ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏବେ ଅଲୋଡ଼ା ହେଉଛି କି କଂଗ୍ରେସ ଦଳ? କାହିଁକି ନିର୍ବାଚନରେ ଭୋଟରମାନଙ୍କ ଆସ୍ଥା ଜୁଟାଇପାରୁନି କଂଗ୍ରେସ? ବିହାର ନିର୍ବାଚନରେ କଂଗ୍ରେସର ଏଭଳି ବିପର୍ଯ୍ୟୟ ପରେ ଏବେ ଏଭଳି କିଛି ପ୍ରଶ୍ନକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
ଖୋଦ୍ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ଭୋଟରମାନେ କଂଗ୍ରେସକୁ ବିକଳ୍ପ ଦଳ ଭାବେ ଦେଖିବାକୁ ଚାହୁଁନାହାନ୍ତି, ତେଣୁ ଏନେଇ ଚିନ୍ତା ଓ ଆତ୍ମସମୀକ୍ଷା କରିବା ନିହାତି ଦରକାର ବୋଲି ସେ କହିଛନ୍ତି।
ବିହାରରେ ମହାମେଣ୍ଟରେ ସାମିଲ ହୋଇ କଂଗ୍ରେସ ୭୦ ଆସନରେ ନିର୍ବାଚନ ଲଢ଼ିଥିଲା। ହେଲେ ହାତକୁ ଆସିଲା ମାତ୍ର ୧୯ ଆସନ। ମହାମେଣ୍ଟରେ ସାମିଲ ହୋଇ ବାମଦଳଗୁଡ଼ିକ ୨୯ଟି ଆସନ ଲଢ଼ିଥିଲେ। ସେଥିରୁ ଜିତିଲେ ୧୬ ଆସନ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କଂଗ୍ରେସର ପ୍ରଦର୍ଶନ ଭଲ ନା ବାମଦଳଗୁଡ଼ିକର। ନିଜେ ତେଜସ୍ୱୀ ମଧ୍ୟ ସମାନ କଥା କହିଛନ୍ତି। କଂଗ୍ରେସ ଦଳର ଶୋଚନୀୟ ପ୍ରଦର୍ଶନ ପାଇଁ ମହାମେଣ୍ଟ ସରକାର ହୋଇପାରିଲାନାହିଁ। ବିହାରର ସିପିଆଇଏମଏଲ ନେତା ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସ ଅପେକ୍ଷା ସେମାନଙ୍କ ଦଳକୁ ଅଧିକ ଆସନ ମିଳିଥିଲେ ନିଶ୍ଚିତ ଭାବେ ମହାମେଣ୍ଟ ସରକାର ଗଠନ ହୋଇଥାନ୍ତା।
ଆଗକୁ ତାମିଲନାଡୁ, ପଶ୍ଚିମବଙ୍ଗ ନିର୍ବାଚନ। ଏଠାରେ କଂଗ୍ରେସ କରିବ କ’ଣ? ଏକୁଟିଆ ନିର୍ବାଚନ ଲଢ଼ିବା ସ୍ଥିତିରେ ଆଉ କଂଗ୍ରେସ ନାହିଁ। କଂଗ୍ରେସର ଢିଲାପଣ ଓ ନୈରାଶ୍ୟଜନକ ପ୍ରଦର୍ଶନ ଦେଖି ଏବେ ଆଞ୍ଚଳିକ ଦଳ କଂଗ୍ରେସ ସହ ମେଣ୍ଟ କରିବାରେ ଭୟ କରୁଛନ୍ତି। ପଶ୍ଚିମବଙ୍ଗରେ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କୁ ଛାଡ଼ିଦେଲେ ଆଉ କଂଗ୍ରେସ ଚିହ୍ନାମୁହଁ ଖୋଜି ପାଇବା କଷ୍ଟକର। ଏ ପରିସ୍ଥିତିରେ ସବୁ ଆସନରେ ପ୍ରାର୍ଥୀ ବି ଯୋଗାଡ଼ କରିବା ଦଳ ପାଇଁ କଷ୍ଟକର ହେବ। ସେପଟେ କଂଗ୍ରେସକୁ ମମତା ନେବେ କି ନାହିଁ ତାକୁ ନେଇ ସନ୍ଦେହ ରହିଛି। କାରଣ କଂଗ୍ରେସ ଏବେ କେବଳ ଗୋଟେ ଭୋଟ୍ ବିଭାଜନକାରୀ ଦଳରେ ବଦଳିସାରିଥିବା ମମତା ବାନାର୍ଜୀଙ୍କ ଅନୁଭବ କରୁଛନ୍ତି। ବାକି ରହିଲା ବାମଦଳ, ସେମାନେ କଂଗ୍ରେସ ସହ ମେଣ୍ଟ କରିପାରନ୍ତି କିନ୍ତୁ ମେଣ୍ଟ ହେଲେ କିଏ ନେତୃତ୍ୱ ନେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସେପଟେ ଅଧୀର ରଞ୍ଜନ ଚୌଧୁରୀଙ୍କର ଅବସ୍ଥା ବି ଭଲ ନାହିଁ। କାରଣ ତାଙ୍କ ଅଞ୍ଚଳ ମୁସଲିମବହୁଳ ହୋଇଥିବା ବେଳେ ବିହାରରେ ୱବୈସୀଙ୍କ ଅଭ୍ୟୁଦୟ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ତା’ପରେ ରାହୁଲ, ପ୍ରିୟଙ୍କା ଓ ସୋନିଆ ନିର୍ବାଚନକୁ ଏତେ ଗୁରୁତ୍ୱ ଦେଉନଥିବା ଆଞ୍ଚଳିକଦଳଗୁଡ଼ିକ ଅନୁଭବ କରିସାରିଲେଣି। ଦୁର୍ଭାଗ୍ୟ କଂଗ୍ରେସ ସହ ଏବେ ଅନୁକମ୍ପା ବି ନାହିଁ।
ତାମିଲନାଡୁରେ କଂଗ୍ରେସର ଟିକେ ସ୍ଥିତି ଭଲ ଅଛି। ହେଲେ ନେତୃତ୍ୱ କିଏ ନେବ ତାକୁ ନେଇ ସନ୍ଦେହ ରହିଛି। ଏଠାରେ କଂଗ୍ରେସର ମେଣ୍ଟ ଡିଏମକେ ସହ ରହିଛି। ତେବେ ବିହାର ପରିସ୍ଥିତି ପରେ କଂଗ୍ରେସକୁ ଅଧିକ ସିଟ୍ ଦେବାକୁ ରାଜି ହୋଇ ନ ପାରେ ଡିଏମକେ। କାରଣ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି ହୋଇଥିଲେ ମଧ୍ୟ, ତାଙ୍କୁ ପ୍ରଚାରରେ ସେମିତି ଦେଖିବାକୁ ମିଳିନି। ବିହାର କ୍ଷେତ୍ରରେ ଆରଜେଡିନେତାମାନେ ମଧ୍ୟ ସିଧାସଳଖ ଏକଥା କହିଛନ୍ତି।
ବିହାର ନିର୍ବାଚନ ବେଳେ ରାହୁଲ ପିକନିକ୍ କରୁଥିଲେ ବୋଲି ଆରଜେଡି ନେତା କହିବା ପରେ ରାହୁଲଙ୍କ ଗମ୍ଭୀରତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇସାରିଛି। ନିକଟରେ ଓଡ଼ିଶା ନିର୍ବାଚନରେ ବି କଂଗ୍ରେସର ପ୍ରଦର୍ଶନ ଦଳର ଅବସ୍ଥାକୁ ସ୍ପଷ୍ଟ ପ୍ରମାଣିତ କରିଦେଇଛି।


















