ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ନଭେମ୍ବର ୨୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଏହାକୁ ସଫଳ କରିବା ପାଇଁ ଜୟପୁର ଶ୍ରମିକ ଭବନଠାରେ ସ୍ଥାନୀୟ ଶ୍ରମିକ ସଂଗଠନଗୁଡ଼ିକର କର୍ମକର୍ତ୍ତାଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୬ ତାରିଖରେ ସମଗ୍ର ଜିଲ୍ଲାରେ ଚକ, ଅଖ, ଦୋକାନ ବଜାର, ବ୍ୟାଙ୍କ ଏବଂ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଦରଦାମ ନିୟନ୍ତ୍ରଣ, ଶ୍ରମିକ ଓ କୃଷକ ବିରୋଧୀ ଶ୍ରମ ଓ କୃଷି ଆଇନ ପ୍ରତ୍ୟାହାର, ମନରେଗାରେ ଦୈନିକ ୫ ଶହ ଟଙ୍କାର ମଜୁରୀ ଆଦି ଦାବିରେ ସର୍ବଭାରତୀୟ ସ୍ତରରେ ଏହି ଧର୍ମଘଟ କରାଯିବ।ଏଥିସହ ପ୍ରତିରକ୍ଷା ଓ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଗ୍ରାମାଞ୍ଚଳରେ ୨ ଶହ ଦିନର କାମ, ସହରାଞ୍ଚଳ ରୋଜଗାର ଯୋଜନାରେ ଗରିବ ପରିବାରଗୁଡ଼ିକୁ ମାସିକ ୭ ହଜାର ୫ ଶହ ଟଙ୍କା ସହାୟତା ଓ ୧୦ କେଜି ଚାଉଳ ପ୍ରଦାନ, ଆଶା, ପାଚିକା ଓ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଓ ସାମାଜିକ ସୁରକ୍ଷା ପ୍ରଦାନ ଆଦି ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ।

ଗତକାଲି ଅନୁଷ୍ଠିତ ଏହି କନଭେନସନରେ ପ୍ରମୋଦ ମହାନ୍ତି, କାହ୍ନୁ ବିଶ୍ୱାଳ, ଲକ୍ଷ୍ମଣ କୁମାର ମିଶ୍ର, ଧିରେନ୍ଦ୍ର କୁମାର ମହାନ୍ତି, ଶମ୍ଭୁ ମହାନ୍ତି, କୃଷ୍ଣ ନେତା, ନରେନ୍ଦ୍ର ପ୍ରାଧାନ, ସୁବାସ ଭଟ୍ଟାଚାର୍ଯ୍ୟ, ଯୁଧିଷ୍ଠିର ରାଉଳ, ଭଗବାନ ବାହିନିପତି, ସୁର୍ଯ୍ୟ ନାରାୟଣ ବିଶୋଇ, ଅରୁଣ ମହାରାଣା, ରାଜେନ୍ଦ୍ର ପ୍ରସାଦ ସାହୁ, ଭାଗିରଥି ରେଡ୍ଡି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ତଥା ଅନାନ୍ୟ ଶ୍ରମିକ ଓ କୃଷକ ସଂଗଠନଗୁଡ଼ିକ ତରଫରୁ ବିଶଦ ଆଲୋଚନା କରିଥିବା ସୂଚନା ମିଳିଛି।

Comment