ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାଜନଗର ପେଣ୍ଠ ବେଳାଭୂମି ପାଇଁ ଜାରି ହେଲା ୧୪୪ ଧାରା। ୧୫ ଦିନ ମଧ୍ୟରେ ପେଣ୍ଠ ସମୂଦ୍ରରେ ବୁଡ଼ି ଦୁଇଜଣଙ୍କ ଜୀବନ ଯିବାପରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବେଳାଭୂମି ପାଇଁ ଏହି କଟକଣା ଲାଗୁ କରାଯାଇଛି। ଯଦି କେହି ଏହି ନିୟମକୁ ଅମାନ୍ୟ କରିବେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଜ୍ୟୋତିପ୍ରକାଶ ସାମନ୍ତରାୟ ପେଣ୍ଠ ବେଳାଭୂମିରେ ୧୪୪ ଧାରା ଲଗାଇଛନ୍ତି। ଏହାପରେ ରାଜନଗର ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା ଚିତ୍ତକୋଲାଠାରୁ ଦୋବନ୍ଦି ମୁହାଣ ପର୍ଯ୍ୟନ୍ତ ସମୂଦ୍ର କୂଳେ ନାଲି ପତାକା ଲଗାଇ ୧୪୪ ଧାରା ପ୍ରଣୟନ ହୋଇଥିବା ନେଇ ସ୍ଥାନୀୟ ଲୋକମାନଙ୍କୁ ସୂଚାଇ ଦେଇଛନ୍ତି।କରୋନା ପାଇଁ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳମାନଙ୍କରେ କଠୋର କଟକଣା ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ପେଣ୍ଠ ସମୁଦ୍ର ବେଳାଭୂମିରେ କୌଣସି କଠୋର କଟକଣା ନଥିବା ଦେଖିବାକୁ ମିଳିଛି। ଏଣୁ ପ୍ରତିଦିନ ଏହି ବେଳାଭୂମିକୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବିଶେଷକରି ଛୁଟିଦିନ ଏବଂ ଆମିଷ ବାରମାନଙ୍କରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପ୍ରଶାସନର କୌଣସି କଟକଣା ନଥିବା ହେତୁ ପ୍ରାୟ ପ୍ରତିଦିନ ଏଠାରେ କିଛି ନା କିଛି ଦୁର୍ଘଟଣା ଘଟୁଛି।
ଏହାରି ମଧ୍ୟରେ ଗତ ୧୫ ଦିନ ମଧ୍ୟରେ ପେଣ୍ଠ ସମୂଦ୍ରରେ ଗାଧୋଇ ଦୁଇଜଣ ପର୍ଯ୍ୟଟକଙ୍କର ଜୀବନ ଯାଇଛି। ନଭେମ୍ଵର ୧ରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ର ସମୂଦ୍ରରେ ଗାଧୋଇବାବେଳେ ମୃତ୍ୟୁ ମୁଖରେ ପଡିଥିବା ବେଳେ ୧୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗୁପ୍ତିରା ଗାଁର ସତ୍ୟଜିତ ବାଇ ନାମକ ଜଣେ ବିଟେକ୍ ଇଞ୍ଜିନିୟର ସମୂଦ୍ରରେ ଭାସିଯାଇଥିଲେ। ଏଯାଏ ତାଙ୍କର ପତ୍ତା ମଧ୍ୟ ମିଳିନି। ଏହିପରି ଭାବେ ଗୋଟିଏ ପରେ ଗୋଟିଏ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି। ଏଣୁ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପେଣ୍ଠ ବେଳାଭୂମିରେ ପର୍ଯ୍ୟଟକମାନଙ୍କ ଉପରେ କଟକଣା ଜାରି କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment