ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅସୁରକ୍ଷିତ ହୋଇପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠ ସମୁଦ୍ର ବେଳାଭୂମି। କଟକଣା ନଥିବାରୁ ଏଠାରେ ପର୍ଯ୍ୟଟକମାନେ ବେଲଗାମ ହୋଇ ବୁଲୁଛନ୍ତି। ଗତ ୧ ତାରିଖରେ ସମୁଦ୍ରରେ ବୁଡ଼ି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ଆଉ ଜଣେ ବିଟେକ୍ ଇଞ୍ଜିନିୟର ସମୁଦ୍ରରେ ଭାସି ଯାଇଛନ୍ତି। ୧୫ ଦିନ ଭିତରେ ଦୁଇ ଥର ଏଭଳି ଅଘଟଣ ଘଟିଥିଲେ ସୁଦ୍ଧା ପ୍ରଶାସନ ଚୁପ୍ ବସିଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି।

ଗତକାଲି ସମୁଦ୍ରରେ ଭାସି ଯାଇଥିବା ଯୁବକଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୁପ୍ତିରା ଗାଁର ଅଭିରାମ ବାଇଙ୍କ ପୁଅ ସତ୍ୟଜିତ ବାଇ। ୨୭ ବର୍ଷୀୟ ସତ୍ୟଜିତ ବାଙ୍ଗାଲୋରରେ ଏକ କମ୍ପାନିରେ ଚାକିରି କରୁଥିଲେ। ନିକଟରେ ଛୁଟିରେ ଘରକୁ ଫେରିଥିଲେ। ଗତକାଲି ୫ ଜଣ ସାଙ୍ଗଙ୍କ ସହ ମିଶି ରାଜନଗର ଥାନା ପେଣ୍ଠ ସମୁଦ୍ର ବେଳାଭୂମିକୁ ବଣଭୋଜି କରିବାକୁ ଯାଇଥିଲେ।

୩ ଜଣ ସାଙ୍ଗ ରୋଷେଇ କରୁଥିବା ବେଳେ ସତ୍ୟଜିତ ଓ ତାଙ୍କର ଜଣେ ସାଙ୍ଗ ସମୁଦ୍ରରେ ଗାଧୋଉଥିଲେ। ହଠାତ ଏକ ବଡ଼ ଲହଡ଼ି ମାଡ଼ି ଆସିବାରୁ ସତ୍ୟଜିତ ନିୟନ୍ତ୍ରଣ ହରାଇ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଟିକେ ଦୂରରେ ଥିବା ଅନ୍ୟ ଜଣେ ସାଙ୍ଗଙ୍କ ଚିତ୍କାର ଶୁଣି ଅନ୍ୟମାନେ ସମୁଦ୍ର କୁଳକୁ ଆସିଥିଲେ, ହେଲେ ସତ୍ୟଜିତଙ୍କ ସନ୍ଧାନ ପାଇନଥିଲେ। ଖବରପାଇ ସତ୍ୟଜିତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପୁଅକୁ ନପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମାନ ଢଙ୍ଗରେ ଏବଂ ସମାନ ସ୍ଥାନରେ ଗତ ୧ ତାରିଖରେ ଯାଜପୁର ଜିଲ୍ଲା ଜରୀ ଗାଁର ଜଣେ ଇଞ୍ଜିନିୟରିଂ ଛାତ୍ର ଗୌରବ ରଥ ମଧ୍ୟ ନିଖୋଜ ହୋଇଯାଇଥିଲେ। ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ସେ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଏହାର ଦିନକ ପରେ ଅର୍ଥାତ୍ ୨ ତାରିଖରେ ଗୌରବଙ୍କ ମୃତ ଶରୀର ସମୁଦ୍ର କୂଳରୁ ମିଳିଥିଲା।

ପେଣ୍ଠ ସାମୁଦ୍ରିକ ବେଳାଭୂମି ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ମଧ୍ୟ ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କଟକଣା ଜାରି ହେଉନାହିଁ। ଫଳରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଛୁଟିଦିନରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଉଛି ଯେ ସ୍ଥାନୀୟ ଗାଁ ଲୋକେ ଅତିଷ୍ଠ ହୋଇପଡ଼ୁଛନ୍ତି। ଅଧିକ ସଂଖ୍ୟାରେ ଯୁବକ ଯୁବତୀମାନେ ଏଠାକୁ ଆସୁଥିବାରୁ ବିଶୃଙ୍ଖଳା ବୃଦ୍ଧି ପାଉଛି। ଏଥିସହ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୂର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି।

ସେହିପରି ସମୁଦ୍ରରେ ବୁଡ଼ି ଅନେକ ଜୀବନ ଯାଉଛି। କିନ୍ତୁ ପ୍ରଶାସନର ଏଥି ପ୍ରତି ନିଘା ନାହିଁ। ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ଵ ଦେଉନଥିବାରୁ ଗତ ୧୫ ମଧ୍ୟରେ ଦୁଇ ଦୁଇଟି ଜୀବନ ଅକାଳରେ ଚାଲିଗଲା ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଖୁବ ଶୀଘ୍ର ପେଣ୍ଠ ବେଳାଭୂମିରେ କଟକଣା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here