ପାଲଟିଛି ଏହି ନକଲି କାରଖାନାଗୁଡ଼ିକର ପ୍ରମୁଖ ସ୍ଥାନ।

ଲଙ୍କା, ହଳଦୀ, ଜିରା ହେଉ କି ଧନିଆ ଗୁଣ୍ଡ ସବୁ ନକଲି। ନା ଅଛି ଟ୍ରେଡ ମାର୍କ, ନା ଅଛି ଖାଦ୍ୟ ନିରାପତ୍ତା ବିଭାଗର ଅନୁମତି। ସବୁକୁ ବେଖାତିର କରି ମସଲା ନାମରେ ତିଆରି ହେଉଛି ବିଷ। ଖାଇବା ତେଲ ଆଉ ସସ୍‌ରେ ବ୍ୟବହାର ହେଉଛି ନିମ୍ନମାନର କଞ୍ଚାମାଲ ଏବଂ ରାୟାୟନିକ ରଙ୍ଗ।

ଗୋଟିଏ ମାସ ଭିତରେ ଜଗତପୁର, ମାଲଗୋଦାମ ଏବଂ ଏହାର ଆଖପାଖ ଅଞ୍ଚଳରୁ ନକଲି ସସ୍ ଏବଂ ମସଲା କାରଖାନା ଉପରେ ଚଢ଼ାଉ କରି କ୍ଵିଣ୍ଟାଲ କ୍ଵିଣ୍ଟାଲ ପରିମାଣର ନକଲି ସାମଗ୍ରୀ ସହ କଞ୍ଚାମାଲ ପୋଲିସ ଜବତ କରିଛି।ଶନିବାର ପୁଣି ଜଗତପୁର ଶିଳ୍ପାଞ୍ଚଳରୁ ହଳଦୀ ଓ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ ହୋଇଛି। ସେଠାରୁ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ କରିଛି ପୋଲିସ। ଏଥିସହିତ ନାମୀଦାମୀ କମ୍ପାନିର ଷ୍ଟିକର ସହ ବିପୁଳ କଞ୍ଚାମାଲ୍ ଓ ମେସିନ୍ ମଧ୍ୟ ଜବତ ହୋଇଛି। ପୋଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢାଉ କରି ଏସବୁ ସାମଗ୍ରୀ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।ଏହାର ଦୁଇଦିନ ପୂର୍ବରୁ ନଭେମ୍ଵର ୧୧ରେ କଟକ ମାଲଗୋଦାମ ଅଞ୍ଚଳରୁ ଏକ ନକଲି ମସଲା ତିଆରି କାରଖାନା ଠାବ ହୋଇଥିଲା। ମାଲଗୋଦାମ ଥାନା ପୋଲିସ ଚଢ଼ାଉ କରି କାରଖାନାରୁ କ୍ଷତିକାରକ ରଙ୍ଗ, ରାସାୟନିକ ପଦାର୍ଥ, ଚାଉଳ ଗୁଣ୍ଡ ସମେତ ପ୍ରାୟ ୧୫ କ୍ୱିଣ୍ଟାଲ୍ ନିମ୍ନମାନର ସାମଗ୍ରୀ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ କାରଖାନାର ମାଲିକ ସଚ୍ଚିଦାନନ୍ଦ ସାହୁଙ୍କ ସମେତ ଦୁଇ କର୍ମଚାରୀ ସେକ୍ ମିରାଜ୍‌ ଓ ଯୁଧିଷ୍ଠିର ଜେନାକୁ ପୋଲିସ ଗିରଫ କରିଥିଲା।ସେହିପରି ସେପ୍ଟେମ୍ବେର ୨୬ ତାରିଖରେ ଜଗତପୁରରେ ଚାଲିଥିବା ଡୁପ୍ଲିକେଟ୍ ଟମାଟୋ ଓ ଚିଲି ସସ୍ ଫ୍ୟାକ୍ଟ୍ରି ଉପରେ ରେଡ୍ କରି ପୋଲିସ ବିପୁଳ ପରିମାଣର ନକଲି ସସ୍ ଓ ଏସବୁ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରିଥିଲା।

Comment