ଓଡ଼ିଶାଲାଇଭ୍ ବ୍ୟୁରୋ

  • ନଭେମ୍ବର ୨୦ରୁ ବିଧାନସଭା ଶୀତ ଅଧିବେଶନ
  • କୋଭିଡ୍ ନିୟମ ମାନି ଯୋଗଦେବେ ବିଧାୟକ
  • ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ
  • ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍

କୋଭିଡ୍ କଟକଣା ଭିତରେ ଆସନ୍ତା ୨୦ ତାରିଖରୁ ବସିବ ବିଧାନସଭା ଶୀତ ଅଧିବେଶନ। ଗୃହର ସଦସ୍ୟମାନେ କୋଭିଡ୍ ନିୟମ ପାଳନ କରି ଅଧିବେଶନରେ ଯୋଗଦେବେ। ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନକାଳ ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ବୁଧବାର ବିଧାନସଭା ବାଚସ୍ପତି ସର୍ବଦଳୀୟ ବୈଠକ ଆହ୍ୱାନ କରିଥିଲେ। ଏଥିରେ ଶୀତ ଅଧିବେଶନ କେମିତି ଚାଲିବ ସେନେଇ ଆଲୋଚନା କରାଯାଇଥିଲା। ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନରେ ମଧ୍ୟ ସଦସ୍ୟମାନେ ସାମାଜିକ ଦୂରତା ରକ୍ଷା କରି ଗୃହରେ ବସିବେ। ଯେଉଁ ସଦସ୍ୟମାନେ ଚାହିଁବେ ସେମାନେ ଘରୁ ରହି ଭିଡିଓ କନଫରେନ୍ସି ଜରିଆରେ ମଧ୍ୟ ଯୋଗଦେଇପାରିବେ ବୋଲି କୁହାଯାଇଛି।ପ୍ରତିଦିନ ବିଧାନସଭା ସାଢ଼େ ୪ ଘଣ୍ଟା ପାଇଁ ବସିବ। ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ତେବେ ପ୍ରଶ୍ନକାଳ ବାତିଲ୍ ପ୍ରସଙ୍ଗକୁ ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି। ଚାରି ଘଣ୍ଟା ବିଧାନସଭା ଚାଲିଲେ କରୋନା ହେବନି, ପ୍ରଶ୍ନକାଳ ହେଲେ କ’ଣ କରୋନା ହୋଇଯିବ ବୋଲି କହିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ। ସେହିଭଳି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି।

ନଭେମ୍ବର ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଯାହାକି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଧାୟକ, ମନ୍ତ୍ରୀ ଓ ଅନ୍ୟ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ମଧ୍ୟ ଆରମ୍ଭ ହୋଇସାରିଲାଣି। ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ମଧ୍ୟ କୋଭିଡ୍ କଟକଣା ଭିତରେ ହେବ।

Comment