ସନ୍ତୋଷ କୁମାର

ରାଜନୀତି ସମୀକ୍ଷକ ତାଙ୍କୁ ‘ଭୋଟ୍‌ କଟାଳି’ କହିପାରନ୍ତି; କିନ୍ତୁ ବିହାର ନିର୍ବାଚନ ପରେ ଏବେ ଅସଦୁଦ୍ଦିନ ୱବୈସୀ ହିନ୍ଦୀ ବେଲ୍ଟ ରାଜନୀତି ପାଇଁ ଏକ ଫାକ୍ଟର ଭାବେ ଉଭା ହେଲେଣି।

ଭାରତ ସାରା ଜାଣନ୍ତି, ଓ୍ୱବୈସୀ ହେଉଛନ୍ତି ଆର୍‌ଏସ୍‌ଏସ୍‌ ଓ ବିଜେପିର କଟ୍ଟର ବିରୋଧୀ। କିନ୍ତୁ ବିହାର ନିର୍ବାଚନ ଫଳ ପ୍ରକାଶ ପରେ ଓ୍ୱବୈସୀଙ୍କୁ ନୂଆ ପ୍ରକାରେ ଚିତ୍ରଣ କରିବା ଆରମ୍ଭ କରିଛି ରାଜନୈତିକ ମହଲ। ତାଙ୍କୁ ଏବେ ବିଜେପିର ‘ବି’ ଟିମ୍ ବୋଲି କୁହଯାଉଛି। ବିହାର ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ରେ ବିଜେପି ସର୍ବାଧିକ ଆସନରେ ବିଜୟ ଲାଭ କରିଛି। ସଂଯୋଗକ୍ରମେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ପଡ଼ିଥିବା ୭୪ଟି ଆସନରୁ ୨୦ଟିରେ ପ୍ରାର୍ଥୀ ଦେଇଥିଲା ଓ୍ୱବୈସୀଙ୍କ ଏଆଇଏମ୍‌ଆଇଏମ୍‌ ଦଳ। ରାଜନୀତିକ ମହଲ ଏହାକୁ ସଂଯୋଗ ଭାବେ ଗ୍ରହଣ ନ କରି ପ୍ରାୟୋଜିତ ଓ ପୂର୍ବ ନିର୍ଦ୍ଧାରିତ ବୋଲି କହୁଛନ୍ତି। ତାହା ଯାହା ବି ହେଉ ନା କାହିଁକି, ଅସଦୁଦ୍ଦିନ ଓ୍ୱବୈସୀଙ୍କ ଦଳର ସଫଳତାକୁ ସେମାନେ ଅସ୍ୱୀକାର କରିପାରିବେ ନାହିଁ। ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ୍‌ ଇନ୍ (ଏଆଇଏମ୍‌ଏମ୍‌) ସେଠାରେ ୫ଟି ଆସନ ଜିତିଛି।

ୱବୈସୀଙ୍କୁ ନେଇ ଦ୍ୱନ୍ଦ୍ୱରେ ସିକ୍ୟୁଲାର ଦଳ

ବିହାର ନିର୍ବାଚନ ପରେ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ଓ ତା’ ପର ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ତେଣୁ ସେହି ଦୁଇଟି ରାଜ୍ୟରେ ପ୍ରାର୍ଥୀ ଦେବା ପାଇଁ ପ୍ରସ୍ତୁତ ହେଲେଣି ଏଆଇଏମ୍‌ଆଇଏମ୍‌ର ମୁଖିଆ ଅସଦୁଦ୍ଦିନ ୱବୈସୀ। କୁହାଯାଉଛି ଯେ ଓ୍ୱବୈସୀଙ୍କୁ ଭାରତର ହିନ୍ଦୀଭାଷୀ ଅଞ୍ଚଳର ରାଜନୀତି ମାନଚିତ୍ରରେ ନୂଆ ରୂପରେ ଉପସ୍ଥାପନ କରାଯିବାର ଉଦ୍ୟମ ଚାଲିଛି। ଦକ୍ଷିଣ ଭାରତରେ ଓ୍ୱବୈସୀଙ୍କ ଦଳ ଏଆଇଏମ୍‌ଆଇଏମ୍‌ ପରି ଏଭଳି ରାଜନୈତିକ ଦଳ ରହିଛନ୍ତି, ଯେଉଁମାନେ ମୁଖ୍ୟତଃ ମୁସଲିମ୍ ଭୋଟରମାନଙ୍କୁ ପ୍ରତିନିଧିତ୍ୱ କରନ୍ତି। କିନ୍ତୁ ଉତ୍ତର ଭାରତର ଚିତ୍ର ଟିକେ ଅଲଗା। ଏଠାରେ ଗୋଟିଏ ପଟେ ହିନ୍ଦୁତ୍ୱ ଦଳ ବିଜେପି ଓ ଅନ୍ୟପଟେ ସିକ୍ୟୁଲାର ବା ଧର୍ମନିରପେକ୍ଷ ଦଳଗୁଡ଼ିକ ରହିଛନ୍ତି। ପୂର୍ବରୁ ମୁସଲିମ୍ ଭୋଟ୍‌ ଧର୍ମନିରପେକ୍ଷ ଦଳଗୁଡ଼ିକର ଭୋଟ୍‌ ବ୍ୟାଙ୍କ ଭାବେ ରହିଆସୁଥିଲା। ବିଜେପି ଖାତାକୁ ତାହା କଦାପି ଯାଉ ନ ଥିଲା।

