ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ବାଣ ଫୁଟାଇବାକୁ ନେଇ ଜାରି ହୋଇଥିବା କଟକଣାକୁ ଫୁ କରିଛନ୍ତି ଅମାନିଆ। ଦୀପାବଳିରେ ବାଣ ଫୁଟାଇବା ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଲୋକମାନେ ତାହାକୁ ମାନିନାହାନ୍ତି। ଗତକାଲି ରାତିରେ ଦିଲ୍ଲୀ-ଏନ୍‌ସିଆର୍‌ରେ ବାଣ ଫୁଟିବା ଯୋଗୁ ବାୟୁ ପ୍ରଦୂଷଣ ଅହେତୁକ ଭାବେ ବୃଦ୍ଧି ପାଇଛି।

ଦୀପାବଳି ରାତିରେ ବାଣ ଫୁଟିବା ଦ୍ଵାରା ଦିଲ୍ଲୀର ଏୟାର କ୍ଵାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଅନେକ ଅଞ୍ଚଳରେ ଏକ୍ୟୁଆଇ ୯୯୯କୁ ବୃଦ୍ଧି ପାଇଛି। ଏପରିକି ବାୟୁମଣ୍ଡଳରେ ବିଷାକ୍ତ ଧୂଆଁର ଏକ ସ୍ତର ସୃଷ୍ଟି ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବା ସହ କରୋନା ସଂକ୍ରମଣ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବାଣ ଫୁଟିଲେ ଏହି ସମସ୍ୟା ଭୟଙ୍କର ହେବାର ଆଶଙ୍କା ଥିବାରୁ ଗତ ସପ୍ତାହରେ ଦିଲ୍ଲୀ ସରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏପରିକି ବାଣ ଫୁଟାଇଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଘୋଷଣା କରିଥିଲେ। ନଭେମ୍ବର ୩୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାଣକୁ ବ୍ୟାନ୍ କରାଯାଇଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଅକ୍ଷରଧାମ ମନ୍ଦିରରେ ଦୀପାବଳି ପୂଜା କରିବା ପୂର୍ବରୁ ମଧ୍ୟ ଲୋକଙ୍କୁ ବାଣ ନ ଫୁଟାଇବା ଲାଗି ଅନୁରୋଧ କରିଥିଲେ। ଏଥିସହ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍‌ଜିଟି) ପକ୍ଷରୁ ବାଣ ଉପରେ ରୋକ୍ ଲଗାଯାଇଥିଲା। କିନ୍ତୁ ଏସବୁକୁ ଖାତିର୍ ନ କରି ଗତକାଲି ଦିଲ୍ଲୀରେ ଲୋକମାନେ ବାଣ ଫୁଟାଇଥିଲେ। ଫଳରେ ଏଠାକାର ବାୟୁର ମାନ ଗମ୍ଭୀର ସ୍ଥିତିରେ ପହଞ୍ଚିଛି।

Comment