ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ଜିତିବା ପରେ ଏବେ ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ରଣନୀତି କରୁଛି ବିଜେପି।

ବିହାର ନିର୍ବାଚନ ପରେ ଏବେ ବିଜେପି ଫୋକସରେ ପଶ୍ଚିମବଙ୍ଗ। ପୂର୍ବ ଭାରତର ଏହି ରାଜ୍ୟରେ ସରକାର ଗଢ଼ିବା ସହିତ ସେଠାରେ ଶାସନରେ ଥିବା ମମତା ସରକାରକୁ ମାତ୍ ଦେବାପାଇଁ ବିଜେପି ନେତାମାନେ ଏବେଠୁ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୨୧ ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ଯେଉଁଥିରେ ଜିତାପଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ହେଲେ ଗତ ୯ ବର୍ଷରୁ ଅଧିକ ସମୟ ଧରି ପଶ୍ଚିମବଙ୍ଗ ଶାସନରେ ଥିବା ମମତା ସରକାରକୁ ଶାସନରୁ ହଟାଇବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଅପରପକ୍ଷେ ବିହାରରେ ଦଳ ଯେଭଳି ସଫଳତା ପାଇଲା ପଶ୍ଚିମବଙ୍ଗରେ ମଧ୍ୟ ଏହାକୁ ଦୋହରାଇବ ବୋଲି ଆକଳନ କରାଯାଉଛି।

ମମତାଙ୍କ ଗଡ଼ ପଶ୍ଚିମବଙ୍ଗ

ପଶ୍ଚିମବଙ୍ଗର ରାଜନୈତିକ ଇତିହାସକୁ ଦେଖିଲେ, ଏଠାରେ ବହୁ ବର୍ଷ ଧରି ବାମଦଳର ରାଜୁତି ରହିଆସିଥିଲା। ହେଲେ ୨୦୧୧ରେ ବାମଦଳର ଏହି ଦୁର୍ଗକୁ ଜିତିବା ସହ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ। ଏହାପରେ ୨୦୧୪ରେ ସାରା ଦେଶରେ ମୋଦୀ ଲହର ବୋହିବା ସହ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା। ହେଲେ ୨୦୧୬ରେ କିନ୍ତୁ ପଶ୍ଚିମବଙ୍ଗରେ ଏହି ଲହର କୌଣସି କାମ କରିନଥିଲା। ମମତା ବାନାର୍ଜୀ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ୨୦୨୧ରେ କିନ୍ତୁ ବିଜେପି ଏହି ଧାରାକୁ ଭାଙ୍ଗିବା ସହ ଏଠାରେ ଶାସନ କ୍ଷମତା ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି।

ଆଜି ପର୍ଯ୍ୟନ୍ତ ବିଜେପି ଥରୁଟିଏ ବି ପଶ୍ଚିମବଙ୍ଗରେ ସରକାର ଗଢ଼ିପାରିନି। ୧୯୭୨ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ କଂଗ୍ରେସର ରାଜୁତି ଚାଲି ଆସୁଥିଲା। ଏହାପରେ ୧୯୭୭ରୁ ଆରମ୍ଭ କରି ୧୯୯୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୩ ବର୍ଷ ଧରି ଏଠାରେ ବାମଦଳର ନେତା ଜ୍ୟୋତି ବାସୁ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହାପରେ ପୁଣି ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୧୦ ବର୍ଷ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହାପରେ ମମତାଙ୍କ ହାତରେ ପଶ୍ଚିମବଙ୍ଗବାସୀ ଶାସନ କ୍ଷମତା ଦେଇଛନ୍ତି। ପୂର୍ବ ଭାରତର ଏହି ରାଜ୍ୟରେ ବିଜେପି ଥରୁଟିଏ ବି ସରକାର ଗଢ଼ିନଥିବା ହେତୁ, ଚଳିତବର୍ଷ ଏଠାରେ ପଦ୍ମ ଫୁଲର ସରକାର ଗଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛି।