ତେବେ ଓ୍ୱବୈସୀ ଉତ୍ତର ଭାରତର ହିନ୍ଦୀଭାଷୀ ଅଞ୍ଚଳରେ ପ୍ରବେଶ କରିବା ପରେ ମୁସଲିମ୍ ଭୋଟ୍‌ରେ ଭାଗ ବସାଇବେ ନିଶ୍ଚୟ। ଓ୍ୱବୈସୀଙ୍କ ଦଳ ବିହାରରେ ବହୁଜନ ସମାଜ ପାର୍ଟି ଓ ଉପେନ୍ଦ୍ର କୁଶୱାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଭଳି ବହୁରୂପୀ ରାଜନୈତିକ ଦଳ ସହ ମେଣ୍ଟ କରିଥିଲା, ଯେଉଁମାନେ ଅତୀତରେ ବିଜେପି ସହ ମଧ୍ୟ ରହିଥିଲେ। ଏହି ଘଟଣା ପରେ ପ୍ରଶ୍ନ ଉଠୁଛି ଯେ ଏ ହେଉଛନ୍ତି ସେହି ୱବୈସୀ ତ ଯିଏ ୨୦୧୪ରେ ବିଜେପିକୁ ହରାଇବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏବେ ତାଙ୍କୁ ଧର୍ମନିରପେକ୍ଷ ଦଳଗୁଡ଼ିକର ବିରୋଧରେ ଦେଖି ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ତେଣୁ ଆଗାମୀ ଦିନରେ ହେବାକୁ ଥିବା ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସକୁ ଓ୍ୱବୈସୀଙ୍କ ଡର ଘାରିଲାଣି।

୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ୧.୩୪ ପ୍ରତିଶତ ଓ ବଞ୍ଚିତ ବହୁଜନ ଅଘାଦି (ଭିବିଏ) ୪.୬ ପ୍ରତିଶତ ଭୋଟ୍‌ ପାଇଥିଲେ। ଏହି ଦୁଇଦଳ ଗୋଟିଏ ବି ଆସନରେ ଜିତି ନ ଥିଲେ ମଧ୍ୟ ପ୍ରାୟ ୩୫ଟି ଆସନରେ ଧର୍ମନିରପେକ୍ଷ ଦଳଗୁଡ଼ିକର ମୁସଲିମ୍‌ ଓ ଦଳିତ ଭୋଟ୍ କାଟିଦେଇଥିଲେ।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଓ୍ୱବୈସୀ ଡର

ପଶ୍ଚିମବଙ୍ଗରେ ନିଜ ଭୋଟ୍‌ ବ୍ୟାଙ୍କ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ ୱବୈସୀଙ୍କୁ ଏବେଠାରୁ ଟାର୍ଗେଟ୍ କଲାଣି ଟିଏମ୍‌ସି। ତାଙ୍କୁ ବିଜେପିର ମଧ୍ୟସ୍ଥ ବୋଲି କହିବା ଆରମ୍ଭ କଲେଣି ଟିଏମ୍‌ସି ନେତା। ବିଜେପିଶାସିତ ସରକାରଙ୍କ ଜାତୀୟ ନାଗରିକ ପଞ୍ଜିକା ଓ ନାଗରିକତ୍ୱ ସଂଶୋଧନ ବିଲ୍‌କୁ ବିରୋଧ କରି ବଙ୍ଗୀୟ ଶରଣାର୍ଥୀଙ୍କ ନିକଟତର ହୋଇଥିବା ଟିଏମ୍‌ସିକୁ ଗୋଟିଏ ଡର ଘାରୁଛି ଯେ, ୱବୈସୀ ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କଲେ ମୁସଲିମ୍‌ ଭୋଟ୍‌ ବ୍ୟାଙ୍କକୁ ଭାଗ କରିଦେବେ ନାହିଁ ତ? ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ୩୦ ପ୍ରତିଶତ ମତଦାତା ହେଉଛନ୍ତି ମୁସଲିମ୍।

