ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବେଟିହା ବିଧାୟକ ତଥା ବିଜେପି ନେତ୍ରୀ ରେଣୁ ଦେବୀ।

ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ବେଟିହା ବିଧାୟକ ରେଣୁ ଦେବୀ ଓ କଟିହାର ବିଧାୟକ ତାରକିଶୋର ପ୍ରସାଦ ସୋମବାର ଶପଥ ଗ୍ରହଣ କରିଛନ୍ତି। ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ବିଜେପି ମହିଳା ମୋର୍ଚ୍ଚାରେ ବହୁ ଦିନ ଧରି କାର୍ଯ୍ୟ କରିଥିବା ରେଣୁ ଦେବୀ ବିହାରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ମହିଳା ମୋର୍ଚ୍ଚା ମୁଖ୍ୟରୁ ଉପମୁଖ୍ୟମନ୍ତ୍ରୀ

ରେଣୁ ଦେବୀ ୧୯୮୧ ମସିହାରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ ଏକ ଏନ୍‌ଜିଓ ସହିତ ଜଡ଼ିତ ଥିଲେ। ଏହାପରେ ୧୯୮୮ ମସିହାରେ ସେ ବିଜେପି ସହ ଜଡ଼ିତ ହେଲେ। ୧୯୯୩ ମସିହାରେ ରେଣୁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ମୁଖ୍ୟ ଭାବେ ନିଯୁକ୍ତ ହେଲେ। ୧୯୯୬ ମସିହାରେ ମଧ୍ୟ ତାଙ୍କୁ ଏହି ପଦରେ ପୁଣି ଥରେ ନିଯୁକ୍ତ କରାଗଲା। ଏହାପରେ ୨୦୧୪ ମସିହାରେ ତାଙ୍କୁ ବିଜେପି ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଲା। ଏହି ସମୟରେ ସେ ଅମିତ ଶାହଙ୍କ ସହିତ କାମ କରିଥିଲେ।ନୀତିଶଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ

ରେଣୁ ଦେବୀ ନିଜ ଦୀର୍ଘ ରାଜନୈତିକ କ୍ୟାରିୟର ଭିତରେ ଅନେକ ପଦ ପଦବୀ ସମ୍ଭାଳିଛନ୍ତି। ୨୦୦୫ ମସିହାରେ ବିହାରର ନୀତିଶ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ପଦରେ ରହିଥିଲେ।

ବେଟିହାରୁ ୪ ଥର ବିଧାୟକ

ବିହାରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଥିବା ୬୨ ବର୍ଷୀୟା ରେଣୁ ଦେବୀ ବେଟିହାର ବିଧାୟକ ଅଛନ୍ତି। ଏହି ବିଧାନସଭା ଆସନରୁ ସେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ୨୦୦୦ ମସିହାରେ ସେ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୫ ଓ ୨୦୧୦ରେ ମଧ୍ୟ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୫ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା।ତେବେ ଏଥର ବିହାର ନିର୍ବାଚନରେ ବିଜେପି ତାଙ୍କ ଉପରେ ଭରସା ରଖି ପୁଣି ଥରେ ଟିକେଟ୍ ଦେଇଥିଲା। ବିଜେପି ଟିକେଟ୍‌ରେ ସେ ସେହି ବେଟିହା ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ ଏବଂ ସଫଳ ମଧ୍ୟ ହେଲେ।

ଆର୍‌ଏସ୍‌ଏସ୍‌ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ

ରେଣୁଙ୍କ ଜନ୍ମ ୧୯୫୯ ମସିହା ନଭେମ୍ବର ୧ ତାରିଖରେ ହୋଇଥିଲା। ସେ ବିହାରର ଅତିରିକ୍ତ ପଛୁଆ ବର୍ଗର ନୋନିୟା ସମ୍ପ୍ରଦାୟରୁ ଆସିଛନ୍ତି। ରେଣୁଙ୍କ ମା’ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସହ ଜଡ଼ିତ ଥିଲେ। ତେଣୁ ଆର୍‌ଏସ୍‌ଏସ୍‌ର ନୀତି, ଆଦର୍ଶରେ ବିଶେଷ ଭାବେ ଅନୁପ୍ରାଣିତ ହୋଇଥିଲେ ରେଣୁ। ଏଥିସହ ରେଣୁଙ୍କ ମାମୁଘରର ସଦସ୍ୟମାନେ ମଧ୍ୟ ବିଜେପି ଓ ଆର୍‌ଏସ୍‌ଏସ୍ ସହ ଜଡ଼ିତ ଥିଲେ। ତେଣୁ ରେଣୁଙ୍କ ଉପରେ ଏସବୁର ପ୍ରଭାବ ପଡ଼ିଥିଲା।

Comment