ଲୋକସଭା ନିର୍ବାଚନରେ ବିଜେପିକୁ ସଫଳତା

୨୦୧୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ବିଜେପିକୁ ସେତେଟା ଫାଇଦା ପାଇନଥିଲା ୪୨ଟି ଲୋକସଭା ଆସନରୁ ବିଜେପି ଖାତାକୁ ମାତ୍ର ୨ଟି ଆସନ ଯାଇଥିଲା। ହେଲେ ଏହାସତ୍ତ୍ୱେ ବି କେନ୍ଦ୍ରରେ ସରକାର ଗଢ଼ିଥିଲା ବିଜେପି ଏବଂ ପ୍ରଧାନମନ୍ତ୍ରୀ  ହୋଇଥିଲେ ମୋଦୀ। ହେଲେ ଏହାପରେ କିନ୍ତୁ ବିଜେପି ପଶ୍ଚିମବଙ୍ଗ ଦଖଲ କରିବାକୁ ଜୋରଦାର ଚେଷ୍ଟା କରିଥିଲା। ଦଳ ୨୦୧୬ରେ ବିଧାନସଭା ନିର୍ବାଚନରେ ଫେଲ୍ ମାରିଥିଲେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ଅଦ୍ଭୁତ ପୂର୍ବ ସଫଳତା ପାଇଥିଲା।

୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଆସନରୁ ବିଜେପି ଖାତାକୁ ଯାଇଥିଲା ମୋଟ ୧୮ଟି ଆସନ। ଏଥିସହ ତୃଣମୂଳ କଂଗ୍ରେସର ଲୋକସଭା ଆସନରୁ ୩୪ରୁ ଖସି ୨୨ ହୋଇଯାଇଥିଲା। ତେଣୁ ୨୦୧୯ ଲୋକସଭା ନିର୍ବାଚନ ଭଳି ୨୦୨୧ ବିଧାନସଭାରେ ମଧ୍ୟ ବିଜେପିକୁ ସଫଳତା ମିଳିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି।ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର – ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ କିଛିଦିନ ତଳେ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ସେଠାରେ ସେ ଦଳର ସାଙ୍ଗଠନିକ ବୈଠକରେ ଯୋଗଦେବା ବିଜେପି କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ୨୦୨୧ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ ବୋଲି ଅମିତ ଶାହ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମମତା ସରକାରଙ୍କ ପ୍ରତି ଜନଆକ୍ରୋଶ ଅଛି, ସେଠାକାର ଯୁବକମାନେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ବିଜେପିକୁ ସଫଳତା ମିଳିବ ବୋଲି ଶାହ କହିଥିଲେ।ଅମିତ ମାଲବୀୟଙ୍କୁ ପଶ୍ଚିମବଙ୍ଗ ସହ ପ୍ରଭାରୀ ଦାୟିତ୍ୱ

ନିକଟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରତ୍ୟେକ ରାଜ୍ୟର ନୂଆ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଥିଲେ। ଏହି କ୍ରମରେ କୈଳାସ ବିଜୟବର୍ଗୀୟଙ୍କୁ ପଶ୍ଚିମବଙ୍ଗର ପ୍ରଭାରୀ ଭାବେ ପୁଣିଥରେ ଦାୟିତ୍ୱ ଦିଆଯାଇଛି। ତାଙ୍କ ସହିତ ଅରବିନ୍ଦ ମେନନ ଓ ଅମିତ ମାଲବୀୟଙ୍କୁ ପଶ୍ଚିମବଙ୍ଗର ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ଅମିତ ମାଲବୀୟଙ୍କୁ ପଶ୍ଚିମବଙ୍ଗର ସହ ପ୍ରଭାରୀ ଦାୟିତ୍ୱ ମିଳିବାକୁ ନେଇ ବେଶ ଚର୍ଚ୍ଚା ହେଉଛି। ତାଙ୍କୁ ବିଜେପି ଆଇଟି ସେଲର ‘ବ୍ରେନ୍’ ବୋଲି କୁହାଯାଏ। ତାଙ୍କର ବିଭିନ୍ନ ରଣନୀତି ବିଜେପିକୁ ଅନେକ ସଫଳତା ଦେଇଛି। ତେଣୁ ତାଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେବା ବିଜେପିକୁ ଫାଇଦା ଦେଇପାରେ ବୋଲି କୁହାଯାଉଛି।

Comment