ଉତ୍ତରପ୍ରଦେଶରେ ବି ସମାନ ଆଶଙ୍କା

ପଶ୍ଚିମବଙ୍ଗ ପରି ଉତ୍ତରପ୍ରଦେଶରେ ମଧ୍ୟ ଚିତ୍ର ସମାନ। ସେଠାରେ ୧୯.୩ ପ୍ରତିଶତ ମୁସଲିମ୍ ଭୋଟ୍‌ ରହିଛି। ସେଠାରେ ମୁସଲିମ୍‌ ଭୋଟ୍‌ ବ୍ୟାଙ୍କ ସିହା ଓ ସୁନ୍ନି ଭାବେ ବିଭକ୍ତ ହୋଇଛି। ସିହାମାନେ ବିଜେପି ସମର୍ଥନରେ ରହୁଥିବା ବେଳେ ସେମାନେ ସେଠାରେ ସଂଖ୍ୟାଲଘୁ। ସଂଖ୍ୟାଗରିଷ୍ଠ ସୁନ୍ନି ମୁସଲିମମାନେ କଂଗ୍ରେସ, ବିଏସ୍‌ପି ଓ ଏସ୍‌ପିର ଭୋଟ୍‌ ବ୍ୟାଙ୍କ ଭାବେ ପରିଗଣିତ ଯେଉଁମାନେ ୱବୈସୀଙ୍କ ଆଡ଼କୁ ଢଳିପାରନ୍ତି।

୨୦୧୭ ନିର୍ବାଚନରେ ଉତ୍ତରପ୍ରଦେଶରେ ମୁସଲିମ୍‌ ପ୍ରତିନିଧିତ୍ୱକୁ ନିରୁତ୍ସାହଜନକ ଫଳ ମିଳିଥିଲା। ବିଏସ୍‌ପି ୯୯ ଜଣ ମୁସଲିମ୍‌ ପ୍ରାର୍ଥୀ ଦେଇ ମାତ୍ର ୫ ଜଣଙ୍କୁ ଜିତାଇ ପାରିଥିଲା। ସେହିପରି ଏସ୍‌ପି ୫୭ ଜଣ ମୁସଲିମ୍‌ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୭ ଜଣ ବିଜୟ ଲାଭ କରିଥିଲେ। କଂଗ୍ରେସ ୨୨ ମୁସଲିମ୍‌ ପ୍ରାର୍ଥୀ ଦେଇ ମାତ୍ର ୨ ଜଣଙ୍କୁ ଜିତାଇପାରିଥିଲା। ତେଣୁ ଏବେ ୱବୈସୀଙ୍କ ପ୍ରବେଶ ଧର୍ମନିରପେକ୍ଷ ଦଳର ମୁସଲିମ୍ ଭୋଟ୍‌କୁ ନିର୍ମୂଳ କରିଦେବ ବୋଲି ଆଶଙ୍କା କଲେଣି କଂଗ୍ରେସ, ବିଏସ୍‌ପି ଓ ଏସ୍‌ପି। ନିର୍ବାଚନରେ ୱବୈସୀଙ୍କୁ ଏବେ ଏକ ଫାକ୍ଟର ଭାବେ ଗଣିବା ଆରମ୍ଭ କଲାଣି ରାଜନୀତିକ ମହଲ। ହାଇଦ୍ରାବାଦ ମୋହଲ୍ଲାର ଏହି ନେତା ଜଣଙ୍କୁ ବିରୋଧୀ ଆସନରେ ଥିବା ସିକ୍ୟୁଲାର ଦଳଗୁଡ଼ିକ ଅଣଦେଖା କରିବା, ସେମାନଙ୍କୁ ମହଙ୍ଗା ପଡ଼ିପାରେ।

Comment