ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ରବିବାର ଅପରାହ୍ଣ ୫ଟାରେ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଏହି ବୈଠକ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉତ୍ତର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଥିରେ ଦିଲ୍ଲୀର କୋଭିଡ୍ ସ୍ଥିତିକୁ ନେଇ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି। କିଛି ଦିନ ତଳେ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା। କିନ୍ତୁ ଏବେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ଏହା ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭,୩୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪,୮୨,୧୭୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୪,୪୫୬ ଜଣ ସକ୍ରିୟ ରୋଗୀ ଥିବା ବେଳେ ୪,୩୦,୧୯୫ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୭,୫୧୯ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment