ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋ-ସମ୍ପଦର ସୁରକ୍ଷା ପାଇଁ ମଧ୍ୟପ୍ରଦେଶରେ ଗଠନ ହେବ ‘ଗୋ-କ୍ୟାବିନେଟ୍’। ଆସନ୍ତା ୨୨ ତାରିଖରେ ଏହି ଗୋ-କ୍ୟାବିନେଟର ପ୍ରଥମ ବୈଠକ ବସିବ ବୋଲି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ।

ଶିବରାଜ ଟୁଇଟ କରି ଲେଖିଛନ୍ତି ଯେ, ମଧ୍ୟପ୍ରଦେଶରେ ଗାଈମାନଙ୍କର ସଂରକ୍ଷଣ ପାଇଁ ଗୋ-କ୍ୟାବିନେଟ୍ ଗଠନ କରାଯିବ। ପଶୁପାଳନ, ବନ, ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ, ରାଜସ୍ୱ, ଗୃହ ଓ କୃଷକ କଲ୍ୟାଣ  ବିଭାଗ ଏହି ଗୋ କ୍ୟାବିନେଟରେ ଶାମିଲ ହେବ।ଏଥିସହ ଆସନ୍ତା ନଭେମ୍ବର ୨୨ ଗୋପାଷ୍ଟମୀ ତିଥିରେ ଆଗର ମାଲବା ଜିଲ୍ଲାରେ ଥିବା ଗୋ- ଅଭୟାରଣ୍ୟରେ ଏହି କ୍ୟାବିନେଟର ପ୍ରଥମ ବୈଠକ ବସିବ ବୋଲି ଶିବରାଜ ଟୁଇଟ୍ କରି ସୂଚନା ଦେଇଛନ୍ତି।

୨୦୧୮ ମସିହା ନିର୍ବାଚନ ପୂର୍ବରୁ ଶିବରାଜ ଏହି ଗୋ-କ୍ୟାବିନେଟ ଗଠନ କରିବାକୁ ଘୋଷଣା କରିଥିଲେ। ଯାହାକି ରାଜ୍ୟରେ ଥିବା ମଧ୍ୟପ୍ରଦେଶ ଗୋପାଳନ ଏବଂ ପଶୁଧନ ସମର୍ଦ୍ଧନ ବୋର୍ଡ ବଦଳରେ କାମ କରିବ ବୋଲି ସେ କହିଥିଲେ। ଏହି ସମୟରେ ନିର୍ବାଚନ ଆଚରଣ ବିଧି ଜାରି ହେବା ପରେ ଏନେଇ କାମ ଆଗେଇ ପାରିନଥିଲା। ଏହାପରେ ନିର୍ବାଚନରେ ମଧ୍ୟ ବିଜେପି ହାରି ଯାଇଥିଲା। ଏହାପରେ ଶାସନକୁ ଆସିଥିବା କମଳନାଥ ସରକାର ଏପ୍ରତି ଦୃଷ୍ଟି ଦେଇନଥିଲେ। ଏବେ ଶିବରାଜ ସିଂହ ଚୌହାନ ପୁଣି ସରକାରକୁ ଫେରିବା ପରେ ଏହି ଗୋ-କ୍ୟାବିନେଟ୍ ଗଠନ କରିବାକୁ ଘୋଷଣା କରିଛନ୍ତି।“ସମସ୍ତେ ଜାଣିଛନ୍ତି ବିଜେପି ମଧ୍ୟପ୍ରଦେଶରେ ୧୫ ବର୍ଷରୁ ଅଧିକ ସମୟ ଦାୟିତ୍ୱରେ ଥିଲେ ବି, ଗାଈମାନଙ୍କର ସଂରକ୍ଷଣ ପାଇଁ କିଛି ବି କରିନି। କଂଗ୍ରେସ ହିଁ ପ୍ରଥମେ ନିଜ ନିର୍ବାଚନୀ ଇସ୍ତାହାରରେ ଗୋଶାଳା ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ବର୍ତ୍ତମାନର ସରକାର ଗାଈମାନଙ୍କର ଖାଇବା ଆବଣ୍ଟନ ଟଙ୍କାକୁ ମଧ୍ୟ ହ୍ରାସ କରିଦେଇଛି। ”,କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୭ ମସିହାରେ ମଧ୍ୟପ୍ରଦେଶର ଶିବରାଜ ସରକାର ସେଠାରେ ଏକ ଗୋ-ଅଭୟାରଣ୍ୟ ନିର୍ମାଣ କରିଛନ୍ତି। ଯାହାକି ଆଗର ମାଲବା ଜିଲ୍ଲାର କାମଧେନୁ ଗୋ ଅଭୟାରଣ୍ୟ ନାମରେ ବେଶ ପରିଚିତ। ମଧ୍ୟପ୍ରଦେଶ ଗୋ ସମ୍ବର୍ଦ୍ଧନ ବୋର୍ଡ ଦ୍ୱାରା ୩୨ କୋଟି ଟଙ୍କା ଖର୍ଚ୍ଚ କରି ଏହା ନିର୍ମାଣ କରାଯାଇଛି। ଅବଶ୍ୟ ପରେ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଏହାର ଘରୋଇକରଣ ହୋଇଯାଇଛି।

Comment